-୧୪ରୁ ୧୪ ବିଧାୟକ ନିଲମ୍ବିତ
-କଂଗ୍ରେସ ସହ ରାସ୍ତାରେ ବିଜେଡିର ନାରାବାଜି
ଭୁବନେଶ୍ୱର: ବିଧାନସଭାରେ ଏବେ ଚାଲିଛି ହାଇଡ୍ରାମା। ପ୍ରଥମର ଥର ପାଇଁ ଗୋଟିଏ ଦଳର ସମସ୍ତ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଯାହା ଓଡ଼ିଶା ବିଧାନସଭା ଇତିହାସରେ ଏକ ଅଲୋଡ଼ା ଅଧ୍ୟାୟ ସୃଷ୍ଟି କରିଛି। ବିଶୃଙ୍ଖଳିତ ଆଚରଣ ପାଇଁ ଏକା ସାଙ୍ଗରେ କଂଗ୍ରେସର ସବୁ ବିଧାୟକ ଗୃହରୁ ନିଲମ୍ବିତ ହେବା ରାଜ୍ୟ ରାଜନୀତିରେ ପ୍ରଥମ। ବିଧାନସଭାରେ ଘଣ୍ଟ, ଗିିନି ଓ ତୁରୀ ବଜାଇ ବିଶୃଙ୍ଖଳା କରିବା ପରେ ମଙ୍ଗଳବାର କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ୧୨ଜଣ କଂଗ୍ରେସ ବିଧାୟକଙ୍କୁ ବାଚସ୍ପତି ସୁରମା ପାଢ଼ୀ ଗୃହରୁ ନିଲମ୍ବିତ କରିଥିଲେ। ତେବେ ବୁଧବାର ଆଉ ବାକି ୨ ବିଧାୟକଙ୍କୁ ବାଚସ୍ପତି ସୁରମା ପାଢ଼ୀ ୭ ଦିନ ପାଇଁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ତାରା ବାହିନୀପତି ଓ ରମେଶ ଜେନା। ଏମାନଙ୍କୁ ମିଶାଇ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଅଲ୍ଆଉଟ୍ ହୋଇଛି କଂଗ୍ରେସ। ଅନ୍ୟପକ୍ଷରେ ନାରୀ ନିର୍ଯାତନା ପ୍ରସଙ୍ଗ ଓ ଦଳୀୟ ବିଧାୟକଙ୍କ ନିଲମ୍ବନ ପ୍ରତିବାଦରେ ଆଜି କଂଗ୍ରେସ ବିଧାୟକ ଓ କର୍ମୀମାନେ ବିଧାନସଭା ମୁଖ୍ୟ ଗେଟ୍ରେ ତାଲା ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ବିଜେଡି ସଭ୍ୟ ବି ଅନୁରୂପ ଭାବେ ଗେଟ୍ ପାର୍ଶ୍ୱରେ ଥିବା ବ୍ୟାରିକେଡ୍ ଭାଙ୍ଗି ରାସ୍ତାକୁ ଆସିବା ସହ ନାରାବାଜି କରିଥିଲେ। ବିଭିନ୍ନ ପ୍ଲାକାର୍ଡ଼ ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ। ଫଳରେ ବିରୋଧୀଙ୍କ ଦ୍ୱିତୀୟ ଦିନର ହାଇଭୋଲଟେଜ୍ ଡ୍ରାମା ଯୋଗୁଁ ବିଧାନସଭା ପରିସର ଓ ବାହାରେ ରଣକ୍ଷେତ୍ରରେ ପରିଣତ ହୋଇଥିଲା।
ଗତକାଲି ବାଚସ୍ପତିଙ୍କ ନିଲମ୍ବନ ନିର୍ଦ୍ଦେଶ ପରେ ବି କଂଗ୍ରେସ ବିଧାୟକ ଗୃହ ଛାଡ଼ିନଥିଲେ। ଗୃହ ମୁଲତବୀ ହେବା ପରେ ବି ବାଚସ୍ପତିଙ୍କ ପୋଡ଼ିୟମ ତଳେ ବସିରହିଥିଲେ। ସ୍ଥିତି ଏମିତି ହେଲା ଯେ ବିଧାନସଭା ସୁରକ୍ଷାକର୍ମୀଙ୍କ ସହ କଂଗ୍ରେସ ବିଧାୟକମାନେ ମୁହାଁମୁହିଁ ହୋଇଥିଲେ। ଏହାପରେ ବିଧାନସଭା ବାହାରର ଚିତ୍ର ବଦଳିଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ପିସିସି ସଭାପତି ଭକ୍ତ ଦାସଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ଶରତ ରାଉତ ପ୍ରମୁଖ ବିଧାନସଭା ଗେଟ ନିକଟରେ ପହଞ୍ଚି ଗୃହ ଭିତରକୁ ଯିବା ପାଇଁ ପୁଲିସ ସହ ଯୁକ୍ତିତର୍କ କରିଥିଲେ। ସେପଟେ ବିଧାନସଭା ଗେଟ ନିକଟରେ କଂଗ୍ରେସ ନେତା ଓ କର୍ମୀ ଧାରଣା ଦେଇଥିଲେ। ବହୁ ସମୟ ଧରି ଏଭଳି ଡ୍ରାମା ଚାଲିବା ପରେ ପୁଲିସ ଧାରଣାକାରୀଙ୍କୁ ଉଠାଇ ନେଇଥିଲା। ତେବେ ରାତି ପ୍ରାୟ ୨ଟାରେ ଗୃହ ଭିତରେ ଧାରଣାରତ କଂଗ୍ରେସ ବିଧାୟକଙ୍କୁ ବିଧାନସଭାର ସୁରକ୍ଷା କର୍ମୀ ବିଧାନସଭା ବାହାରେ ଛାଡ଼ିଥିଲେ। ପରେ ପୁଲିସ ସମସ୍ତ ବିଧାୟକଙ୍କୁ ନେଇ କଂଗ୍ରେସ ଭବନ ନିକଟରେ ଛାଡ଼ିଥିଲା। ହେଲେ କଥା ସେତିକିରେ ଶେଷ ହୋଇନଥିଲା। ବରଂ ସେଠୁ ଆହୁରି ବଢ଼ିଥିଲା। କଂଗ୍ରେସ ବିଧାୟକମାନେ ରାତିରେ ରାଜରାସ୍ତାରେ ଶୋଇଥିଲେ।
ତେବେ ବୁଧବାର ଦିନ ପ୍ରାୟ ୧୦.୩୦ରେ କଂଗ୍ରେସ ବିଧାୟକ ଓ କର୍ମୀମାନେ ଘଣ୍ଟ ବାଡ଼େଇ ଓ ହୁଳହୁଳି ପକାଇ କଂଗ୍ରେସ ଭବନରୁ ବାହାରିଥିଲେ। ଲୋୟର ପିଏମ୍ଜିରେ ଗୋଟିଏ ପରେ ଗୋଟିଏ ପୁଲିସ ବ୍ୟାରିକେଡ୍କୁ ଭାଙ୍ଗି ବିଧାନସଭା ଭିତରକୁ ପଶିବା ପାଇଁ ଉଦ୍ୟମ କରିଥିଲେ। ଏହା ପରେ ବିଧାନସଭା ମୁଖ୍ୟ ଫାଟକ ନିକଟରେ ଆରମ୍ଭ ହୋଇଥିଲା ପୁଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା। କଂଗ୍ରେସ ବିଧାୟକ ସାଗର ଦାସ ଏକ ଘଣ୍ଟ ସାହାଯ୍ୟରେ ବିଧାନସଭା ଗେଟର ତାଲା ଭାଙ୍ଗିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା। ତେବେ କଂଗ୍ରେସ ବିଧାୟକ ଓ କର୍ମୀଙ୍କୁ ପୁଲିସ ଉଠାଇ ନେଇ କେବଳ ବିଧାୟକ ତାରାବାହିନୀପତି ଓ ରମେଶ ଜେନାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା। ହେଲେ ବାଚସ୍ପତିଙ୍କ ତାଦିଗ ସତ୍ତ୍ୱେ ପୁଣି ଉଭୟ ବିଧାୟକ ଆଜି ଗୃହରେ ଘଣ୍ଟ ବାଡ଼େଇଥିଲେ। ଏଭଳି ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ଉଭୟଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଥିଲେ।
ଅନ୍ୟପକ୍ଷରେ ବୁଧବାର ପୂର୍ହାହ୍ଣ ସାଢ଼େ ଦଶରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସକୁ ସାଥ୍ ଦେଇ ବିଜେଡି ସଭ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ। ଗୃହରେ ଏଭଳି ଅଗଣତାନ୍ତ୍ରିକ ନୀତିକୁ ବିରୋଧ କରିବା ସହ ଓବିସି ସଂରକ୍ଷଣ ଦାବିରେ ବିଜେଡି ସଭ୍ୟ କକ୍ଷତ୍ୟାଗ କରି ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବାକୁ ଯାଉଥିଲେ। ସେମାନେ ଚାଲି ଚାଲି ଯାଇ ଗେଟ୍ ବାହାରକୁ ଯିବାବେଳେ ପୁଲିସ୍ ପ୍ରତିରୋଧ କରିବା ସହ ଗେଟ୍ରେ ତାଲା ପକାଇ ଦେଇଥିଲା। ଇତ୍ୟବସରରେ ନିଲମ୍ବିତ କଂଗ୍ରେସ ବିଧାୟକମାନେ ବିଧାନସଭା ବ୍ୟାରିକେଟ୍ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ୍ ବ୍ୟାରିକେଡ୍ ସହ ମୁଖ୍ୟ ଗେଟ୍ରେ ତାଲା ପକାଇ ଦେଇଥିବାରୁ ସେମାନେ ତାହାକୁ ପ୍ରବଳ ବିରୋଧ କରିଥିଲେ। ବିଧାନସଭା ଭିତର ପଟୁ ବିଜେଡି ସଭ୍ୟମାନେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିଲାବେଳେ କଂଗ୍ରେସ ସଭ୍ୟମାନେ ବାହାର ପଟୁ ଗେଟ୍ରେ ତାଲା ଭାଙ୍ଗି ଦେଇଥିଲେ। ପୁଲିସ୍ ଓ ବିଧାନସଭା ସୁରକ୍ଷା କର୍ମୀ ଏହାକୁ ପ୍ରତିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ଉଚ୍ଚବାଚ ହୋଇଥିଲା।
ଏଭଳି ସ୍ଥିତି ହୋଇଥିଲା ସେଠାରେ ବେଶ୍ କିଛି ସମୟ ରଣକ୍ଷେତ୍ର ପାଲଟି ଯାଇଥିଲା। ଶେଷରେ ବିଜେଡି ଓ କଂଗ୍ରେସ ସଭ୍ୟ ଗେଟ ଓ ବ୍ୟାରିକେଡ୍ ଭାଙ୍ଗିବାରେ ସଫଳ ହୋଇଥିଲେ। ଏହାପରେ ବିଧାନସଭା ସଂଲଗ୍ନ ରାସ୍ତାରେ ବିଜେଡି ସଭ୍ୟମାନେ ପ୍ଲାକାର୍ଡ଼ ଧରି ଓବିସି ସଂରକ୍ଷଣ ଏବଂ କଂଗ୍ରେସ ସଭ୍ୟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ସ୍ଲୋଗାନମାନ ଦେଇଥିଲେ। ସେମାନେ ପରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଧାରଣାରେ ବସିଥିଲେ।ଅନ୍ୟପକ୍ଷରେ ବିନା ବିରୋଧୀ ସଭ୍ୟରେ ଗୃହ ପରିଚାଳନା କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ପ୍ରଶ୍ନକାଳ ସୁରୁଖୁରୁରେ ସେ ଶେଷ କରିଥିଲେ। କେବଳ ଶାସକ ସଭ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ। ଅନ୍ୟପକ୍ଷରେ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ଅଗଣତାନ୍ତ୍ରିକ ବୋଲି କହିବା ସହ ଗୁରୁବାର ବିଧାନସଭା ଘେରାଉରେ ଏହାର ଉଚିତ ଜବାବ ଦିଆଯିବ ବୋଲି ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି।