31.1 C
Bhubaneswar
Thursday, July 4, 2024
Homeଓଡିଶାନୂଆ ଆଇନକୁ ନେଇ ପୋଲିସର ସଚେତନତା ବୈଠକ

ନୂଆ ଆଇନକୁ ନେଇ ପୋଲିସର ସଚେତନତା ବୈଠକ

ମୟୂରଭଞ୍ଜ : ଚଳିତ ମାସ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା। ପୁରାତନ ବ୍ରିଟିଶ ଅମଳର ଆଇନକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇ ପାରିତ ହୋଇ ଲାଗୁ ହୋଇଛି ନୂତନ ଆଇନ। ତେବେ ଏହାର ବହୁଳ ପ୍ରଚାର ସହ ସଚେତନତା ସୃଷ୍ଟି କରିବା ପାଇଁ ପ୍ରମୁଖ ଭୂମିକାରେ ପୋଲିସ ବିଭାଗ । ଯୋଉଥିପାଇଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନା ପରିସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସେହିପରି ମୋରଡା ଥାନା ପରିସରରେ ମଧ୍ୟ ଆଜି ନୂଆ ଆଇନକୁନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ସତ୍ୟନାରାୟଣ ବଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରଥମେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ସାମ୍ବାଦିକମାନେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। ସାରା ଦେଶରେ ତିନୋଟି ନୂଆ ଅପରାଧିକ ଆଇନ ଆଜି ଠାରୁ କାର୍ଯ୍ୟକାରୀ ହୋଇଛି। ବ୍ରିଟିଶ ଅମଳରୁ ଚାଲିଆସୁଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରୀ ଅପରାଧୀ ସଂହିତା(ସିଆରପିସି), ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା,ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଥିବା ବେଳେ ଉକ୍ତ ସବୁ ଆଇନ ବାବଦରେ ବିସ୍ତୃତ ଭାବେ ଅବଗତ କରାଇବା ପାଇଁ ଜନପ୍ରତିନିଧି, ସାମ୍ବାଦିକ ମାନେ ଉକ୍ତ ଆଇନ ଗୁଡିକ ବାବଦରେ ଲୋକଙ୍କୁ ଅବଗତ କରାଇବାକୁ ନେଇ ଥାନା ଅଧିକାରୀ ଶ୍ରୀ ବଳ ବୈଠକ ଡକାଇଥିଲେ। ହେଲେ ନୂତନ ଆଇନ ସମ୍ପର୍କରେ ମହିଳାମାନଙ୍କୁ ବିଶେଷ ଭାବରେ ସଚେତନ କରାଇବା ଆବଶ୍ୟକ ଥିଲା ବେଳେ ବୈଠକରେ ମହିଳାଙ୍କ ଉପସ୍ଥିତି ନଗଣ୍ୟ ରହିଥିବା ଦେଖିବାକୁ ମିଳିଛି। ଫଳରେ ତରବରିଆ ଭାବେ ଲୋକଦେଖାଣିଆ ଆୟୋଜନ କରି ନିଜର କର୍ତ୍ତବ୍ୟ ସଂପାଦନ କରିଥିଲେ ବୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଛି। ଯାହା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣରେ ବିଫଳ ହୋଇଥିବା ଚର୍ଚ୍ଚା ସହ ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ତେବେ ଓଆଇସି ଶ୍ରୀ ବଳ ନିର୍ଦ୍ଧିଷ୍ଟ କେତୋଟି ନୂତନ ଆଇନରେ ଅପରାଧୀଙ୍କ ପାଇଁ ରଖାଯାଇଥିବା ଦଣ୍ଡର ପ୍ରାବଧାନ ସମ୍ପର୍କରେ ଆଲୋଚନା କରିଥିଲେ।
ଆଜିର ବୈଠକରେ ଥାନା ଅଧିକାରୀଙ୍କ ସହିତ ମୋରଡା ବ୍ଲକ ଅଧୀନରେ ଥିବା ସମସ୍ତ ପଞ୍ଚାୟତର ସରପଞ୍ଚ, ସ୍ଥାନୀୟ ବୁଦ୍ଧଜୀବୀ, ସମାଜ ସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସେହିପରି ନୂତନ ଅପରାଧିକ ଆଇନ୍ କାର୍ଯ୍ୟକାରୀତା ସମ୍ବନ୍ଧରେ କରଞ୍ଜିଆ ଥାନା ପରିସରରେ ଭାରପ୍ରାପ୍ତ ଥାନା ଅଧିକାରୀ ନିରୋଦ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ନିମନ୍ତ୍ରିତ ଅତିଥି ଭାବେ କରଞ୍ଜିଆ ଓକିଲ ସଂଘ ସଭାପତି ବାଞ୍ଛାନିଧି ପୃଷ୍ଟି ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ଯୋଗଦାନ କରି ନୂତନ ସଂଶୋଧିତ ଭାରତୀୟ ପିଙ୍ଗଳ କୋଡ଼, ଫୌଜଦାରୀ ଆଇନ ଓ ସାକ୍ଷୀ ଆଇନର ନବୀକରଣ ଓ ସଂଶୋଧିତ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଓ ଭାରତୀୟ ସାକ୍ଷ୍ୟ ସଂହିତା ଅଧିନିୟମ ୨୦୨୩ ଆଜି ଠାରୁ ପ୍ରଣୋଦିତ କରି କ’ଣ କ’ଣ ସଂଶୋଧନ ଓ ନବୀକରଣ ହୋଇଛି ସେବିଷୟରେ ଆଲୋକପାତ କରିଥିଲେ। ସମସ୍ତ ଜନସାଧାରଣ ଏହି ଆଇନ ସମ୍ବନ୍ଧରେ ଉଣା ଅଧିକେ ଜାଣିବା ଆବଶ୍ୟକ ବୋଲି ଉଭୟ ପ୍ରକାଶ କରିଥିଲେ। ପରିଶେଷରେ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମଲ୍ଲିକ ଜନସାଧାରଣଙ୍କୁ ନୂତନ ସଂଶୋଧିତ ଆଇନ୍ ସମ୍ପର୍କରେ ଅବଗତ କରିବା ପାଇଁ ସାମ୍ବାଦିକମାନଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking