ନୂଆଦିଲ୍ଲୀ : ଆପଣ ଆପଣଙ୍କ ଦୈନନ୍ଦିନ ଜୀବନରେ କେଉଁଠି ନା କେଉଁଠି ଭିକାରି ମାନଙ୍କୁ ଦେଖିବା ସହ ସେମାନଙ୍କୁ ଆବଶ୍ୟକ ମୁତାବକ ସାହାଯ୍ୟ ମଧ୍ୟ କରୁଥିବେ । ତେବେ ଆପଣଙ୍କ ମନରେ ଏହା ପ୍ରଶ୍ନ ମଧ୍ୟ ଆସୁଥିବ ଯେ ଭିକ୍ଷାବୃତ୍ତିରୁ ଭିକାରିମାନେ ଏମିତି କେତେ ଆୟ କରୁଥିବେ । ତେବେ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ଭାରତରେ ଏମିତି ଅନେକ ଭିକାରି ଅଛନ୍ତି ଯେଉଁମାନେ ଲକ୍ଷପତି ହେବା ସହ ଦିଲ୍ଲି, ମୁମ୍ବାଇ ଭଳି ବଡବଡ ସହର ମାନଙ୍କରେ ମଧ୍ୟ ସେମାନଙ୍କ ସମ୍ପତ୍ତି ରହିଛି । ପାକିସ୍ତାନରେ ମଧ୍ୟ ଏଇଭଳି ଜଣେ ଧନି ଭିକାରୀ ପରିବାରର କଥା ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୋକ ସହ ସଂଗ୍ରାମ କରୁଥିବା ପାକିସ୍ତାନର ୨୦,୦୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ କରି ଏବେ ଚର୍ଚ୍ଚାରେ ଏହି ଭିକାରି ପରିବାର । ଏହି ବିଶାଳ ଭୋଜିର ଭିଡିଓ ଭାଇରାଲ ହେଉଛି ।
ପାକିସ୍ତାନର ଗୁଜ୍ଜରନୱାଲା ସହରରେ ଭିକ୍ଷାବୃତ୍ତି କରି ଚଳୁଥିବା ଏକ ଭିକାରି ପରିବାର ନିଜର ବୃଦ୍ଧ ଜେଜେମା’ଙ୍କ ମୃତ୍ୟୁର ୪୦ଦିନର କର୍ମ(ଚେହଲମ)ରେ ଏକ ଭବ୍ୟ ଭୋଜିର ଆୟୋଜନ କରିଥିଲେ । ଆଉ ଭୋଜି ଖାଇବାକୁ ଆସିଥିଲେ ୨୦,୦୦୦ରୁ ଅଧିକ ଲୋକ । ଯାଇତାଇ ନୁହେଁ, ପାକିସ୍ତାନର ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନର ଆୟୋଜନ ହୋଇଥିଲା । ମଟନ, ଚିକେନ ଓ ମାଛ ଆଦି କେତେ କଣ । ମଟନ ପାଇଁ ଭୋଜିରେ ୨୫୦ରୁ ଅଧିକ ଛେଳି ମରାଯାଇଥିଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଭବ୍ୟ ଭୋଜି ଆୟୋଜନରେ ୧. ୨୫ କୋଟି ପାକିସ୍ତାନି ମୁଦ୍ରା ଖର୍ଚ୍ଚ ହୋଇଥିଲା ଯାହା ଭାରତୀୟ ମୁଦ୍ରାରେ ୪୦ଲକ୍ଷ ଟଙ୍କା ହେବ । ବିବାହ ଉତ୍ସବରେ ମଧ୍ୟ ଏତେ ଟଙ୍କା ଖର୍ଚ୍ଚ କରିବାକୁ ଧନୀ ଲୋକମାନେ ପଛଘୁଞ୍ଚା ଦେଇଥାନ୍ତି । ଏହି ଭବ୍ୟ ଭୋଜିର ଆୟୋଜନ ପାକିସ୍ତାନର ରହୱାଲି ରେଳ ଷ୍ଟେସନ ନିକଟରେ ହୋଇଥିଲା । ଭୋଜିରେ ପାକିସ୍ତାନର ବିଭିନ୍ନ ଘରୋଇ ଖାଦ୍ୟ ସହ ବିରିୟାନି, କୋରମା, ମୁରବ୍ୱା, ନାନ ମଟର ଗଞ୍ଜ ସାଙ୍ଗକୁ ବିଭିନ୍ନ ମଟନ ଆଇଟମ ମଧ୍ୟ ହୋଇଥିଲା । ଭୋଜିକୁ ଆସୁଥିବା ଲୋକ ମାନଙ୍କୁ ନବା ଆଣିବା କରିବା ପାଇଁ ପ୍ରାୟ ୨୦୦୦ ଭଳି ଗାଡିର ବ୍ୟବସ୍ତା କରାଯାଇଥିଲା ।