ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଆଜି ପଞ୍ଚମ ଦିନ । ଚାଲିପାରିଲାନି ଗୃହ । ବିରୋଧୀଙ୍କ ହୋହଲ୍ଲାରେ ଧୋଇ ହୋଇଗଲା ପ୍ରଶ୍ନକାଳ । ଏନେଇ ୧୧ଟା ୩୦ ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ସଦସ୍ୟ ଗୃହରେ ହଟ୍ଟଗୋଳ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ବିରୋଧୀ ସଦସ୍ୟ ନାରାବାଜି କରିଥିଲେ । ଚାଷୀ ସମସ୍ୟା ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତିବାଦ କରିଛନ୍ତି । ମୁଣ୍ଡରେ କଳାପଟି ବାନ୍ଧି ସମାନ ପ୍ରସଙ୍ଗରେ ପ୍ରତିବାଦ କରୁଛି କଂଗ୍ରେସ । ହଟ୍ଟଗୋଳ ହୋହଲ୍ଲା ମଧ୍ୟରେ ବି କିଛି ସମୟ ପାଇଁ ପ୍ରଶ୍ନୋତ୍ତର କାର୍ଯ୍ୟ ଚାଲିଥିଲା । ପରେ ଅତ୍ୟଧିକ ବିଶୃଙ୍ଖଳା ହେବାରୁ ଗୃହ କାର୍ଯ୍ୟ ଆଉ ଆଗକୁ ବଢିନଥିଲା । ବାଚସ୍ପତି ନିଜେ ବିରୋଧୀଙ୍କୁ ନିଜ ଜାଗାକୁ ଯିବା ପାଇଁ ଅନୁରୋଧ କରିଥଲେ ହେଁ, ଜାଗାକୁ ଯାଇନଥିଲେ । ହାତରେ ପ୍ଲାକାର୍ଡ, ପୋଷ୍ଟର ଧରି ଚାଷୀ ସମ୍ୟା, ମଣ୍ଡି ସମସ୍ୟା, କଟନୀ ଛଟନୀ ଏସବୁ କୁ ନେଇ ନାରାବାଜି କରିଥିଲେ ବିରୋଧୀ । ଫଳରେ ଗୃହ ଚାଲିନଥିଲା । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସୂଚନାଥାଉକି, ଗତକାଲି ମଧ୍ୟ ସମାନ ଢଙ୍ଗରେ ସମାନ ପ୍ରସଙ୍ଗକୁ ନେଇ ପ୍ରତିବାଦ କରିଥିଲେ ଉଭୟ କଂଗ୍ରସ ଓ ବିଜେଡି । ଆଉ ବାଚସ୍ପତି ବାରମ୍ବାର ଗୃହକୁ ମୁଲତବୀ କରିଥିଲେ । ତେବେ ପ୍ରଶ୍ନ ଉଠୁଛି ଯେ, ଯଦି ଏଭଳି ବାରମ୍ବାର ମୁଲତବୀ ହୁଏ, ତେବେ ସମସ୍ୟାର ସମାଧାନ କିପରି ହେବ । ଲୋକମାନଙ୍କ ପ୍ରଶ୍ନ ର ଉତ୍ତର ପାଇବେ କିପରି । ୧୧.୩୦ ପରେ ବିରୋଧୀ ଏଭଳି ପ୍ରତିବାଦ ଜାରି ରଖିବେ ନା, ଗୃହ ଚଳାଇବାକୁ ଦେବେ ତା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।










