33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶତାଣ୍ଡବ ରଚିଲା ବିଷାକ୍ତ ମଦ: ୪ ମୃତ, ୬ଜଣ ହରାଇଲେ ଦୃଷ୍ଟିଶକ୍ତି

ତାଣ୍ଡବ ରଚିଲା ବିଷାକ୍ତ ମଦ: ୪ ମୃତ, ୬ଜଣ ହରାଇଲେ ଦୃଷ୍ଟିଶକ୍ତି

ବିହାର: ବିହାରରେ ମଦ ନିଷେଧ ସତ୍ତ୍ୱେ ପୁଣି ଥରେ ବିଷାକ୍ତ ମଦ ମୃତ୍ୟୁର କରାଳ ରୂପ ଦେଖିବାକୁ ମିଳିଛି । ମୋତିହାରୀ ଜିଲ୍ଲାରେ ବିଷାକ୍ତ ମଦ ପିଇ ଏପର୍ଯ୍ୟନ୍ତ ୪ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ପ୍ରାୟ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସବୁଠାରୁ ଦୁଃଖଦ ବିଷୟ ହେଉଛି, ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୬ ଜଣ ନିଜର ଦୃଷ୍ଟିଶକ୍ତି ହରାଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ତୁରକୌଲିଆ ଏବଂ ରଘୁନାଥପୁର ଥାନା ଅନ୍ତର୍ଗତ ଅଞ୍ଚଳରେ କିଛି ଲୋକ ମଦ୍ୟପାନ କରିଥିଲେ । ଏହାର କିଛି ସମୟ ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିଲା । ଗୁରୁବାର ସକାଳେ ତୁରକୌଲିଆ ଥାନା ଅଞ୍ଚଳର ଚାନ୍ଦୁ ନାମକ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ପୁଲିସକୁ ନ ଜଣାଇ ପରିବାର ଲୋକେ ତରବରିଆ ଭାବେ ଶବ ସତ୍କାର କରିଦେଇଥିଲେ । ରଘୁନାଥପୁର ଥାନା ଅନ୍ତର୍ଗତ ବାଲଗଙ୍ଗା ଗ୍ରାମର ଲୋହା ଠାକୁର ଅସୁସ୍ଥ ହୋଇ ପଡ଼ିବା ପରେ ମଦ୍ୟପାନ ରହସ୍ୟ ଉପରୁ ପରଦା ହଟିଥିଲା । ଡାକ୍ତରଖାନାରେ ସେ ନିଜେ ମଦ ପିଇଥିବା କଥା ସ୍ୱୀକାର କରିଥିଲେ ।

ଶୁକ୍ରବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ୪୬ ବର୍ଷୀୟ ପରୀକ୍ଷଣ ମାଝୀ ଏବଂ ହୀରାଲାଲ ଭଗତଙ୍କର ମୃତ୍ୟୁ ଘଟିଛି । ଗୁରୁବାର ରାତିରେ ପ୍ରମୋଦ ଯାଦବ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସଦର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାଜେନ୍ଦ୍ର କୁମାର ନିଜର କଷ୍ଟ ବଖାଣି କହିଛନ୍ତି, “ମଦ ପିଇବା ପରେ ତୁରନ୍ତ କିଛି ଜଣାପଡ଼ିନଥିଲା । କିନ୍ତୁ, ଅଧଘଣ୍ଟା ପରେ ମୋତେ ସବୁକିଛି ସବୁଜ ଦେଖାଗଲା । କିଛି ବି ସ୍ପଷ୍ଟ ଦେଖାଯାଉ ନଥିଲା । ଭୋର ସମୟରେ ବାରମ୍ବାର ବାନ୍ତି ହେଲା ଏବଂ ଦେହ ଅତ୍ୟଧିକ ଛଟପଟ ହେବାକୁ ଲାଗିଲା ।” ଏହି ଘଟଣା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ସ୍ଥାନୀୟ ଥାନା ଅଧିକାରୀ (SHO) ଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଚୌକିଦାରଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି । ପୁଲିସ ଏବଂ ମେଡିକାଲ ଟିମ୍ ଗାଁ ଗାଁ ବୁଲି ମଦ ପିଇଥିବା ଅନ୍ୟ ଲୋକଙ୍କୁ ଚିହ୍ନଟ କରି ହସ୍ପିଟାଲରେ ଭର୍ତ୍ତି କରୁଛନ୍ତି । ଏହି ଘଟଣା ବିହାରରେ ମଦ ନିଷେଧ ଆଇନର କାର୍ଯ୍ୟକାରିତା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking