ଭୁବନେଶ୍ୱର: ସମସ୍ତ ଘରୋଇ ସ୍କୁଲ ସରକାରୀ ନିୟମ ମାନିବା ଅତ୍ୟନ୍ତ ଆବଶ୍ୟକ । ଘରୋଇ ସ୍କୁଲ ଗୁଡିକ ଭିନ୍ନ ଭିନ୍ନ ପବ୍ଲିକେସନ୍ ପୁସ୍ତକ ପଢ଼ାଯାଉଥିବା ନେଇ ଗଣଶିକ୍ଷା ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଘରୋଇ ସ୍କୁଲ୍ ମନମାନୀ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେଉଛି । ଯଦି କୌଣସି ସ୍କୁଲ୍ ବିରୋଧରେ ଅଭିଯୋଗ ଆସିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଘରୋଇ ସ୍କୁଲ ଗୁଡ଼ିକରେ ନିଜସ୍ୱ ପ୍ରକାଶନୀ ବହି ବିକ୍ରି କରି ଅଭିଭାବକଙ୍କୁ ଶୋଷଣ କରିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଯାହା ଜାତୀୟ ଶିକ୍ଷା ନୀତିର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ NCERT ବହି ପଢ଼ିବା ଆବଶ୍ୟକ । ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ ଅଟେ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ । ଏପଟେ ଅଭିଭାବକ କହିଛନ୍ତି ଯେ, ‘ଏ ସମସ୍ୟା ଆଜିର ନୁହେଁ । ଏଭଳି ସମସ୍ୟା ବିରୋଧରେ ଦୀର୍ଘ 10 ବର୍ଷ ଧରି ଲଢେଇ କରି ଆସୁଛି ଅଭିଭାବକ ସଂଘ । ଘରୋଇ ସ୍କୁଲ ଗୁଡିକରେ ଯେଉଁ ବହି ପିଲାଙ୍କୁ ପାଠ ପଢାଇବା ପାଇଁ ଦିଆଯାଉଛି, ସେ ବହିର ଦାମ 10 ଗୁଣା ଅଧିକ । ଘରୋଇ ସ୍କୁଲ ଓ ପବ୍ଲିକେସନ ମଧ୍ୟରେ ଆର୍ଥିକ କାରବାର ଚାଲିଛି, ଯେଉଁଥିରେ ଅଭିଭାବକମାନେ ସମସ୍ୟାରେ ପଡୁଛନ୍ତି । କେବଳ ପିଲାଙ୍କର ବ୍ୟାଗର ଓଜନ ଅଧିକ ହେବାର କାରଣ ହେଉଛି ଭିନ୍ନ ଭିନ୍ନ ପବ୍ଲିକେସନର ବହି ବ୍ୟବହାର କରିବା । କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛି ଅଭିଭାବକ ସଂଘ ।’ ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ‘ଯେତେବେଳେ ଘରୋଇ ସ୍କୁଲ୍ ମନମାନୀ କରୁଛନ୍ତି, ସେନେଇ ବିଭାଗ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବ । ସବୁ ଘରୋଇ ସ୍କୁଲ୍ ସରକାରୀ ନିୟମ ମାନିବା ଜରୁରୀ। ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହେବ। ଯଦି କୌଣସି ସ୍କୁଲ୍ ବିରୋଧରେ ଅଭିଯୋଗ ଆସିବ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ’ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚାଇ ଦେଇଛନ୍ତି।









