27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶହରିୟାଣା ବିଜୟ ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ହରିୟାଣା ବିଜୟ ପରେ କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ବିଜୟ ହାସଲ କରିବା ପରେ ବିଜେପି ଦିଲ୍ଲୀ ସ୍ଥିତ ତା’ର ମୁଖ୍ୟ କାର୍ଯ୍ୟାଳୟରେ ପାଳନ କରିଛି ବିଜୟୋତ୍ସବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହ ପ୍ରମୁଖ ସାମିଲ ହୋଇଥିଲେ। ଏହି ଅବସରରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ, ନବରାତ୍ରର ପବିତ୍ର ଦିନରେ ହରିୟାଣାରେ ଆମେ ବିଜୟ ହାସଲ କଲୁ। ହରିୟାଣାରେ ସବୁ ବର୍ଗର ଲୋକେ ଆମକୁ ଭୋଟ୍ ଦେଲେ। ହରିୟାଣାର ବିଜୟ ଦଳୀୟ କର୍ମକର୍ତ୍ତାଙ୍କ କଠିନ ପରିଶ୍ରମର ଫଳ। ହରିୟାଣାରେ ମିଥ୍ୟା ଉପରେ ବିକାଶର ବିଜୟ ହୋଇଛି। ହରିୟାଣାରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳେ। କିନ୍ତୁ ଏଥର ହରିୟାଣାରେ ଯାହା ହୋଇଛି, ପୂର୍ବରୁ ହୋଇ ନଥିଲା। ବିଜେପିକୁ ଲଗାତାର ତୃତୀୟ ଥର ନିର୍ବାଚିତ କରି ଇତିହାସ ରଚିଛନ୍ତି ହରିୟାଣାର ଲୋକେ। ବିକାଶର ମୁଦ୍ଦା ଉପରେ ଲୋକେ ଆମକୁ ତୃତୀୟ ଥର ଜିତାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଗୁଜରାଟ ଓ ମଧ୍ୟପ୍ରଦେଶରେ ୨ ଦଶନ୍ଧିରୁ ବିଜେପିର ସରକାର ରହିଛି।

ଯେଉଁଠି ବିଜେପି ସରକାର ହୁଏ, ଲୋକେ ଦୀର୍ଘ ବର୍ଷ ଧରି ସମର୍ଥନ କରନ୍ତି। ଜନତା କଂଗ୍ରେସ ପାଇଁ ନୋ ଏଣ୍ଟ୍ରିର ବୋର୍ଡ ଲଗାଇ ଦେଇଛନ୍ତି। ଜାତି ନାଁରେ କଂଗ୍ରେସ ବିଷ ବୁଣୁଛି। ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଉପରେ ଅତ୍ୟାଚାର କରିଛି କଂଗ୍ରେସ। ଅରାଜକତା ସୃଷ୍ଟି କରି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛି କଂଗ୍ରେସ। କିନ୍ତୁ ହରିୟାଣାରେ ଚାଷୀମାନେ କଂଗ୍ରେସକୁ ଉଚିତ୍ ଜବାବ ଦେଲେ। ଯୁବକଙ୍କୁ ବି କଂଗ୍ରେସ ଉସୁକାଇଥିଲା, ସେମାନେ ଉଚିତ୍ ଶିକ୍ଷା ଦେଲେ। ଆଜିର ଫଳାଫଳରୁ ସ୍ପଷ୍ଟ ହୋଇଛି, କଂଗ୍ରେସ ଏବେ ପରଜୀବୀ ପାର୍ଟି। ନିଜ ସହଯୋଗୀ ଦଳକୁ ନିଶ୍ଚିହ୍ନ କରିଦିଏ କଂଗ୍ରେସ। କଂଗ୍ରେସ ଦେଶର ଛବିକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚୁଛି। ନ୍ୟାୟପାଳିକା, ନିର୍ବାଚନ ଆୟୋଗ ସମସ୍ତଙ୍କୁ ବଦନାମ କରିଥାଏ। ଏଭଳି ଅନୁଷ୍ଠାନଗୁଡ଼ିକର ନିରପେକ୍ଷତା ଉପରେ କଳଙ୍କ ଲଗାଇଥାଏ କଂଗ୍ରେସ।

ଜାମ୍ମୁ କାଶ୍ମୀର ନିର୍ବାଚନ ନିଶ୍ଚିତ ଐତିହାସିକ ବୋଲି ଏହି ଅବସରରେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଧାରା ୩୭୦ ହଟିବା ପରେ ସମସ୍ତେ କହୁଥିଲେ କଶ୍ମୀର ଜଳିବ। କିନ୍ତୁ କଶ୍ମୀର ବିଚ୍ଛିନ୍ନତାବାଦ ଓ କର୍ଫ୍ୟୁରୁ ବାହାରକୁ ବାହାରିଲା ବୋଲି ସେ କହିଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ, ଜନତାଙ୍କୁ କୃତଜ୍ଞତା ଜଣାଇବାକୁ ଆମେ ଏକାଠି ହୋଇଛୁ। ହରିୟାଣାରେ ଜିତିଲୁ, ଜମ୍ମୁ- କଶ୍ମୀରରେ ଆମ ଭୋଟ୍ ପ୍ରତିଶତ ବଢ଼ିଲା। କଂଗ୍ରେସ ମିଛ ପ୍ରଚାରରେ ଲାଗିଥିଲା, କିନ୍ତୁ ଲୋକେ ଶୁଣିଲେନି। ଲୋକେ ମୋଦିଙ୍କ ନେତୃତ୍ୱ ଉପରେ ମୋହର ମାରିଲେ। ଆଜି ଦେଶର ମିଜାଜ ମୋଦିମୟ। ମୋଦି ଦେଶର ରାଜନୀତିକୁ ବଦଳାଇ ଦେଇଛନ୍ତି। କଂଗ୍ରେସ ପରିବାରବାଦ ଓ ଦୁର୍ନୀତିକୁ ପ୍ରଶ୍ରୟ ଦେଇଛି। କିନ୍ତୁ ମୋଦି ଦୁର୍ନୀତିର ମୂଳୋତ୍ପାଟନ କରିଛନ୍ତି। କେବଳ ବିକାଶବାଦକୁ ଆଗକୁ ବଢ଼ାଇଛନ୍ତି। ତେଣୁ କଂଗ୍ରେସ ଯେତେ ମିଛ କହିଲେ ବି ଲୋକେ ଶୁଣିଲେନି। ମୋଦିଙ୍କ ନେତୃତ୍ୱରେ ଗୋଟିଏ ପରେ ଗୋଟିଏ ରେକର୍ଡ ହୋଇଚାଲିଛି। ହରିୟାଣାରେ ଲଗାତାର ତୃତୀୟ ଥର ସରକାର ଗଠନ ଏକ ରେକର୍ଡ। ଆଗକୁ ଆମକୁ ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ବି ଜିତିବାକୁ ହେବ। ତେଣୁ ବର୍ତ୍ତମାନ ଠାରୁ ଲାଗି ପଡ଼ନ୍ତୁ, ଦଳକୁ ଆଗକୁ ବଢ଼ାନ୍ତୁ ବୋଲି ସେ ଦଳୀୟ ନେତା ଓ କର୍ମୀଙ୍କୁ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking