15.1 C
Bhubaneswar
Wednesday, December 17, 2025
Homeପାରାଲିମ୍ପିକ୍ସ - 2024ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ୧୮ ମାସ ପାଇଁ ନିଲମ୍ବିତ

ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ୧୮ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ : ଓଡ଼ିଶାର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ କ୍ରୀଡ଼ାରୁ ୧୮ ମାସ ପାଇଁ ନିଲମ୍ବନ କରାଯାଇଛି। ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ (ବିଡବ୍ଲୁଏଫ୍) ବ୍ୟାନ୍‌ କରିଛି। ସେ ଚଳିତ ବର୍ଷ ପ୍ୟାରିସ ପାରା ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ପ୍ରମୋଦ ଭଗତ ଗତ ୧୨ ମାସ ମଧ୍ୟରେ ୩ ଥର ଡୋପିଂ ପରୀକ୍ଷାରେ ବିଫଳ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ (ସିଏଏସ୍‌) ତାଙ୍କୁ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରମୋଦ ଭଗତ ଏହି ରାୟ ଉପରେ ପୁନର୍ବିଚାର କରିବା ପାଇଁ ସିଏଏସ୍‌ ଅପିଲ୍ ଡିଭିଜନରେ ଆବେଦନ କରିଥିଲେ। ତେବେ ଜୁଲାଇ ୨୯ ତାରିଖରେ ତାଙ୍କ ଆବେଦନକୁ ଖାରଜ କରାଯାଇଥିଲା। ଅଗଷ୍ଟ ୧୧ ତାରିଖରେ ପ୍ୟାରିସରେ ଅଲିମ୍ପିକ୍ସ ଶେ‌‌ଷ ହୋଇଛି। ଏବେ ସେଠାରେ ପାରା ଅଲିମ୍ପିକ୍ସ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ। ତେବେ ପ୍ରମୋଦ ଭଗତଙ୍କ ବିରୋଧରେ ଆସିଥିବା ଏହି ରାୟ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ଝଟକା ଦେଇଛି। ପ୍ରମୋଦ ଭଗତ ଜଣେ ଏସଏଲ୍ ୩ ବର୍ଗର ପାରା ବ୍ୟାଡମିଣ୍ଟନ୍ ଖେଳାଳି। ସେ ୨୦୨୧ରେ ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ନିଲମ୍ବିତ ହେବା ପରେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି, ମୋର କିଛି ଭୁଲ୍‌ ନାହିଁ। ଏହା ଏକ ଟେକ୍ନିକାଲ ଇସ୍ୟୁ। ଯେଉଁଥିପାଇଁ ଗଭୀର ଭାବେ ଦୁଃଖିତ। ଓ୍ବାଡ଼ା ଓ ସିଏଏସକୁ ସମ୍ମାନ କରେ। ପୁଣିଥରେ ନିଷ୍ପତ୍ତିର ପୁନଃ ବିଚାର ଲାଗି ଆବେଦନ କରିବି। ଏଥିସହିତ ସେ ତାଙ୍କ ଫ୍ୟାନ୍ସ ଓ ସମର୍ଥକଙ୍କୁ ଧନ୍ଯବାଦ ଜଣାଇଛନ୍ତି। ତେବେ ପ୍ରମୋଦ ଭଗତ ୧୨ ମାସ ଭିତରେ ବିଶ୍ବ ବ୍ୟାଡମିଣ୍ଟନ ସଂଘର ନିୟମ ୩ ଥର ଭଙ୍ଗ କରିଥିବା ଅଭିଯୋଗରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। ଯାହା ଫଳରେ ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭାଗ ନେଇପାରିବେନି। ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking