ଭୁବନେଶ୍ୱର: ଓଡିଶାର ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ପ୍ରତିଯୋଗୀ କରିବା ଲକ୍ଷ୍ୟରେ ସ୍ଥାନୀୟ ମେ ଫେୟାର୍ କନଭେନସନ୍ ଠାରେ ଏକ “କମ୍ପୋଜିଟ୍ କମ୍ପିଟେଟିଭନେସ୍ ସଚେତନତା କର୍ମଶାଳା” ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ନୀତି ନିର୍ମାତା, ଶିଳ୍ପ ଉଦ୍ୟୋଗୀ, ପରାମର୍ଶଦାତା, ଏମ୍ଏସ୍ଏମ୍ଇ ଅନୁଷ୍ଠାନରୁ ୨୦୦ରୁ ଅଧିକ ଯୋଗ ଦେଇ ପ୍ରତିସ୍ପର୍ଦ୍ଧା ବୃଦ୍ଧି, ସହଜ ଋଣ ସୁବିଧା, ସଶକ୍ତ ବଜାର ସଂଯୋଗ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରୀୟ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଅତୀଶ କୁମାର ସିଂହ, ଅଧିକ ପୁଞ୍ଜି ନିବେଶ ଓ ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଥିଲେ । ଏମ୍ଏସ୍ଏମ୍ଇ ମନ୍ତ୍ରାଳୟର ନିର୍ଦ୍ଦେଶକ ଅଙ୍କିତା ପାଣ୍ଡେ ରାମ୍ପ କାର୍ଯ୍ୟକ୍ରମର ଭୂମିକା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଦକ୍ଷତା ବୃଦ୍ଧି, ଜ଼େଡ୍ ସାର୍ଟିଫିକେସନ୍ ଓ ଅନଲାଇନ୍ ବିବାଦ ସମାଧାନ ଉପରେ ସେ ପ୍ରାଧାନ୍ୟ ଦେଇଥିଲେ । ଓଡିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ରଶ୍ମିତା ପଣ୍ଡା ଇ-କମର୍ସ ଓ ବିପଣନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମତ ବ୍ୟକ୍ତ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ ପି. କେ. ଗୁପ୍ତା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଜୋର ଦେଇଥିବା ବେଳେ ନ୍ୟାସନାଲ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ମୁଖ୍ୟ ଡ଼. ମିଲନ୍ ଶର୍ମା ରାମ୍ପ ୱାର୍ଲ୍ଡ ବ୍ୟାଙ୍କ ସହଯୋଗିତାରେ ଚାଲିଥିବା ରାମ୍ପ ଯୋଜନାର ବହୁମୁଖୀ ଉଦ୍ଦେଶ୍ୟ ଉପରେ ଅବଗତ କରାଇଥିଲେ । ଉଦ୍ୟୋଗୀମାନେ ତାଙ୍କର ସଫଳତା କାହାଣୀ ଉପସ୍ଥାପନ କରିଥିଲେ । ସରକାରୀ ସହାୟତା ଓ ଡିଜିଟାଲ୍ ବ୍ୟବସ୍ଥା ବ୍ୟବସାୟ ବୃଦ୍ଧିରେ ସହାୟକ ହୋଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଯୁଗ୍ମ ସଚିବ ପ୍ରଫୁଲ୍ଲ କୁଜୁର ଏବଂ ଉପ-ନିର୍ଦ୍ଦେଶକ ନିତିଶା ମାନ୍ନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କର୍ମଶାଳା କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ଏବଂ ଏମ୍ଏସ୍ଏମ୍ଇ-ଡିଏଫଓ, କଟକଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।










