17.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶମଧ୍ୟରାତ୍ରିରେ ବିନା ୱାରେଣ୍ଟରେ ଘରେ ପ୍ରବେଶ କରିପାରିବେ ନାହିଁ ପୋଲିସ:କେରଳ ହାଇକୋର୍ଟ

ମଧ୍ୟରାତ୍ରିରେ ବିନା ୱାରେଣ୍ଟରେ ଘରେ ପ୍ରବେଶ କରିପାରିବେ ନାହିଁ ପୋଲିସ:କେରଳ ହାଇକୋର୍ଟ

ନୂଆଦିଲ୍ଲା: କେରଳ ହାଇକୋର୍ଟର ନିଷ୍ପତ୍ତି ବର୍ତ୍ତମାନ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହାରି ମଧ୍ୟରେ କେରଳ ହାଇକୋର୍ଟ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁୁଣାଇଛନ୍ତି । ଯେଉଁଥିରେ ସ୍ପଷ୍ଟ କରିଛନ୍ତି ଯେ, ପୁଲିସ ମଧ୍ୟରାତ୍ରିରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘରେ ବିନା ୱାରେଣ୍ଟରେ ପ୍ରବେଶ କରିବାର କିମ୍ବା ତାଙ୍କ କବାଟ ବାଡ଼େଇବାର ଅଧିକାର ନାହିଁ। ଜଷ୍ଟିସ ଭି.ଜି. ଅରୁଣଙ୍କ ଦ୍ୱାରା ଏହି ରାୟ ଏକ ବ୍ୟକ୍ତିଙ୍କ ଯାଚିକା ଉପରେ ପ୍ରକାଶ କରାଯାଇଛି। ସୂଚନା ଅନୁଯାୟୀ, ରାତ୍ରିକାଳୀନ ତଦନ୍ତ ଡ୍ୟୁଟିରେ ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କ ଘରେ ଉପସ୍ଥିତି ଯାଞ୍ଚ କରିବାକୁ ଯାଇଥିଲେ। କିନ୍ତୁ ବ୍ୟକ୍ତି ଜଣକ କବାଟ ଖୋଲିବାକୁ ମନା କରିବା ସହ ଅଧିକାରୀଙ୍କୁ ସହ ଅସଭ୍ୟ ବ୍ୟବହାର ଏବଂ ଧମକ ଦେଇଥିବା ଅଭିଯୋଗ କରାଯାଇଥିଲା।ହାଇକୋର୍ଟ ଯାଚିକାକୁ ଗ୍ରହଣ କରି ଯାଚିକାକାରୀଙ୍କ ବିରୋଧରେ ଦାୟର ମାମଲା ଏବଂ ତଦ୍‌ସମ୍ପର୍କୀୟ ସମସ୍ତ କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ,ତଦନ୍ତ ନାଁରେ ପୁଲିସ ବିନା ଓ୍ବାରେଣ୍ଟରେ ଅଧରାତିରେ କବାଟ ବାଡ଼େଇବା କିମ୍ବା ତାଙ୍କ ଘରେ ପ୍ରବେଶ କରିବା ଅନୁଚିତ। କୋର୍ଟ ଆହୁରି କହିଛନ୍ତି ଯେ, ଘରର ପବିତ୍ରତା ଏବଂ ଗୋପନୀୟତାର ସମ୍ମାନ ରକ୍ଷା କରାଯିବା ଉଚିତ। ପୁଲିସକୁ କେବଳ କେରଳ ପୁଲିସ ମାନୁଆଲରେ ଉଲ୍ଲିଖିତ ନିୟମ ଅନୁସାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ,ଅପରାଧ ଜୀବନଯାପନ କରୁଥିବା ବ୍ୟକ୍ତିଙ୍କ ଉପରେ ‘କଡ଼ା ନଜର’ର ବ୍ୟବସ୍ଥା ରହିଛି। କିନ୍ତୁ ରାତ୍ରି ସମୟରେ ଘରେ ପ୍ରବେଶ କରିବାର ଅନୁମତି ଦେଇ ନାହିଁ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ମଧ୍ୟରାତ୍ରିରେ ହିଷ୍ଟ୍ରିସିଟରଙ୍କ କବାଟ ବାଡ଼େଇବା ଘରୁ ବାହାରକୁ ଡାକିବା କୌଣସି ଦୃଷ୍ଟିରୁ ନ୍ୟାୟସଙ୍ଗତ ନୁହେଁ।କୋର୍ଟ କେରଳ ପୁଲିସ ଆଇନର ଧାରା ୩୯କୁ ଉଦ୍ଧୃତ କରି କହିଛନ୍ତି ଯେ, ସମସ୍ତ ବ୍ୟକ୍ତି ପୁଲିସ ଅଧିକାରୀଙ୍କ ବୈଧ ନିର୍ଦ୍ଦେଶକୁ ପାଳନ କରିବାକୁ ବାଧ୍ୟ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ପୁଲିସ ଅନୁଚିତ ଭାବେ ରାତ୍ରି ସମୟରେ ଘରେ ପ୍ରବେଶ କରିବ। ତେବେ ଏହି ରାୟ କେରଳରେ ପୁଲିସ କାର୍ଯ୍ୟକଳାପ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥାପନ କରିବ ଏବଂ ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ହେବ ବୋଲି ଆଇନ ବିଶେଷଜ୍ଞମାନେ ମତ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking