25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶମୂଷାଙ୍କ ପାଇଁ ଚିନ୍ତାରେ ପାକ୍ ସଂସଦ, ଶରିଫ୍ ସରକାର; ୧୨ ଲକ୍ଷ ଟଙ୍କାର ବିଲେଇ କିଣିବ...

ମୂଷାଙ୍କ ପାଇଁ ଚିନ୍ତାରେ ପାକ୍ ସଂସଦ, ଶରିଫ୍ ସରକାର; ୧୨ ଲକ୍ଷ ଟଙ୍କାର ବିଲେଇ କିଣିବ ପାକିସ୍ତାନ

ଇସଲାମାବାଦ୍‌: ପାକିସ୍ତାନୀ ସଂସଦରେ ଏବେ ମୂଷାଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ଉତ୍ପାତ ମଧ୍ୟ ବେଶ୍ ବଢ଼ିଯାଇଛି। ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦସ୍ତାବିଜ୍‌, କାଗଜପତ୍ର ତଥା ଅନ୍ୟାନ୍ୟ ଫାଇଲ୍‌ଗୁଡ଼ିକୁ ଏହି ମୂଷାମାନେ କାଟି ଛିନ୍‌ଭିନ୍ନ କରିପକାଉଛନ୍ତି। ଏହାକୁ ନେଇ ପାକିସ୍ତାନ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ତେବେ ସଂସଦ ଭବନରେ ମୂଷାଙ୍କ ଏପ୍ରକାର ଆତଙ୍କକୁ ନେଇ ବ୍ୟସ୍ତବିବ୍ରତ ହୋଇପଡ଼ିଥିବା ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ପାକିସ୍ତାନ ନେତୃତ୍ୱାଧୀନ ସରକାର ଏବେ ଏକ ବଡ଼ ଅଭିନବ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଜୋର ଧରିଛି।
ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଏବେ ସଂସଦଭବନରୁ ମୂଷାଙ୍କୁ ବିଦା କରିବା ପାଇଁ ତଥା ସେମାନଙ୍କ ଦୌରାତ୍ମ୍ୟକୁ ପ୍ରତିହତ କରିବା ପାଇଁ କିଛି ହଣ୍ଟର (ଶିକାରୀ) ବିଲେଇଙ୍କୁ ମୁତୟନ କରିବେ। ତେବେ ଏଥିପାଇଁ ୧୨ ଲକ୍ଷ ଟଙ୍କା
ବ୍ୟୟ ବରାଦିତ ହୋଇଥିବା ବେଳେ ପାକିସ୍ତାନ ସଂସଦ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛି। ପାକିସ୍ତାନର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଏଥିପାଇଁ ୧୨ ଲକ୍ଷ ପାକିସ୍ତାନୀ ଟଙ୍କା ବଜେଟ୍ ଆବଣ୍ଟନ କରିଛି। ପାକିସ୍ତାନ ସରକାର ଏହି ଟଙ୍କାରେ କିଛି ଶିକାରୀ ବିଲେଇ ଏବଂ ମୂଷାଧରା ମେସିନାରୀ ଯନ୍ତ୍ରପାତି (ସ୍ୱତନ୍ତ୍ର ପ୍ରକାରର ମାଉସ ଟ୍ରାପ୍‌) କିଣିବେ ଏବଂ ସେସବୁକୁ ସଂସଦ ଭବନରେ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଆର୍ଥିକ ସଂକଟ ସହ ଜୁଝୁଥିବା ପାକିସ୍ତାନ ଚୀନ୍‌କୁ ଗଧ’ ବିକ୍ରି କରି ଅର୍ଥ ରୋଜଗାର କରୁଥିବା ବେଳେ ଏବେ ସଂସଦରେ ମୂଷାଙ୍କ ମୁକାବିଲା ପାଇଁ ଶିକାରୀ ବିଲେଇମାନଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ପାକିସ୍ତାନୀ ଚ୍ୟାନେଲ ଜିଓ ଟିଭି ସୋମବାର ଏହି ସୂଚନା ଦେଇଛି। ପାକିସ୍ତାନୀ ସଂସଦର ମୂଷା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେମାନେ ସିନେଟ୍ ଏବଂ ଜାତୀୟ ସଭାର ବିଭାଗରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଗୋପନୀୟ ଫାଇଲଗୁଡ଼ିକୁ ନଷ୍ଟ କରିପକାଉଛନ୍ତି। ଏପରିକି ମୂଷାପଲ କମ୍ପ୍ୟୁଟର ତାର ମଧ୍ୟ କାଟି ଦେଉଛନ୍ତି। ଅନ୍ୟପକ୍ଷେ ଏହି ମୂଷାଗୁଡ଼ିକୁ ହଟାଇବା ପାଇଁ ସିଡିଏ ବେସରକାରୀ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ଯୋଜନା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking