27.1 C
Bhubaneswar
Tuesday, September 17, 2024
Homeଓଡିଶାଅତିଥି ଦେବୋ ଭବଃ’ ମନ୍ତ୍ରକୁ ଆଧାର କରି କାର୍ଯ୍ୟ କର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

ଅତିଥି ଦେବୋ ଭବଃ’ ମନ୍ତ୍ରକୁ ଆଧାର କରି କାର୍ଯ୍ୟ କର: ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(OTDC)ର ୪୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର  :  ଆଜି ଭୁବନେଶ୍ଵରସ୍ଥିତ ପାନ୍ଥନିବାସଠାରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡ଼ିସି)ର ୪୫ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଯାଇଛି | ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଟିଡ଼ିସି, ଓଡ଼ିଶାକୁ ଏକ ସୁପ୍ରତିଷ୍ଠିତ ବ୍ରାଣ୍ଡ ବୋଲି ଉଲ୍ଲେଖ କରିଥିଲେ | ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ପାଖେ ଅସୀମ ସୁଯୋଗ ଉପଲବ୍ଧ ଅଛି । ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଏହାର ପର୍ଯ୍ୟଟନ କ୍ଷେତ୍ର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସେ ମତବ୍ୟକ୍ତ କରିଥିଲେ | ସମଗ୍ର ଭାରତରେ ଓଡ଼ିଶାକୁ ଏକ ପର୍ଯ୍ୟଟନ ହବ୍ କରିବା ପାଇଁ ଆମ ସମସ୍ତକୁ ଏକଜୁଟ ହୋଇ କାମ କରିବାକୁ ସେ ଆହ୍ଵାନ କରିଛନ୍ତି | ସୁସ୍ୱାଦୁ ଖାଦ୍ୟ, ସ୍ଵଚ୍ଛତା, ପରିମଳ ସହ ଅତ୍ୟାଧୁନିକ ବ୍ୟବସ୍ଥା ଯୋଗାଇ ଦେଇ ଆମେ ପର୍ଯ୍ୟଟକମାନଙ୍କୁ ଏକ ସୁନ୍ଦର ଅନୁଭୂତି ପ୍ରଦାନ କରିପାରିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ମତ ପ୍ରକାଶ କରିଛନ୍ତି |

ରାଜ୍ୟ ପର୍ଯ୍ୟଟନ ବିଭାଗର ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ ଭିତ୍ତିଭୂମି ସ୍ଥାପନରେ ନିଗମ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି ବୋଲି ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂ ଉଲ୍ଲେଖ କରିଛନ୍ତି | ଓଡ଼ିଶାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉଚ୍ଚଶ୍ରେଣୀର ସେବା ଯୋଗାଇ ଦେବା ପାଇଁ ଆମେ ପ୍ରୟାସ ଜାରି ରଖିବୁ ବୋଲି ସେ ମତବ୍ୟକ୍ତ କରିଛନ୍ତି |

ପର୍ଯ୍ୟଟକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା ନିମନ୍ତେ ଏହି ଅବସରରେ ଓଟିଡ଼ିସିର ୧୪ଟି ୟୁନିଟକୁ ପୁରସ୍କୃତ କରାଯାଇଛି | ସର୍ବାଧିକ ବାର୍ଷିକ ଆୟ ପାଇଁ ପୁରୀ ପାନ୍ଥନିବାସ, ଉତ୍ତମ ପର୍ଯ୍ୟଟକ-ଅନୁକୂଳ ୟୁନିଟ୍ ପାଇଁ ଗୋପାଳପୁର ପାନ୍ଥନିବାସ, ଓ ଉତ୍ତମ ପରିବେଶ ପାଇଁ ରାଉରକେଲାକୁ ପୁରସ୍କୃତ କରାଯାଇଛି । ଏହାସହ ଓଟିଡ଼ିସିର ଆତିଥ୍ୟ, ହାଉସକିପିଂ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ବିଭାଗର ଶ୍ରେଷ୍ଠ ୨୨ ଜଣ ଯୋଗ୍ୟ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି ।ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଟିଡ଼ିସି ପକ୍ଷରୁ ଏକ ବେକରୀ ଭ୍ୟାନକୁ ଉଦଘାଟନ କରିଥିଲେ|

ଏହି ଅବସରରେ ଓଟିଡ଼ିସି ଜେନେରାଲ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ସ୍ଵାଗତ ଭାଷଣ ଦେବା ସହ ଓଟିଡ଼ିସି କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ବେଣୁଧର ପାତ୍ର କର୍ମଚାରୀମାନଙ୍କ କଲ୍ୟାଣ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଟିଡ଼ିସି ବୋର୍ଡର ନିର୍ଦ୍ଦେଶକମାନଙ୍କ ସହ ଅନ୍ୟାନ୍ୟ ଅଧିକାରୀବୃନ୍ଦ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking