ନୂଆଦିଲ୍ଲୀ: ‘ଅପରେସନ ସିନ୍ଦୂର’ ପରେ ଆଜି ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ସମ୍ବୋଧନରେ ଆତଙ୍କବାଦ ବିରୋଧରେ ପରକ୍ରମୀ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିବା ସହ ଆତଙ୍କବାଦର ଚରାଭୂଇଁ ପାକିସ୍ତାନକୁ କଡ଼ା ଜବାବ ଦେଇ ମୋଦି କହିଛନ୍ତି ଯେ, ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବର୍ତ୍ତମାନ କେବଳ ସ୍ଥଗିତ ରଖିଛୁ । ଦେଖୁଛୁ, ତାର ପରବର୍ତ୍ତୀ ଆଚରଣ କ’ଣ ରହୁଛି । ଯଦି ସେପଟୁ ଆକ୍ରମଣ ହୁଏ, ତେବେ ଏହାର ଜୋରଦାର ଜବାବ ଦିଆଯିବ । ପାକିସ୍ତାନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆତଙ୍କବାଦ ଓ କଥାବାର୍ତ୍ତା ଏକାସଙ୍ଗେ ଚାଲି ପାରିବନି । ରକ୍ତ ଓ ପାଣି ଏକାସଙ୍ଗେ ବହି ପାରିବନି । ଆତଙ୍କବାଦ ଓ ବାଣିଜ୍ୟ ଏକସଙ୍ଗେ ଚାଲି ପାରିବନି । ଯଦି ପାକିସ୍ତାନ ସହ କଥା ହେବୁ ତେବେ କେବଳ ‘ଆତଙ୍କବାଦ’ ନେଇ ଏବଂ ‘ପାକ୍ ଅଧିକୃତ କାଶ୍ମୀର’ (POK) ପ୍ରସଙ୍ଗକୁ ନେଇ ହେବୁ । ଏଥିସହ ଭାରତ କୌଣସି ପରମାଣୁ ବ୍ଲାକମେଲିଂ ଆଦୌ ସହ୍ୟ କରିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ମୋଦି ।
ପାକିସ୍ତାନ ଛାତିରେ ଆକ୍ରମଣ:
ପ୍ରଧାନମନ୍ତ୍ରୀ ମୋଦି ‘ଅପରେସନ ସିନ୍ଦୂର’ ପାଇଁ ଭାରତୀୟ ସେନା, ଗୁଇନ୍ଦା ସଂସ୍ଥାକୁ ପ୍ରଶଂସା କରି କହିଛନ୍ତି ଯେ, ପହଲଗାମରେ ଆତଙ୍କବାଦୀ ବର୍ବରକାଣ୍ଡ ଘଟାଇଲେ । ଛୁଟି କାଟିବାକୁ ଯାଇଥିବା ନିର୍ଦ୍ଦୋଷଙ୍କୁ ତାଙ୍କ ପରିବାର ଆଗରେ ହତ୍ୟା କଲେ । ଏହା ସବୁଠୁ ବଡ଼ ବୀଭତ୍ସ ଓ କ୍ରୁର ଥିଲା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ସମାଜ, ସବୁ ଦଳର ସ୍ୱର ଉଠିଥିଲା । ମାଆ, ଭଉଣୀଙ୍କ ମୁଣ୍ଡରୁ ଯେଉଁ ସିନ୍ଦୂର ହଜିଥିଲା ତାର ପ୍ରତିଶୋଧ ନେବାକୁ ମେ’ ୭ ସକାଳେ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ପ୍ରତିଜ୍ଞା ନେଇଥିଲୁ । ଆମେ ପାକିସ୍ତାନର ଛାତି ଉପରେ ଆକ୍ରମଣ କରିଲୁ । ଆତଙ୍କୀ ତାଲିମ୍ କେନ୍ଦ୍ରକୁ ସଠିକ୍ ଟାର୍ଗେଟ କଲୁ, ଯାହାକୁ ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ।
ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ମିଜାଇଲ୍ ମାଡ଼ ହେଲା । ବାହାୱଲପୁର, ମୋରିଡିକ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲୁ । ଏଥିରେ ଶହେରୁ ଊର୍ଦ୍ଧ୍ବ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏମାନେ ଖୋଲାଖୋଲି ପାକିସ୍ତାନରେ ବୁଲୁଥିଲେ ଏବଂ ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିଲେ । ଭାରତର ଏଭଳି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନରେ ହତାଶା ଖେଳିଗଲା । ପାକିସ୍ତାନ ଆତଙ୍କବାଦ ବିରୋଧରେ ନ ଲଢ଼ି ଆମ ବିରୋଧରେ ଲଢ଼ିଲା । ସ୍କୁଲ, ଧର୍ମାନୁଷ୍ଠାନ, ସାଧାରଣ ଲୋକଙ୍କ ଘରକୁ ଟାର୍ଗେଟ କଲା । ମାତ୍ର ଏଥିରେ ପାକିସ୍ତାନ ସଫଳ ହେଲାନି । ଆମ ଏୟାର ଡିଫେନ୍ସ ପାକିସ୍ତାନୀ ଡ୍ରୋନ୍, ମିଜାଇଲ୍କୁ ଧ୍ବଂସ କଲା । ପାଲଟା ଆକ୍ରମଣରେ ପାକିସ୍ତାନର ଏୟାରବେସ୍ ଧ୍ବଂସ ପାଇଲା ।
ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ:
ଏହାପରେ ପାକିସ୍ତାନ ବଞ୍ଚିବା ପାଇଁ ରାସ୍ତା ଖୋଜିଲା ଏବଂ ବିଶ୍ବ ଦରବାରର ଦ୍ବାରସ୍ଥ ହେଲା । ମେ’ ୧୦ରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଆମ DGMOଙ୍କୁ ଫୋନ୍ କଲା । ବର୍ତ୍ତମାନେ ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ କେବଳ ସ୍ଥଗିତ ରଖିଛୁ । ପାକିସ୍ତାନର ପରବର୍ତ୍ତୀ ଆଚରଣ କଣ ରହୁଛି ଦେଖୁଛୁ । ସର୍ଜିକାଲ ଷ୍ଟ୍ରାଇକ୍ ପରେ ଅପରେସନ ସିନ୍ଦୂର ଭାରତର ନୀତି । ଯଦି ଆତଙ୍କୀ ଆକ୍ରମଣ ହୁଏ ଜୋରଦାର ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହାସହିତ ଆତଙ୍କୀଙ୍କ ଶେଷକୃତ୍ୟରେ ପାକିସ୍ତାନ ସେନା ଯୋଗ ଦେବା ଏହି ରାଷ୍ଟ୍ର ଆତଙ୍କବାଦ ପ୍ରାୟୋଜିତ ବୋଲି ପ୍ରମାଣିତ କଲା ବୋଲି ସେ କହିଛନ୍ତି।
ଭାରତର ଶକ୍ତି ଦେଖାଇଲା ‘ଅପରେସନ ସିନ୍ଦୂର’:
ଅପରେସନ ସିନ୍ଦୂରର ସଫଳତା ବଖାଣି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଅପରେସନ ନୂଆ ଦିଗ ଦେଖାଇଲା । ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ସ୍ବଦେଶୀ ଜ୍ଞାନ କୌଶଳର ଶକ୍ତି ଦେଖାଇଲା । ଆତଙ୍କବାଦ ବିରୋଧରେ ଆମର ଏକତା ସବୁଠୁ ବଡ଼ ଶକ୍ତି ଏବଂ ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ଆମ ଗ୍ୟାରେଣ୍ଟି । ଯେଉଁ ଆତଙ୍କବାଦୀଙ୍କୁ ପାକିସ୍ତାନ ପୋଷୁଛି, ସେମାନେ ହିଁ ତାକୁ ଧ୍ବଂସ କରିବେ ବୋଲି କହିଛନ୍ତି ମୋଦି ।