17.1 C
Bhubaneswar
Wednesday, December 17, 2025
Homeଖେଳପ୍ୟାରିସ ଅଲିମ୍ପିକ୍ସ-୨୦୨୪; ଆଥ୍‌ଲେଟ୍‌ଙ୍କୁ ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଛି

ପ୍ୟାରିସ ଅଲିମ୍ପିକ୍ସ-୨୦୨୪; ଆଥ୍‌ଲେଟ୍‌ଙ୍କୁ ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡୁଛି

ପ୍ୟାରିସ: ଅଲିମ୍ପିକ୍ସ ଭଳି ଏକ କ୍ରୀଡା ମହାକୁମ୍ଭରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ଖେଳାଳିମାନଙ୍କୁ ଖାଦ୍ୟ ପାଇଁ ଯଦି ସଂଘର୍ଷ କରିବାକୁ ପଡେ ତେବେ ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି ହିଁ କୁହାଯିବ । ପ୍ୟାରିସ୍ ଅଲିମ୍ପିକ୍ସରୁ ଏପ୍ରକାର ଏକ ଅତ୍ୟନ୍ତ ଗମ୍ଭୀର ତଥା ଅସ୍ୱାଭାବିକ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ସେମାନଙ୍କ ନିୟମିତ ଖାଦ୍ୟ ପାଇଁ ମଧ୍ୟ ହଇରାଣ ହରକତ ହେଉଥିବା ସୂଚନା ମିଳିଛି । ବାସ୍ତବ;ା ପ୍ୟାରିସ୍ ଅଲିମ୍ପିକ୍ ଆରମ୍ଭ ହେବା ପରଠାରୁ ଆୟୋଜକ କମିଟି ସ୍ଥାନ ତଥା କ୍ରୀଡା ଗ୍ରାମରେ ଖେଳାଳି ତଥା ପ୍ରତିଯୋଗୀଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାରେ କିଛି ମାତ୍ରାରେ ବିଫଳ ରହିଥିବା ନେଇ ନିୟମିତ ଭାବେ କିଛି ନା କିଛି ଅଭିଯୋଗ ଆସିବାରେ ଲାଗିଛି । ବିଶେଷ କରି ଖେଳାଳିଙ୍କୁ ନିୟମିତ ଖାଦ୍ୟ ଯୋଗାଣ କ୍ଷେତ୍ରରେ ଏପ୍ରକାର ଉଦାସୀନ ମନୋଭାବକୁ ନେଇ ଆଇଓସି ସଦସ୍ୟଙ୍କୁ ଏବେ କଡା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି ।
ଜଣେ ଅନ୍ତର୍ଜାତୀୟ ସମ୍ପନ୍ନ ବିଦେଶୀ ଆଥ୍‌ଲେଟ ନିଜ ନାମ ଗୋପନ ରଖି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଯେତେବେଳେ ଆମେ ଆମର ଇଭେଣ୍ଟରେ ଅଂଶଗ୍ରହଣ କରିବା ପରେ ଫେରୁଥିଲୁ, ସେତେବେଳେ କ୍ରୀଡା ଗ୍ରାମରେ ସେମାନଙ୍କ ପାଇଁ ଖାଦ୍ୟ ଉପଲବ୍ଧ ନଥିଲା । ଯେତେବେଳେ ଖେଳାଳିମାନେ ଏନେଇ ଆୟୋଜକ କମିଟି ଅଧିକାରୀଙ୍କୁ ଏହାର କାରଣ ପଚାରିଥିଲୁ, ସେମାନଙ୍କର କୌଣସି ଉତ୍ତର ନଥିଲା । ଗ୍ରେଟ୍ ବ୍ରିଟେନ୍‌ରୁ ଆସିଥିବା ଏକ ନିର୍ଦ୍ଦିଷ୍ଟ ବର୍ଗର କ୍ରୀଡାବିତ୍‌ମାନେ ଖାଦ୍ୟ ନପାଇ ବେଶ ହଇରାଣ ହରକତ ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନେ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ ।
ପ୍ରକାଶ, ଭାରତୀୟ ଅଲିମ୍ପିକ ଆସୋସିଏସନ୍ (ଆଇଓଏ) ସଭାପତି ପି.ଟି ଉଷା ମଧ୍ୟ ଅଲିମ୍ପିକ୍ସ ଉଦ୍‌ଘାଟନୀ ସମାରୋହରେ ଖୁସି ନଥିଲେ । ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଆଥଲେଟ୍‌ମାନଙ୍କୁ ଯଥେଷ୍ଟ ଧ୍ୟାନ ଦେଇନାହିଁ । ଉଦ୍‌ଘାଟନୀ ସମାରୋହରେ ଆୟୋଜକମାନେ ଆଥଲେଟ୍‌ମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ପିଟି ଉଷା କହିଛନ୍ତି । ଏହା ହେଉଛି ଆଥଲେଟମାନଙ୍କର କାର୍ଯ୍ୟକ୍ରମ, ସେମାନେ ଖେଳାଳୀଙ୍କୁ ଅଧିକ ଗୁରୁତ୍ୱ ଦେବା ଉଚିତ୍ । ତେବେ ଏସବୁ ଅଭିଯୋଗ ସାମ୍ନାକୁ ଆସିବା ପରେ ସମ୍ପୂର୍ଣ୍ଣ ଆଇଓସି ଲଜ୍ଜିତ ତଥା ଦୁଃଖ ପ୍ରକାଶ କରିଛି । ଆଇଓସିର ସଭାପତି ଥୋମାସ୍ ବାକ୍ ନିଜେ ଏବେ ସମସ୍ତ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ କ୍ରୀଡାଗ୍ରାମକୁ ଯାଇ ସେଠାରେ ଖେଳାଳିଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ତଥା ଖାଦ୍ୟପେୟ ସମ୍ପର୍କରେ ଅନୁଧ୍ୟାନ କରିଥିବା ଜଣାପଡିଛି । ୨/୩ ଦିନ ଧରି ଏପ୍ରକାର ସମସ୍ୟାର ସମ୍ମୁଖୀନ ହେବା ପରେ ଖେଳାଳିଙ୍କ ପାଇଁ ଏବେ ସବୁପ୍ରକାର ସୁବିଧା ଯୋଗାଇଦେବା ଦିଗରେ ଆଇଓସି ତତ୍ପର ହୋଇପଡ଼ିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking