ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଏଲପିଜି ବଦଳରେ ଏବଂ ପାଇପ ଯୋଗେ ପିଏନଜି ଯୋଗାଇ ଦିଆଯିବ । ଲୋକସେବା ଭବନରେ ତୈଳ କମ୍ପାନୀର ପ୍ରତିନିଧି ଏବଂ ଯୋଗାଣ ବିଭାଗ ସଚିବଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସହରାଞ୍ଚଳରେ ପିଏନଜି ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଯେଉଁ ଖାଉଟି ପିଏନଜି ସଂଯୋଗ ନେବେ, ସେମାନେ ଆଉ ଏଲପିଜି ବ୍ୟବହାର କରିପାରିବେ ନାହିଁ । ଆଗାମୀ ୩ ମାସ ମଧ୍ୟରେ ରାଜ୍ୟର ସମସ୍ତ ବଡ ସହରରେ ଏହି ପ୍ରକ୍ରିୟା ଶେଷ କରିବାକୁ ତୈଳ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରାମାଞ୍ଚଳରେ ପୂର୍ବଭଳି ଏଲପିଜି ସିଲିଣ୍ଡର ସେବା ଜାରି ରହିବ । ଏହାସହ ଏଲପିଜି ଗ୍ରାହକଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି । ସହରରେ ରହୁଥିବା ଭଡ଼ାଟିଆମାନେ ମଧ୍ୟ ସହଜରେ ପିଏନ୍ଜି ସଂଯୋଗ ନେଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଯୋଗାଣ ସଚିବ ଏବଂ ତେଲ କମ୍ପାନିର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।










