ନୂଆଦିଲ୍ଲୀ: ଓ୍ବାନ ନେସନ ଓ୍ବାନ ଇଲେକ୍ସନ ଆଇନରେ ପରିଣତ ହେଲେ ଦେଶର ନିର୍ବାଚନରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଦାବି କରିଆସୁଛନ୍ତି କେନ୍ଦ୍ର ସରକାର । ଦୁଇଟି ପର୍ଯ୍ୟାୟରେ ଦେଶରେ ଲାଗୁ ହେବ ଯୋଜନା । ପ୍ରଥମେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକସାଙ୍ଗରେ କରାଯିବ । ଲୋକସଭା ନିର୍ବାଚନର ଶହେ ଦିନ ଭିତରେ ତ୍ରିସ୍ତରୀୟ ପଞ୍ଚାୟତ ଓ ନଗରପାଳିକା ଭୋଟ୍ କରାଯିବ । ସମସ୍ତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ବ୍ୟବହାର କରାଯିବ । ବିଲ୍ ଆଇନ ହେଲେ ସରକାରୀ କାର୍ଯ୍ୟ ସୁବିଧାଜନକ ହେବ । କୌଣସି ଯୋଜନାକୁ ନିର୍ବାଚନ ଆଚରଣ ବିଧି ପ୍ରଭାବିତ କରିପାରିବ ନାହିଁ । ଦେଶର ବିକାଶ ମୂଳକ କାର୍ଯ୍ୟ ସମାନ୍ତରଳ ଏବଂ ନନ୍ ଷ୍ଟପ୍ ଚାଲିବ । ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ହେଲେ ସରକାର ନୀତି ନିର୍ମାଣରେ ଅଧିକ ଫୋକସ୍ କରିପାରିବେ ବୋଲି ତର୍କ ଦେଇଛି କେନ୍ଦ୍ର । ଏତିକି ନୁହେଁ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ପାଇଁ ଖର୍ଚ୍ଚ ବଢ଼ୁଛି । ମାତ୍ର ଏକକ ନିର୍ବାଚନରେ ରାଜସ୍ବ ବୋଝ ହ୍ରାସ ପାଇବ । ଦେଶରେ ଇଣ୍ଡଷ୍ଟ୍ରିଆଲ୍ ଗ୍ରୋଥ୍ ବଢ଼ିବ । ଜିଡିପି ଦେଢ଼ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି । ରାମନାଥ କୋବିନ୍ଦ କମିଟିର ରିପୋର୍ଟ ଅନୁଯାୟୀ, ୧୯୫୨ରୁ ୨୦୨୩ ଯାଏ ଦେଶରେ ପ୍ରାୟ ପ୍ରତିବର୍ଷ ୬ଥର ନିର୍ବାଚନ ହେଉଛି । ସ୍ଥାନୀୟ ନିର୍ବାଚନକୁ ମିଶାଇଲେ ଏହା ଦୁଇଗୁଣ ହେବ । ସ୍ବାଧୀନତା ପରେ ୧୯୫୧-୫୨ ପ୍ରଥମ ନିର୍ବାଚନରେ ପ୍ରାୟ ୧୦.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୪ ସାଧାରଣ ନିର୍ବାଚନରେ ଏହା ବୃଦ୍ଧି ପାଇ ୩,୮୭୦ କୋଟି ଟଙ୍କାରେ ପହଞ୍ଚିଥିଲା । ସେହିପରି ୨୦୧୯ ନିର୍ବାଚନ ଉପରେ ନଜର ପକାଇଲେ ଏଥିରେ ପ୍ରାୟ ୬,୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଦେଶରେ ଏକକ ନିର୍ବାଚନ ହେଲେ ଏହି ଖର୍ଚ୍ଚ ହ୍ରାସ ପାଇବ । ନିର୍ବାଚନ ଆୟୋଗଙ୍କ କହିବା କଥା, ୨୦୨୯ରେ ଦେଶରେ ଏକକ ନିର୍ବାଚନ ହେଲେ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ୭ ଲକ୍ଷ ସୁରକ୍ଷାକର୍ମୀ ଆବଶ୍ୟକ । ଇଭିଏମ୍ ଏବଂ ଭିଭିପାଟ୍ ମେସିନ ରଖିବା ପାଇଁ ଅତିରିକ୍ତ ୮୦୦ ଗୋଦାମର ଅବଶ୍ୟକତା ପଡ଼ିବ । ସେପଟେ ଏକ ଦେଶ ଏକ ନିର୍ବାଚନକୁ ବିରୋଧ କରିଛନ୍ତି ବିରୋଧୀ । କାରଣ ଏକକ ନିର୍ବାଚନରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମୁଦ୍ଦା ପ୍ରଭାବିତ ହେବ । ଗ୍ରାସ୍ ରୁଟ୍ରେ ରାଜନୈତିକ ଦଳ ଗୁଡ଼ିକର ସମ୍ଭାବନା ସଙ୍କୁଚିତ ହେବ ।