28.1 C
Bhubaneswar
Thursday, April 2, 2026
Homeଦେଶ ବିଦେଶୱାୟନାଡ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ; ଖୁବଶୀଘ୍ର କେନ୍ଦ୍ର ପକ୍ଷରୁ ଘୋଷଣା ହେବ ସ୍ୱତନ୍ତ୍ର ପ୍ୟାକେଜ୍‌!

ୱାୟନାଡ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ; ଖୁବଶୀଘ୍ର କେନ୍ଦ୍ର ପକ୍ଷରୁ ଘୋଷଣା ହେବ ସ୍ୱତନ୍ତ୍ର ପ୍ୟାକେଜ୍‌!

ୱାୟନାଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ୱାୟନାଡ ଜିଲ୍ଲା ଗସ୍ତ କରି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୋଦୀ ପ୍ରଥମେ ବାୟୁସେନା ହେଲିକପ୍ଟର ଯୋଗେ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ (ଧ୍ୱସଂସ୍ତୁପ ପାଲଟିଥିବା) ପୁଞ୍ଚୁରି ମାଟମ୍‌, ମୁଣ୍ଡାକାଇ ଓ ଚୁରୁଲମାଲା ଆଦି ଅଞ୍ଚଳଗୁଡ଼ିକୁ ଆକାଶମାର୍ଗରୁ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଏବଂ କେନ୍ଦ୍ରୀୟ ପର୍ଯ୍ୟଟନ ତଥା ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ସାମିଲ ଥିଲେ। ଆକାଶମାର୍ଗରେ ନିରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ କଲପେଟ୍ଟାସ୍ଥିତ ଏସ୍‌କେଏମ୍‌ଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡ଼ିଆରେ ଓହ୍ଲାଇ ସଡ଼କ ମାର୍ଗରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି, ସେସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରିଲିଫ୍ କ୍ୟାମ୍ପ୍‌, ହସ୍ପିଟାଲରେ ଥିବା ଆହତ ଓ ମୃତକଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି।

ପ୍ରକାଶ, ଭୂସ୍ଖଳନରେ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ୨ ହଜାର କୋଟି ଟଙ୍କାର ସହାୟତା ମାଗିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଅଞ୍ଚଳ ପରିଦର୍ଶନ କରିବାକୁ ଆସିଛନ୍ତି। ଗତ ଜୁଲାଇ ୩୦ ତାରିଖରେ ଏହି ଅଞ୍ଚଳରେ ପ୍ରବଳ ବର୍ଷାଜନିତ ଭୂସ୍ଖଳନ ହେବାରୁ ୱାୟନାଡର ୫ଖଣ୍ଡ ଗାଁ ଭାସି ଯାଇଥିଲା। କେବଳ ଭୂସ୍ଖଳନ ଯୋଗୁ ପ୍ରାୟ ୪୦୦ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଲୋକ ଏବେ ବି ନିଖୋଜ ରହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷା ପରେ ୱାୟନାଡ ପୀଡିତଙ୍କ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ପ୍ରକାଶ, ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ୱାୟନାଡ ଗସ୍ତ କରିଥିଲେ ଏବଂ ମୃତକ ତଥା ଆହତଙ୍କ ପରିବାରକୁ ଭେଟି ଦୁଃଖ ବ୍ୟକ୍ତ କରିଥିଲେ। ଏହି ସମୟରେ କଂଗ୍ରେସ ପକ୍ଷରୁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବା ନେଇ ରାହୁଲ ୱାୟନାଡବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୯ରୁ ୨୦୨୪ ଯାଏ ରାହୁଲ ଏହି ୱାୟନାଡ ସଂସଦୀୟ କ୍ଷେତ୍ରରୁ ଲୋକସଭା ସାଂସଦ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking