ୱାଶିଂଟନ୍: ଟ୍ରମ୍ପଙ୍କ ଧମକ ପରେ ମୁଣ୍ଡ ନୁଆଁଇଲା ପାନାମା । ଆମେରିକାରର ଚାପ ପରେ ଚୀନକୁ ଦେଲା ବଡ଼ ଝଟକା । ୨୦୧୭ ମସିହାରୁ ବେଜିଂ ସହ ଯୋଜନାରେ ଜଡ଼ିତ ଥିଲା ପାନାମା । ଏ ନେଇ ପାନାମା ରାଷ୍ଟ୍ରପତିଙ୍କ ଘୋଷଣା ପରେ ଯୋଜନାରୁ ଚୀନ ହଟିଥିବା ସ୍ପଷ୍ଟ ହୋଇଛି । ଇନଫ୍ରା ଷ୍ଟ୍ରକଚର ପ୍ରୋଜେକ୍ଟ ସହ ନୂଆ ନିବେଶ ନେଇ ଆମେରିକା ସହ ଏକାଠି କାମ କରିବ ବୋଲି ପାନାମା ରାଷ୍ଟ୍ରପତି ମୁଲିନୋ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପାନାମାରେ ଥିବା ମାର୍କିନ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ପାନାମ ରାଷ୍ଟ୍ରପତିଙ୍କୁ ଭେଟି ପାନାମା ଉପରେ ଚୀନର ଆଧିପତ୍ୟ ବିସ୍ତାର କରିବା ଉପରେ ଚିନ୍ତା ପ୍ରକଟ କରିଥିଲେ । ପାନାମା କେନାଲ ଅକ୍ତିଆର କରିବାକୁ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି ।
ପାନାମା କେନାଲର ସଂଚାଳନ ନେଇ ଚୀନ ସରକାରଙ୍କ କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ । ତେବେ ପାନାମାରେ ଚୀନର ବହୁ କମ୍ପାନୀ ଆଧିପତ୍ୟ ଜମାଇ ଆସୁଛନ୍ତି । ୨୦୨୩ ଅକ୍ଟୋବରରୁ ସେପ୍େଟମ୍ବର ୨୪ ପର୍ଯ୍ୟନ୍ତ ପାନାମା ଦେଇ ଯାଉଥିବା ଜାହାଜ ମଧ୍ୟରୁ ୨୧.୪ ପ୍ରତିଶତ ଉତ୍ପାଦ ଚୀନର ରହିଛି । ପାନାମାରେ ଥିବା ବନ୍ଦର ଏବଂ ଟର୍ମିନାଲ ଗୁଡ଼ିକରେ ଚୀନ ବିପୁଳ ନିବେଶ କରିଛି । ଚୀନ ପାନାମା କେନାଲ ଉପରେ ଆଧିପତ୍ୟ ବିସ୍ତାର କରିବା ପରେ ବଢିଥିଲା ଆମେରିକାର ଚିନ୍ତା । ବିଶ୍ୱ ରାଜନୀତିରେ ଚୀନର ପ୍ରଭାବ ବଢି ଚାଲିଥିବାରୁ ଏହା ଆମେରିକାର ସ୍ୱାର୍ଥକୁ ବାଧାପ୍ରାପ୍ତ କରିଛି ।
ତେଣୁ ଚୀନକୁ ଚେକ୍ ଦେବାକୁ ପାନାମା କେନାଲ ଗୋଟି ଚଳାଇଛି ଆମେରିକା । ପାନାମାକୁ ପୁଣି ଥରେ ଆମେରିକା ନିଜ କବ୍ଜା ନେବ ଏବଂ ଏଥିପାଇଁ କିଛି ବଡ଼ କରିବ ବୋଲି ଟ୍ରମ୍ପ ଚେତାବନୀ ଦେଇଥିଲେ । ଟ୍ରମ୍ପ କହିଥିଲେ ଯେ, ପାନାମା କେନାଲକୁ ପାନାମାକୁ ସମର୍ପିଦେବା ମୁର୍ଖତା ଥିଲା । ଚୀନକୁ ପାନାମା କେନାଲ ଦିଆଯାଇନଥିଲା । ହେଲେ ପାନାମା ଚୁକ୍ତିକୁ ଉଲ୍ଲଙ୍ଘନ କରିଛି ଏବଂ ଚୀନକୁ ସଞ୍ଚାଳନ ଦାୟିତ୍ୱ ଦେଇଛି। ତେଣୁ ଆମେରିକା ପାନାମାକୁ ନିଜ ଅକ୍ତିଆରକୁ ନେବ । ଏହି ୮୨ କିଲୋମିଟର ଲମ୍ବା ପାନାମା କେନାଲ ଆଟଲାଣ୍ଟିକ ମହାସାଗର ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି । ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ୬ ପ୍ରତିଶତ ଏହି କେନାଲ ମାଧ୍ୟମରେ ହୋଇଥାଏ । ଏହି କେନାଲ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଆମେରିକାର ୧୪ ପ୍ରତିଶତ ବାଣିଜ୍ୟ ପାନାମା କେନାଲ ମାଧ୍ୟମରେ ହୁଏ । ଆମେରିକା ସହିତ, ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକର ବହୁ ପରିମାଣରେ ଆମଦାନୀ ଏବଂ ରପ୍ତାନି ମଧ୍ୟ ପାନାମା କେନାଲ ମାଧ୍ୟମରେ ହୁଏ ।










