ଜଗତ୍ସିଂହପୁର: ଗତ ୧୬ତାରିଖରେ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ବେରହିମପୁର ବସ୍ତର ସରକାରୀ ଜାଗାରେ ନିର୍ମିତ ୧୦ବଖରା ଆଜବେଷ୍ଟ୍ ଘରେ ରହୁଥିବା ବାଂଲାଦେଶୀ ସୁଚନା ପାଇବା ପରେ ପୁଲିସ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତିରେ ୨ଜଣ ପୁଲିସ ଅଧିକାରୀ ଆହାତ ହେବା ସେମାନଙ୍କ ଘରୁ ବନ୍ଧୁକ ସହିତ ବହୁ ମାରଣାସ୍ତ୍ର ଜବତ କରାଯାଇଥିଲା। ଏହି ଘଟଣାରେ ବାଂଲାଦେଶୀଙ୍କୁ ସେଠାରେ ଆଶ୍ରୟ ଦେଇ ଆସୁଥିବା ସ୍ଥାନୀୟ ଧନିପୁର ଅଞ୍ଚଳର ଅବଦୁଲ ଜବାର ଖାନ୍ଙ୍କ ପୁଅ ସିକୋ ଓରଫ ସିକନ୍ଦର ଆଲାମଙ୍କ ସହିତ ୨୫ ରୁ ୩୦ଜଣ ସନ୍ଦିଗ୍ଧ ବାଂଲାଦେଶୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ ପୁଲିସ ଥାନାରେ ମୁଖ୍ୟ ଅଭିଯୁକ୍ତ ସୋକୋ ସହିତ ତାର ୩ ଜଣ ଭଉଣୀ ସାୱନ ଆଜମି(୩୯), ପରୱିନ ବିବି(୩୪), ବଦରୁନ ନିଶା ଏବଂ ତାର ଭାଇ ଅବଦୁଲ ମୋତିଲିଫ୍ ଖାନ୍ ଓରଫ ଟିକି ନାମରେ ଦଫା ୧୨୬(୨)/ ୧୧୫(୨)/ ୧୦୯(୧)/ ୧୪୩(୩)/ ୧୪୫/୧୩୨/୧୨୧(୧)/ ୩୫୧(୩)/ ୬୧(୨) ବିଏନ୍ଏସ୍ ୨୦୨୩ ଆକ୍ଟରେ ମାମଲା ନମ୍ବର ୯୧୨/୨୦୨୫ ରୁଜୁ କରି ପୁଲିସକୁ ଆକ୍ରମଣ କରିଥିବା ଘଟଣାରେ ସାୱନ ଓ ପରୱିନଙ୍କୁ ଗିରଫ କରି ରାତାରାତି କୋର୍ଟଚାଲଣ କରିଥିଲେ ଅନ୍ୟ ୩ଜଣଙ୍କୁ ଅଟକ ରଖିଥିଲେ। ୧୭ତାରିଖରେ ଏହି ଉକ୍ତ ସରକାରୀ ଜାଗାରେ ନିର୍ମିତ ୧୦ବଖରା ଘର ଉପରେ ବୋଲଡୋଜର ଚଢାଇ ମାଟିରେ ମିଶାଇ ଦେଇଥିଲେ। ଏହାର ପରେପରେ ନିକଟସ୍ଥ ସାତପୁରା ଅଞ୍ଚଳରେ ଚଢଉ କରି ୧୮ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ଆଣିବା ସହିତ ୭ଟି ବେଆଇନ ଭାବେ ନିର୍ମିତ ଘରକୁ ଭାଙ୍ଗି ଦେଇଥିଲେ। ତେବେ ଏହି ଘଟଣାରେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା, ବାଂଲାଦେଶୀମାନଙ୍କୁ ସେଠାରେ ଆଶ୍ରୟ ଦେବାରେ ମୁଖ୍ୟ ଭୂମିକା ଥିଲା ଫେରାର ସିକୋ ଓରଫ ସିକନ୍ଦର ଆଲାମଙ୍କ। ସେହିଦିନ ଠାରୁ ପୁଲିସର ମୋଷ୍ଟ୍ ୱାଣ୍ଟେଡ୍ ସିକନ୍ଦର ପାଲଟିଯାଇଛି। ଇତିମଧ୍ୟରେ ପୁଲିସ ସିକନ୍ଦରର ପାସପୋର୍ଟ ଜବତ କରିବା ସହିତ ତାର ଏକ ବନ୍ଧୁକ, ଏକ କାର ଓ ଏକ ବାଇକ୍ ଜବତ କରିବା ସହିତ ସିକନ୍ଦର ପାଇଁ ସରକାର ଲୁକ୍ଆଉଟ୍ ଜାରି କରିଛନ୍ତି। ଯାହାକୁ ନେଇ ସିକନ୍ଦରକୁ ଧରିବା ପାଇଁ ଜିଲ୍ଲା ପୁଲିସ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି ହେଲେ ଆଜି ପର୍ଯ୍ୟନ୍ତ ଧରିବା ପୁଲିସ ପକ୍ଷେ ସମ୍ଭବ ହୋଇ ନଥିବା ଦେଖାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲା ପୁଲିସର ଏକ ଟିମ୍ ଗୁରୁବାର ପୂର୍ବାହ୍ନରେ ପୁନର୍ବାର ସିକନ୍ଦର ଘରେ ଚଢଉ କରିଛି। ଏହି ଚଢଉରେ ପୁଲିସ ବିପୁଳ ପରିମାଣରେ ନକଲି ଓ ଦସ୍ତାବିଜ ଜବତ କରିଛି। ଏହି ଦସ୍ତାବିଜରେ ସିମନ୍ଦର ମରଚ୍ୟାଣ୍ଡ ନ୍ୟାଭି ଚାକିରି ଛାଡିବା ପରେ ଏତେ ପରିମାଣର ଅର୍ଥ କେଉଁଠୁ ଆଣୁଥିଲା, ବାଂଲାଦେଶୀଙ୍କୁ ଆଣି ଜଗତସିଂହପୁରେ ରଖିବା ସିକନ୍ଦରର ଲକ୍ଷ କଣ ଥିଲା ଓ ସିକନ୍ଦରର ଚେର କେଉଁ କେଉଁ ଦେଶ ସହିତ ମାଡିଛି ଏବଂ ତାର ଲିଙ୍କରେ ଆଉ କେଉଁମାନେ ଅଛନ୍ତି ଇତ୍ୟାଦି ଖୋଳତାଡ଼୍ ପୁଲିସ ଜୋରଦାର ଚଳାଇ ଥିବା ଦେଖାଯାଇଛି। ତେବେ ଏ ସମ୍ପର୍କରେ ତଦନ୍ତ ଶେଷ ନହେବା ଯାଏ କୌଣସି ସୂଚନା ଦେଇ ହେବ ନାହିଁ ବୋଲି ଏସ୍ଡିପିଓ ଆଜିଙ୍କ୍ୟା ବି ମାଣେ ସୁଚନା ପ୍ରଦାନ କରିଛନ୍ତି। ତେବେ ଆଜି ପୂର୍ବାହ୍ନରେ ସିକନ୍ଦରର ଘରେ ଚଢଉ ପରେ ପରେ ରଘୁନାଥପୁର ଅଞ୍ଚଳରେ ଚଢ଼ଉ କରାଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ରାଜ୍ୟ ବିଭିନ୍ନ ସ୍ଥାନରେ ୩ହଜାର ୭୪୦ଜଣ ବାଂଲାଦେଶୀ ରହିଥିବା ତଥ୍ୟ ମିଳିବା ପରେ ସେମାନଙ୍କୁ କିପରି ଗୋଟି ଗୋଟି ଚିହ୍ନଟ କରାଯିବ, ସେ ସମ୍ପର୍କରେ ଜିଲ୍ଲାର ସମସ୍ତ ଥାନାରେ ତତ୍ପରତା ଦେଖାଯାଇଛି। ଗାଁ ଗାଁ ବୋଲି ସନ୍ଦିଗ୍ଧଙ୍କ ଆଧାର ଓ ଅନ୍ୟାନ୍ୟ ଯାଞ୍ଚ କରିବା ସହିତ ପୁଲିସ ଖୋଲତାଡ୍ ଜାରିରଖିଥିବା ଦେଖାଯାଇଛି।









