21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଭୟରେ ବିଳିବିଳାଉଛି ପାକିସ୍ତାନ; ବାଚାଳଙ୍କ ଭଳି ଧମକ ଦେଉଛନ୍ତି ପାକ୍ ନେତା

ଭୟରେ ବିଳିବିଳାଉଛି ପାକିସ୍ତାନ; ବାଚାଳଙ୍କ ଭଳି ଧମକ ଦେଉଛନ୍ତି ପାକ୍ ନେତା

-କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରିଙ୍କ କଡ଼ା ଜବାବ
– ଚୀନ୍ ଶରଣରେ ପାକ୍ ନେତା ଈଶାକ୍ ଡାର୍‌, ପିଏଲ୍‌-୧୫ ଯୋଗାଇବାକୁ ମିଳିଛି ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପହଲଗାମ୍ ଘଟଣାକୁ ନେଇ ପ୍ରତିଶୋଧପରାୟଣ ହୋଇପଡିଥିବା ଭାରତର ଶକ୍ତ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଭୟଭୀତ ହୋଇପଡିଛି। ପାକିସ୍ତାନର ଭୟ ଏହାର ନେତାଙ୍କ ପାଗଳ ପ୍ରାୟ ବୟାନ୍‌ବାଜିରୁ ସ୍ପଷ୍ଟ ପ୍ରତୀତ ହୋଇପଡୁଛି। ରିପୋର୍ଟ ଅନୁସାରେ ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତକୁ ଧମକ ଦେଇଛନ୍ତି। ସିନ୍ଧୁ ନଦୀରେ ଜଳ ବହିବ ନଚେତ୍ ଭାରତୀୟଙ୍କ ରକ୍ତ ବହିବ ବୋଲି ସେ କହିଛନ୍ତି। ତାଙ୍କର ଏପ୍ରକାର ବିବୃତ୍ତି ସେତେବେଳେ ଆସିଛି ଯେତେବେଳେ ଭାରତ ସରକାର ପାକିସ୍ତାନ ସହ ୧୯୭୨ରେ ସ୍ୱାକ୍ଷରିତ ହୋଇଥିବା ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ସହ ସିନ୍ଧୁ ନଦୀରେ ଜଳ ନ ଛାଡିବା ଉପରେ ବିଚାର କରୁଛନ୍ତି। ସିନ୍ଧୁ ନଦୀ ଉପତ୍ୟତା ପାର୍ଶ୍ୱବର୍ତ୍ତୀ ସୁକ୍କୁର ଅଞ୍ଚଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଭୁଟ୍ଟୋ କହିଛନ୍ତି, ପହଲଗାମ ଆକ୍ରମଣକୁ ନେଇ ଭାରତ ପାକିସ୍ତାନକୁ ଦୋଷ ଦେଉଛି। ମୋଦୀ ନିଜର ଦୁର୍ବଳତା ଲୁଚାଇବାକୁ ମିଥ୍ୟା ଅଭିଯୋଗ କରୁଛନ୍ତି। ସେ ଏକପାଖିଆ ଭାବେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ସିନ୍ଧୁ ନଦୀ ପାକିସ୍ତାନର। ଏହା ସବୁଦିନ ପାଇଁ ପାକିସ୍ତାନର ରହିବ। ଏଥିରେ ଜଳ ପ୍ରବାହିତ ହେବ ନଚେତ ଭାରତୀୟଙ୍କ ରକ୍ତ।

ଅନ୍ୟପକ୍ଷେ ବିଲାୱଲ୍‌ଙ୍କ ଏପ୍ରକାର ଧମକର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରି। ଶ୍ରୀ ପୁରି କହିଛନ୍ତି, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ବିଲାୱଲ୍ ଏବେ ପାଗଳଙ୍କ ପ୍ରାୟ ବାଚାଳାମି କରୁଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ବି ନାହିଁ। ପାକିସ୍ତାନରେ ଏପ୍ରକାର ଅସୁସ୍ଥ ମାନସିକତାଧାରୀ ନେତାଙ୍କ ସଂଖ୍ୟା ଅଧିକ ରହିଛି। ତେବେ ବିଲାୱଲ ଯେଉଁ ଚେତାବନୀ ଦେଉଛନ୍ତି ଯେ, ସିନ୍ଧୁ ଜଳ ନ ପ୍ରବାହିତ ହେଲେ ଭାରତୀୟଙ୍କ ରକ୍ତ ବହିବ ତାହା ସମ୍ପୂର୍ଣ୍ଣ ଫମ୍ପା ଶବ୍ଦ ଛଡା କିଛି ବି ନୁହେଁ। ସେ ନିଜେ ନିଜର ରକ୍ତ ବୁହାନ୍ତୁ। କିନ୍ତୁ ଯଦି ଭାରତ ସିନ୍ଧୁ ଜଳ ନ ଛାଡିବ ସେ ସେତକ ବି କରିପାରିବେନି। ନଦୀରେ ଜଳ ନଥିଲେ ସେ କେଉଁଠିକୁ ଡେଇଁବେ? ସୁତରାଂ ଗଣମାଧ୍ୟମ ଏସବୁ ବୟାନ୍‌ବାଜିକୁ ବେଶି ଗୁରୁତ୍ୱ ଦେବା ଉଚିତ୍ ନୁହେଁ। ପହଲଗାମରେ ଯାହା କିଛି ଘଟିଲା ସମଗ୍ର ବିଶ୍ୱ ଏହାର ସାକ୍ଷୀ ରହିଛି। ଏହା ଏକ ବ୍ୟକ୍ତିବିଶେଷ ସ୍ତରରେ ନୁହେଁ ବରଂ ଏକ ଦେଶର ପ୍ରାୟୋଜିତ ଆଧାରରେ ଭିଆଯାଇଛି। ଯେଉଁମାନେ ଏହା ପଛରେ ଅଛନ୍ତି ସେମାନେ ନିଶ୍ଚିତ ରୂପେ ଉଚିତ୍ ଶିକ୍ଷା ପାଇବେ।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ମଧ୍ୟ ଭାରତକୁ ଏକ ପ୍ରସ୍ତାବ ଦେବାକୁ ଆଗେଇ ଆସିଛନ୍ତି। ସେ କହିଛନ୍ତି ପହଲଗାମ୍ ଘଟଣାରେ ଏକ ନିରପେକ୍ଷ ତଦନ୍ତ ହେବା ଉଚିତ୍‌, ଆଉ ଏଥିପାଇଁ ପାକିସ୍ତାନ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ଭାରତ କୌଣସି ପ୍ରମାଣ ବିନା ପାକିସ୍ତାନ ଉପରେ ଅଭିଯୋଗ ଆଣୁଛି। ପାକିସ୍ତାନ ଏକ ଦାୟିତ୍ୱବାନ ଦେଶ ଏବଂ ଏହା ଯେକୌଣସି ନିରପେକ୍ଷ ତଦନ୍ତରେ ସାହାଯ୍ୟ କରିବାକୁ ପ୍ରସ୍ତୁତ। ପହଲଗାମ୍ ଘଟଣା ପରେ ଯେତେବେଳେ ଭାରତ ସରକାର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ ସେତେବେଳେ ଶେହବାଜ୍ ମଧ୍ୟ ଭାରତକୁ ନାଲି ଆଖି ଦେଖାଇଥିଲେ। କିନ୍ତୁ ଏବେ ଯେତେବେଳେ ଭାରତ ସବୁପ୍ରକାର ଦ୍ୱିପାକ୍ଷିକ ସମ୍ପର୍କ ତଥା ପୁରୁଣା ଚୁକ୍ତି ସବୁକୁ ରଦ୍ଦ କରିଦେଇଛି ଏବଂ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ସେତେବେଳେ ଉପାୟଶୂନ୍ୟ ହୋଇପଡିଥିବା ଶେହବାଜ୍ ଶରିଫ୍ ନୀରପେକ୍ଷ ତଦନ୍ତର ପ୍ରସ୍ତାବ ଦେବାର ନାଟକ ଆରମ୍ଭ କରିଛନ୍ତି। ଯାହାକୁ ଭାରତ ପ୍ରତ୍ୟାଖାନ କରିବା ନିଶ୍ଚିତ। ଭାରତ ଏବେ ଆଉ କୌଣସି ପ୍ରକାର ପ୍ରସ୍ତାବ, ମଧ୍ୟସ୍ଥତା ଆଧାରରେ ପାକିସ୍ତାନ ସହ କଥାବାର୍ତ୍ତା କରିବାକୁ ମଧ୍ୟ ଚାହୁଁନଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତିକ୍ରିୟାର ସ୍ପଷ୍ଟ ହୋଇସାରିଛି।

ଏସବୁ ମଧ୍ୟରେ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିର ପୁଣିଥରେ ଭଡକାଉ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଯେଉଁ ବୟାନ୍ ପରେ ପରେ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି, ଆଜି ପୁଣିଥରେ ସେ ନିଜ ପୁରୁଣା କଥାକୁ ଦୋହରାଇଛନ୍ତି। ସେ କହିଛନ୍ତି ହିନ୍ଦୁ-ମୁସଲମାନ ଦୁଇଟି ଭିନ୍ନ ସମ୍ପ୍ରଦାୟ। ଉଭୟ ଏକାଠି ଶାନ୍ତିରେ କଦାପି ରହିପାରିବେ ନାହିଁ। ଆମେ ଭାରତକୁ ଜବାବ ଦେବାକୁ ପ୍ରସ୍ତୁତ। ପୂର୍ବପୁରୁଷମାନେ ପାକିସ୍ତାନ ସୃଷ୍ଟି କରିବା ପାଇଁ ଅନେକ ବଳିଦାନ ଦେଇଥିଲେ ଏବଂ ତାଙ୍କ ସେନା ଦେଶକୁ ସୁରକ୍ଷା ଦେବା ପାଇଁ କୌଣସି ବଳିଦାନ ଦେବାକୁ ପଛଘୁଞ୍ଚା ଦେବ ନାହିଁ। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଏବେ ଚୀନ୍ ଶରଣରେ ପଶିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୂତଙ୍କୁ ଭେଟି ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଡାର ସାହାଯ୍ୟ ମାଗିଥିବା ଜଣାପଡିଛି। ଏସବୁ ମଧ୍ୟରେ ପାକିସ୍ତାନକୁ ଚୀନ୍ ପିଏଲ-୧୫ ମିସାଇଲ୍ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking