25.1 C
Bhubaneswar
Wednesday, March 25, 2026
Homeଓଡିଶାଆଚରଣ, ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

ଆଚରଣ, ଉଚ୍ଚାରଣରେ ସଂଯମତା ରଖିବାକୁ ରାଷ୍ଟ୍ରପତିଙ୍କ ପରାମର୍ଶ

– ଭାରତ ନିର୍ମାଣରେ ଓଡ଼ିଶାର ଦାନ ଅନୁଳନୀୟ
– ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ କରନ୍ତୁ
– ବହୁ ସଂଖ୍ୟାରେ ମହିଳାମାନେ ନେତୃତ୍ୱ ନେବା ଦରକାର
– ବିଧାୟକଭାବେ ଜନସାଧାରଙ୍କ ମୁହଁରେ ହସ ଫୁଟାନ୍ତୁ
– ନିଅଁ ସୁଦୃଢ଼ ଥିବାରୁ ଉଚ୍ଚ ସୋପାନରେ ପହଞ୍ଚିପାରିଛି
-ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ‘ଆପଣମାନେ ଲିଡର, ଲୋକ ଫଲୋଅର। ଲୋକ ପ୍ରତିନିଧିଙ୍କ ଆଚରଣ ଓ ଉଚ୍ଚାରଣର ବଡ଼ ପ୍ରଭାବ ରହିଛି। ସାଧାରଣ ଲୋକଙ୍କର ବହୁ ଆଶା, ଆକାଂକ୍ଷା ରହିଛି। ଆପଣମାନେ ଲୋକଙ୍କ ପାଇଁ କାମ କରନ୍ତୁ। ଲୋକମାନେ ଅନେକ ସ୍ୱପ୍ନ ନେଇ ଆପଣଙ୍କୁ ପଠାଇଛନ୍ତି। ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ। ଗୃହରେ ଆପଣଙ୍କ ଉଚ୍ଚାରଣ ଏବଂ ଆଚରଣ ଭଲ ରହିବା ଉଚିତ। କାରଣ ଆଜିର ଟେକ୍ନୋଲୋଜି ଜରିଆରେ ସମସ୍ତେ ଦେଖୁଛନ୍ତି। ଆପଣମାନେ ଲୋକମାନଙ୍କର ଆଦର୍ଶ। ଆପଣ କ’ଣ କରନ୍ତି, କିପରି ରୁହନ୍ତି ତାହାକୁ ସେମାନେ ଅନୁକରଣ କରିଥାନ୍ତି। ସେଥିପାଇଁ ଗୃହରେ ଆଚରଣ ଓ ଉଚ୍ଚାରଣ ଠିକ୍ ରଖିବା ଜରୁରୀ। ଓଡ଼ିଶା ସବୁ ପ୍ରକାର ସମ୍ବଳରେ ପରିପୂର୍ଣ୍ଣ। ଯାହା ଦ୍ୱାରା ରାଜ୍ୟକୁ ଏକ ଅଗ୍ରଣୀ ପ୍ରଦେଶରେ ପରିଣତ କରାଯାଇ ପାରିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାର ପ୍ରଗତିକୁ ଜୀବନର ବ୍ରତ ଭାବେ ଗ୍ରହଣ କରନ୍ତୁ।’ ଗୁରୁବାର ସପ୍ତଦଶ ବିଧାନସଭା ପଞ୍ଚମ ତଥା ଐତିହାସିକ ଶୀତ ଅଧିବେଶନର ପ୍ରଥମ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାୟକମାନଙ୍କୁ ଉଦ୍‌ବୋଧନ ଦେଇ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଯେଉଁ ସୋପାନରେ ମୁଁ ପହଞ୍ଚିଛି ତାହା ଏହି ପବିତ୍ର ଗୃହ ଯୋଗୁଁ ସମ୍ଭବ ହୋଇପାରିଛି। ଏହି ଗୃହ ମୋତେ ବହୁତ କିଛି ଶିକ୍ଷା ଦେଇଛି।

ମୁଁ ରାଷ୍ଟ୍ରପତି ଭାବେ ବହୁ ରାଜ୍ୟ ବିଧାନସଭାରେ ଅଭିଭାଷଣ ରଖିଛି। କେତେକ ବିଦେଶ ରାଷ୍ଟ୍ରରେ ମଧ୍ୟ ତାଙ୍କର ଜାତୀୟ ସଂସଦରେ ଅଭିଭାଷଣ ରଖିଛି। ହେଲେ ଆଜି ଓଡ଼ିଶା ବିଧାନସଭାରେ ଅଭିଭାଷଣ ରଖିବା ମୋ ପାଇଁ ବିଶେଷ ଖୁସି ରଖିଛି। ଆଜି ମୋତେ ଘରକୁ ବାହୁଡ଼ି ଆସିବା ପରି ମନେ ହେଉଛି। ତେବେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ଏଠି ପହଞ୍ଚି ପାରିନଥାନ୍ତି। ଆତ୍ମୀୟ ପରିବେଶରେ ମୁଁ ଆଜି ଭାବପ୍ରବଣ ହୋଇଛି। ରାଷ୍ଟ୍ରପତି କହିଛନ୍ତି ଯେ, ଭାରତ ନିର୍ମାଣରେ ଓଡ଼ିଶାର ଦାନ ଅତୁଳନୀୟ। ଏଇ ମାଟିରେ ନେତାଜୀ ସୁବାଷ ବୋଷ ଜନ୍ମଲାଭ କରିଥିଲେ। ଏହି ମାଟି ପାଇଁ ବହୁ ବରପୁତ୍ରଙ୍କ ଦାନ ରହିଛି। ଡ. ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ଭଳି ବରପୁତ୍ରମାନେ ଏହି ପବିତ୍ର ଗୃହକୁ ପ୍ରତିନିଧିତ୍ୱ କରି ରାଜ୍ୟର ସେବା କରିଛନ୍ତି। ତେଣୁ ରାଜନୀତିକୁ ଆସି କିପରି ଲୋକଙ୍କ ସେବା କରାଯାଏ ଏବଂ ବ୍ୟବହାର କରାଯାଏ ତାହା ମୁଁ ଏହି ଗୃହରୁ ମୁଁ ଶିଖିଛି। ଏହା ମୋର ରାନୈତିକ କ୍ୟାରିଅରରେ ଫାଉଣ୍ଡେସନ ବା ନିଅଁ। ଏହି ନିଅଁ ସୁଦୃଢ଼ ଥିବାରୁ ମୁଁ ଆଜି ଉଚ୍ଚ ସୋପାନରେ ପହଞ୍ଚି ପାରିଛି। ଏହି ଗୃହରେ ମୁଁ ବିଧାୟକ ଭାବେ ପ୍ରଶ୍ନ ପଚାରିଛି ଏବଂ ମନ୍ତ୍ରୀ ଭାବେ ମଧ୍ୟ ବିଧାୟକଙ୍କ ଉତ୍ତର ରଖିଛି। ଏହି ଗୃହରେ ଥିବା ସମସ୍ତ ବିଧାୟକଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଚିହ୍ନିଛି। ହେଲେ ମୁଁ ଯେତେବେଳେ ବିଧାୟକ ଥିଲି ସେତେବେଳେ ଏହି ଗୃହରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ମୋହନ ମାଝୀ ପ୍ରମୁଖଙ୍କ ଭଳି ଅନେକ ମଧ୍ୟ ବିଧାୟକ ଥିଲେ। ମୋହନ ମାଝୀ ଆଉ ମୁଁ ୨୦୦୦ରେ ଏହି ଗୃହକୁ ନିର୍ବାଚିତ ହୋଇ ଆସିଥିଲୁ। ରାଷ୍ଟ୍ରପତି କହିଛନ୍ତି ଯେ, ପରିବର୍ତ୍ତିତ ଭାରତ ଆମେ ଦେଖୁୂଛୁ।

ଓଡ଼ିଶା ସହ ସମଗ୍ର ଦେଶରେ ସାମଗ୍ରିକ ଉନ୍ନତି ଦରକାର। ବିଶେଷକରି ଚାଷୀ ସଶକ୍ତ ହେବା ଜରୁରୀ। ଏନେଇ ମିଳିତ ଉଦ୍ୟମ ଆବଶ୍ୟକ। ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଧାନ ମୂଲ୍ୟରେ ସବସିଡ୍ ପ୍ରଦାନ କରିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସେହିପରି ମହିଳାମାନେ ବହୁ ସଂଖ୍ୟାରେ ନେତୃତ୍ୱ ନେବା ଦରକାର। ଓଡ଼ିଶା ବିଧାନସଭାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ହେବା ଖୁସିର ବିଷୟ। ଏହି ଗୃହର ବାଚସ୍ପତି ଜଣେ ମହିଳା। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ବି ଥିଲେ ମହିଲା। ତେଣୁ ମହିଳାଙ୍କ ଉନ୍ନତି ହେଲେ ସମାଜ ଉନ୍ନତି ହେବ। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ସଠିକ ପଦକ୍ଷେପ। ଓଡ଼ିଶା ସରକାର ସୁଭଦ୍ରା ଭଳି ଭଲ ଯୋଜନା କାର୍ଯ୍ୟକାରୀ କରି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ବେଶ୍ ସାହାଯ୍ୟ କରିପାରିଛନ୍ତି। ନିଜ ଉଦବୋଦନ ଭିତରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଅଳ୍ପ ଦିନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭଲ କାମ କରିଛନ୍ତି। ଓଡ଼ିଶାର ମହିଳାମାନେ ସ୍ୱାବଲମ୍ୱୀ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ମହିଳା ଉପକୃତ ହୋଇଛନ୍ତି। ଓଡ଼ିଶାରେ ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି। ଧାନ କିଣାରେ ଚାଷୀଙ୍କୁ ସବ୍‌ସିଡି ମିଳୁଛି। ଓଡ଼ିଶା ବିଧାନସଭା କାମ ପେପର ଲେସ୍ ହୋଇଛି। ଶେଷରେ ରାଷ୍ଟ୍ରପତି କହିଛନ୍ତି ଯେ, ପ୍ରଜାମାନେ ଅନେକ ସ୍ୱପ୍ନ ନେଇ ଆପଣଙ୍କୁ ପଠାଇଛନ୍ତି। ସେମାନଙ୍କ ମୁହଁରେ ହସ ଫୁଟାଇବା ଆପଣଙ୍କ କର୍ତ୍ତବ୍ୟ। କାରଣ ଆଜିର ଟେକ୍ନୋଲୋଜି ଜରିଆରେ ତାହା ସମସ୍ତେ ଦେଖୁଛନ୍ତି। ଏହା ହିଁ ବିକଶିତ ଭାରତର ଅସଲ ପରିକଳ୍ପନା ବୋଲି ସେ ପ୍ରକାଶ କରିଛନ୍ତି।

ଆଜି ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ରାଷ୍ଟ୍ରପତି ମୁର୍ମୁ। ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟପାଳ ହରିବାବୁ କମ୍ଭମପାଟି। ଏହାପରେ ସେଠାରୁ ରାଜଭବନ ଯାଇ କଳିଙ୍ଗ ଅତିଥି ନିବାସର ଉଦଘାଟନ କରିଥିଲେ ରାଷ୍ଟ୍ରପତି। ପରେ ବିଧାନସଭାକୁ ଯାଇ ପ୍ରଥମ ଥର ପାଇଁ ଗୃହକୁ ସମ୍ବୋଧିତ କରିଥିଲେ। ତେବେ ୨୮ତାରିଖ ପୂର୍ବାହ୍ଣ ୯ଟା ୧୫ରେ ରାଷ୍ଟ୍ରପତି ଓଡ଼ିଶାରୁ ଲକ୍ଷେ୍ନ? ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking