ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହୋହଲ୍ଲା କରିଥିଲେ ବିରୋଧୀ ଦଳ । ହୋହଲ୍ଲା ଭିତରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ୨୧ ମିନିଟ ଧରି ଆଲୋଚନା ଚାଲିଥିଲା । ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ପ୍ରସଙ୍ଗରେ ବିଜେଡି ବିଧାୟକମାନେ ପୋଡିୟମ ତଳକୁ ଆସି ପ୍ରତିବାଦ କରିଥିଲେ । ଅନ୍ୟପଟେ କଂଗ୍ରେସ ବିଧାୟକମାନେ ବିଜେଡି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ ଏବଂ ବିଜେଡି – ବିଜେପି ଭାଇଭାଇ କହି ନିଜ ସ୍ଥାନରେ ରହି ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ । ଯାହା ଫଳରେ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବାଚସ୍ପତି ସୁରମା ପାଢୀ ଛିଡା ହୋଇ ବିରୋଧୀ ଦଳକୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଏବଂ ନିଜ ସ୍ଥାନକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ନିଜ ଜାଗାକୁ ଯିବାକୁ ପ୍ରସ୍ତୁତ ନଥିଲେ । ଆହୁରି ହୋହାଲ୍ଲା କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଏନେଇ ବାଚସ୍ପତି ସୁରମାପାଢୀ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।










