ବାଲେଶ୍ୱର: ବାଲେଶ୍ୱରରେ ତୀର୍ଥଯାତ୍ରା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ପୁରୀରୁ ଦର୍ଶନ ସାରି ପଶ୍ଚିମବଙ୍ଗ ଫେରିଲା ବେଳେ ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥରେ ତାରିଣୀ ଛକ ନିକଟରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତରମାନଙ୍କୁ ସିମୁଳିଆ ଓ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ଥିବା ୩ ଜଣଙ୍କୁ ବାଲେଶ୍ୱର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାରୁ ଜଣାପଡିଛି, ଡ୍ରାଇଭରକୁ ନିଦ ଲାଗିବାରୁ ଆଖି ଲାଖିଯାଇଥିଲା । ପରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇନ୍ତି । ପଶ୍ଚିମବଙ୍ଗ ମୋହନପୁର ଥାନା ବୋଇତା ଅଞ୍ଚଳର ୬୫ ଜଣ ଯାତ୍ରୀ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ଫେରିବା ବେଳେ ରାତି ପ୍ରାୟ ୩ଟା ସମୟରେ ତୀର୍ଥଯାତ୍ରୀ ବସଟି ଡିଭାଇଡର ଉପରକୁ ଚଢ଼ିଯାଇ ଜାତୀୟ ରାଜପଥ ଉପରେ ଓଲଟି ପଢ଼ିଥିଲା । ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଗାଡ଼ିର କାଚ ଭାଙ୍ଗି ବାହାରକୁ ବାହାର କରାଯାଇଥିଲା । ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।










