17.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ

ଇସଲାମାବାଦ : ଭାରତ ପାଇଁ ଆଉ ଏକ ବଡ଼ ବିପଦ ଘନୀଭୂତ ହେବାରେ ଲାଗିଛି । ପାକିସ୍ତାନ ଏବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନିଜ ଏକ ଘାତକ ଅସ୍ତ୍ର ଭାବେ ଭାରତ ବିରୋଧରେ ବ୍ୟବହାର କରିବାକୁ ଯୋଜନା କରୁଛି । ଏଭଳି କିଛି ରିପୋର୍ଟ ହସ୍ତଗତ ହୋଇଛି । ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଭାରତ ବିରୋଧରେ ରୋହିଙ୍ଗ୍ୟାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରିବା ପାଇଁ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଇଏମ୍‌) ଯୋଜନା କରୁଛି । ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଆତଙ୍କବାଦୀ ଭାବେ ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ଭାରତରେ ଆତଙ୍କବାଦର ଖେଳ ଖେଳିବା ପର୍ଯ୍ୟନ୍ତ ସବୁକିଛି ଦାୟିତ୍ୱ ଜେଇଏମ୍ ଗ୍ରହଣ କରିଛି । ତେବେ ଏସବୁ ପାଇଁ ପାକିସ୍ତାନ, ଜେଇଏମ୍‌କୁ ପ୍ରଚୁର ଅର୍ଥ ଯୋଗାଇବ ବୋଲି ମଧ୍ୟ ଜଣାପଡିଛି ।

ଗୁଇନ୍ଦା ବିଭାଗ ଦର୍ଶାଇଛି ଯେ, ଜେଇଏମ୍ ଠାରୁ ଆତଙ୍କବାଦୀ ଭାବେ ଟ୍ରେନିଂ ପାଇବା ପରେ ଏହି ରୋହିଙ୍ଗ୍ୟା ଆତଙ୍କବାଦୀମାନେ କେବଳ କାଶ୍ମୀରରେ ନୁହେଁ ବରଂ ଭାରତର ପଡ଼ୋଶୀ ଦେଶ ମିଆଁମାରରେ ମଧ୍ୟ ନିଜର କାୟା ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି । ଜେଇଏମ୍ ଏହି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ୍‌ୁ ଦୁଇଟି କଥା କହି ପ୍ରଲୋଭିତ କରୁଛି । ପ୍ରଥମତଃ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦେବ ଏବଂ ସେମାନଙ୍କୁ ମିଆଁମାର ସେନା ବିରୋଧରେ ସ୍ୱର ଉତ୍ତୋଳନ କରିବା ଦିଗରେ ସାମରିକ ଭାବେ ସଶକ୍ତ କରିବ । ତେବେ ଏସବୁ ପାଇଁ ପ୍ରଥମେ ଭାରତରେ ବିଶେଷକରି କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ହେବ ବୋଲି ଜେଇଏମ୍ ଏହି ନୀରିହ ରୋହିଙ୍ଗ୍ୟାଙ୍କ ନିକଟରେ ସର୍ତ୍ତ ରଖିଛି । ତେବେ ଅନେକ ରୋହିଙ୍ଗ୍ୟା ଏସବୁ କରିବାକୁ ମନା କରୁଥିବା ବେଳେ ଅନେକ ରୋହିଙ୍ଗ୍ୟା କେବଳ ନିଜ ପରିବାରଙ୍କ ମୁହଁକୁ ଚାହିଁ ଜେଇଏମ୍‌ର ଏପ୍ରକାର ପ୍ରସ୍ତାବରେ ରାଜି ହେଉଛନ୍ତି ।

ଗୁଇନ୍ଦା ରିପୋର୍ଟ ଏବଂ ସାମ୍ନାକୁ ଆସିଥିବା କିଛି ଫଟୋ ସ୍ପଷ୍ଟ କରୁଛି ଯେ ମସୁଦ ଆଝାରଙ୍କ ନେତୃତ୍ୱରେ ଏହି ଆତଙ୍କବାଦୀ ସଂଗଠନ ଏବେ ରୋହିଙ୍ଗ୍ୟା ମୁସଲିମ ଯୁବକଙ୍କୁ ମୌଳବାଦୀ କରୁଛି ଏବଂ ମିଆଁମାରରେ ଏକ ଜିହାଦୀ ନେଟୱାର୍କ ସୃଷ୍ଟି କରୁଛି । ରିପୋର୍ଟ ଅନୁଯାୟୀ, ଜୈଶ ମିଆଁମାରକୁ ନିକଟରେ ପ୍ରାୟ ୪୨ ଲକ୍ଷ ଟଙ୍କା (ପ୍ରାୟ ୫୦ ହଜାର ଡଲାର) ପଠାଇଛି । ଏହି ଟଙ୍କା “ବର୍ମି ମୁଜାହିଦ୍ଦିନ”ଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଅପରେଶନ ପାଇଁ ଦିଆଯାଇଛି । ଜୈଶ-ଏ-ମହମ୍ମଦ ରୋହିଙ୍ଗା ସମ୍ପ୍ରଦାୟର ବେକାର ଏବଂ କ୍ରୋଧିତ ଯୁବକମାନଙ୍କୁ ନିଜ ଜାଲରେ ଫସାଉଛି । ମିଆଁମାରର ରାଖାଇନ ରାଜ୍ୟ ପୂର୍ବରୁ ଅଶାନ୍ତ ରହିଛି । ତେଣୁ ସେଠାରେ ମୌଳବାଦୀ ସଂଗଠନ ପାଇଁ ଭୂମି ପ୍ରସ୍ତୁତ ହେଉଛି । ଏହା ମଧ୍ୟ ଆଶଙ୍କା ରହିଛି ଯେ ଜୈଶ ଏହି ରୋହିଙ୍ଗ୍ୟା ଯୁବକମାନଙ୍କୁ ଭାରତରେ ଉପସ୍ଥିତ ଶରଣାର୍ଥୀଙ୍କ ମାଧ୍ୟମରେ କାଶ୍ମୀର କିମ୍ବା ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ ପାଇଁ ବ୍ୟବହାର କରିବ ।

ପ୍ରକାଶ, ହଜାର ହଜାର ରୋହିଙ୍ଗା ଶରଣାର୍ଥୀ ପୂର୍ବରୁ ଜମ୍ମୁ ଏବଂ କଶ୍ମୀର, ଦିଲ୍ଲୀ ଏବଂ ହାଇଦ୍ରାବାଦରେ ରହୁଛନ୍ତି । ମିଆଁମାରରେ ଜୈଶର ଉପସ୍ଥିତି ଭାରତ ପାଇଁ ସିଧାସଳଖ ବିପଦ ହୋଇପାରେ, ବିଶେଷକରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ । ମଣିପୁର, ମିଜୋରାମ ଏବଂ ନାଗାଲାଣ୍ଡ ଭଳି ରାଜ୍ୟ ମିଆଁମାର ସହିତ ସଂଲଗ୍ନ । ଏହି ଅଞ୍ଚଳଗୁଡ଼ିକରେ ପୂର୍ବରୁ ବିଦ୍ରୋହର ସମସ୍ୟା ରହିଛି । ଏବେ ଯଦି ଜୈଶ ମିଆଁମାରରେ ଏକ ଘାଟି ସ୍ଥାପନ କରେ, ତେବେ ସେଠାରୁ ଆତଙ୍କବାଦୀ ଏବଂ ଅସ୍ତ୍ରଶସ୍ତ୍ର ଭାରତରେ ଅନୁପ୍ରବେଶ କରିବା ସହଜ ହୋଇଯିବ । ଗୋଟିଏ ପଟେ ଭାରତ-ମିଆଁମାର ମଧ୍ୟରେ ଏବେ ଦ୍ୱିପାକ୍ଷିକ ସମ୍ପର୍କ ସୁଧାର ଦିଗରେ ପ୍ରୟାସ କରାଯାଉଥିବା ବେଳେ ଯଦି ମିଆଁମାର ମାଟିରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚାଯାଏ, ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ପାକିସ୍ତାନ ଏହା ହିଁ ଚାହୁଁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking