ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ଛକ ଠାରେ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ “ଯୁବକ୍ରାନ୍ତି ସମାବେଶ” ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଶ୍ରୀରାମ ମନ୍ଦିର ଛକ ଠାରୁ ମାଷ୍ଟରକ୍ୟାଂଟିନ ସମାବେଶ ପର୍ଯ୍ୟନ୍ତ ଏକ ବିଶାଳ ବାଇକ ରାଲି ଯୋଗେ ଯୁବ କଂଗ୍ରେସର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଶ୍ରୀ ଚିବ ଉପସ୍ଥିତ ଯୁବ କଂଗ୍ରେସ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ଆମ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତିଙ୍କୁ ଜି ହଜୁରୀ କରିବାରେ ବ୍ୟସ୍ତ । ସେ ଟ୍ରମ୍ପଙ୍କର ଜଣେ ବଚସ୍କର ଭାବରେ ପରିଚୟ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ଅପରେସନ ସିନ୍ଦୁରକୁ ମୁଁ ବନ୍ଦ କଲି, କାଶ୍ମିର ସମସ୍ୟାର ସମାଧାନ ମୁଁ କରିଦେବି ଆଦି ଖୋଲାଖୋଲି ଭାବେ ବାରମ୍ବାର କହୁଛନ୍ତି । କିନ୍ତୁ କେଜାଣି କାହିଁକି ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟୁତ୍ତର ଦେଇପାରୁ ନାହାନ୍ତି । ହୁଏତ ଏପିଷ୍ଟିନ ଫାଇଲ କିମ୍ବା ଅଦାନୀ କେଳେଙ୍କାରିର ଭୟ ତାଙ୍କୁ ମାଡ଼ି ବସୁଛି । ବର୍ତ୍ତମାନ ଭାରତର ଚାଷୀ ବିରୋଧି ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ତାହାର ପ୍ରକୃତ ପ୍ରମାଣ । ଏହି ଚୁକ୍ତି ଦ୍ୱାରା ଭାରତୀୟ ଚାଷୀଙ୍କର ଘୋର କ୍ଷତି ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ମୁଣ୍ଡ ନୁଆଇ ଗ୍ରହଣ କରିଛନ୍ତି । ଏଥିପାଇଁ ଦେଶର ଯୁବ ବର୍ଗ ପ୍ରଧାନମନ୍ତ୍ରୀ କମ୍ପ୍ରମାଇଜଡ୍ ବୋଲି କହୁଛନ୍ତି । ଆମ ଦେଶ ଏଭଳି ଦୁର୍ବଳ ପ୍ରଧାନମନ୍ତ୍ରୀ କେବେ ଦେଖିନଥିଲା । ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ରଷିଆ ଓ ଆମେରିକା କାହାକୁ ଖାତିର ନକରି ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ଆରମ୍ଭ କରିଥିଲେ । ଯେଉଁଥିରେ ୨୦୦ ରୁ ଅଧିକ ଦେଶ ସଦସ୍ୟ ଥିଲେ ଏବଂ ଭାରତ ଏହାର ନେତୃତ୍ୱ ନେଉଥିଲା । ବାଙ୍ଗଲାଦେଶ ଗଠନ ପାଇଁ ପାକିସ୍ଥାନ ସହିତ ଯୁଦ୍ଧ ହେଲାବେଳେ ଆମେରିକା ତାର ସପ୍ତମ ନୌଭେଳା ପଠାଇ ଭାରତକୁ ଯୁଦ୍ଧ ବନ୍ଦପାଇଁ ଧମକ ଦେଇଥିଲା । କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଆମେରିକାର ଧମକକୁ ଖାତିର ନକରି ବାଙ୍ଗଲାଦେଶ ଗଠନ କଲେ ଏବଂ ପାକିସ୍ଥାନର ସୈନ୍ୟ ଆତ୍ମସମର୍ପଣ କଲେ । ପୁର୍ବର ପ୍ରଧାନମନ୍ତ୍ରୀ ଏଭଳି ଥିଲେ ।
କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣରୂପେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ଆତ୍ମସମର୍ପଣ କରିଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ୨କୋଟି ନିଯୁକ୍ତି ଦେବାପାଇଁ ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ କେତେ ନିଯୁକ୍ତି ହେଲା ତାହାର ଜବାବ ଦେବାକୁ ପଡ଼ିବ । ଦେଶର ଯୁବକ ଆଜି ଉତ୍କଟ ବେକାରୀ ସମସ୍ୟା ସହ ଜୁଝୁଛି । ଦେଶରେ ନିଜର ଭବିଷ୍ୟତ ଗଢ଼ିନପାରି ରୋଜଗାର ପାଇଁ ଦେଶର ଯୁବକ ବିଦେଶ ପଳାଉଛନ୍ତି । ଓଡ଼ିଶାରେ ଏକ ଅଦଭୁତ ସରକାର ଅଛି । ବିନା ଦାୟିତ୍ୱବୋଧରେ ଶାସନ ଚାଲିଛି । କଟକ ବଡ଼ ଡାକ୍ତରଖାନାରେ ରୋଗୀ ହତ୍ୟା ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ସେବାର ଦୁରାବସ୍ଥାକୁ ସ୍ପଷ୍ଟ କରିଛି । ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ଏବଂ ଏହି ବ୍ୟବସ୍ଥାକୃତ ଅଘଟଣ ପାଇଁ ଦାୟିତ୍ୱରେ ଥିବା କତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ସେମାନଙ୍କୁ ନରହତ୍ୟା ଅପରାଧରେ ଦଣ୍ଡିତ କରିବା କଥା । ମଣ୍ଡିରେ ଚାଷୀଙ୍କୁ ଖୋଲାଖୋଲି ଶୋଷଣ କରାଯାଉଛି । କଟନୀ ଛଟନୀ କରି ଚାଷୀଙ୍କୁ ହନ୍ତସନ୍ତ କରାଯାଉଛି । ସରକାର ଏବଂ ମିଲମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଷୀର ସ୍ୱାର୍ଥ ବଳିପଡ଼ିଯାଉଛି । ଏମଏସପି ମୂଲ୍ୟରେ ଚାଷୀ ଧାନ ବିକ୍ରୀ କରିପାରୁ ନାହିଁ । ଚାଷୀଙ୍କ ବଳକା ଧାନକୁ ଶାଗମାଛ ମୂଲ୍ୟରେ ମିଲର୍ସମାନଙ୍କ ଦେବାକୁ ପଡ଼ୁଛି ।
ନାରୀ ଅତ୍ୟାଚାରର ସୀମା ଲଙ୍ଘିଛି । ପ୍ରତ୍ୟେକ ଦିନ ଓଡ଼ିଶାର ନାରୀ ଦୁଷ୍କର୍ମର ଶିକାର ହେଉଛି । ନାରୀ ସୁରକ୍ଷା ସ୍ଥିତି ରାଜ୍ୟରେ ଅତି ଗମ୍ଭିର । ଏହି ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସକୁ ଲଢ଼େଇ କରିବାକୁ ପଡ଼ିବ । ଏମାନଙ୍କୁ ଗାଦିଚୁୃ୍ୟତ ନକଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀ ଚିବ କହିଥିଲେ । ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଯୁବ କଂଗ୍ରେସ ସଦସ୍ୟଙ୍କୁ କହିଥିଲେ ଯେ ବିଜେପି ସରକାରରେ ଦେଶ ଏବଂ ରାଜ୍ୟ ସଂପୂର୍ଣ୍ଣ ରସାତଳଗାମୀ ହେଲାଣି । ପ୍ରତ୍ୟେକ କ୍ଷେତ୍ରରେ ଏମାନେ ଫେଲ ମାରିଛନ୍ତି । ନା ଦେଶକୁ ସୁରକ୍ଷା େଇପାରୁଛନ୍ତି ନା ନାରୀ, ଯୁବକ, କୃଷକ ଓ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେଉପାରୁଛନ୍ତି । ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାର ଯୁବକମାନଙ୍କ ଉପରେ ମୋର ଗଭୀର ଆସ୍ଥା ରହିଛି ଏବଂ ନିକଟ ଭବିଷ୍ୟତରେ ସେମାନେହିଁ ହେବେ ପରିବର୍ତ୍ତନର ସୂତ୍ରଧର । ଯୁବ ନ୍ୟାୟ ଓ ନାରୀ ନ୍ୟାୟ ପାଇଁ କଂଗ୍ରେସ ବେସାଲିସ ସଂଗ୍ରାମ କରୁଛି । କଂଗ୍ରେସ ହିଁ ଓଡ଼ିଶାର ଉପେକ୍ଷିତ ଓ ଅବହେଳିତ ଯୁବକ, ମହିଳା ଓ କୃଷକଙ୍କର ଶାଣିତ ସ୍ୱର । ଉପସ୍ଥିତ ଥିବା ହଜାର ହଜାର ଯୁବ କଂଗ୍ରେସ କର୍ମକର୍ତ୍ତା ଓ ରାଜ୍ୟର ଯୁବ ବର୍ଗଙ୍କୁ ଆହ୍ୱାନ ଦେଇ ଶ୍ରୀ ଦାସ କହିଲେ ଆସନ୍ତୁ ସମସ୍ତେ ମିଶି ରାଜରାସ୍ତାରେ ଲଢ଼େଇ କରିବା । ନ୍ୟାୟ ଏବଂ ଅଧିକାର ପାଇଁ ସରକାରଙ୍କୁ ବାଧ୍ୟ କରିବା ।
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମହେଶ ଦେଶମୁଖ, ସହ ପ୍ରଭାରୀ ରିଆନା ରାଜୁ, ସହ ପ୍ରଭାରୀ ଖୁସି ଟିଗା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ୟାସିର ନୱାଜ, କୃଷ୍ଣ ମହାନ୍ତି ପ୍ରମୁଖ ରାଜ୍ୟ ସରକାରଙ୍କର ଯୁବ ବିରୋଧି, କୃଷକ ବିରୋଧି ଓ ମହିଳା ବିରୋଧି ନୀତିର କଡ଼ା ସମାଲୋଚନା କରିଥିଲେ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ମାଲକାନଗିରିରୁ ମୟୁରଭଞ୍ଜ ପର୍ଯ୍ୟନ୍ତ ଯୁବକ୍ରାନ୍ତି ସମାବେଶ ଆୟୋଜିତ ହେବ ବୋଲି ସୂଚନା ଦେଇଥିଲେ । ପ୍ରଦେଶ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଅଭିଜିତ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ସ୍ୱାଗତ କର, ମନୋଜ ବିଶ୍ୱାଳ, ମହମ୍ମଦ ଇମଦାଦ, ଅଜୟ ମହାପାତ୍ର, ଅଜୟ ସାହୁ, ଜୟଶ୍ରୀ ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ନାୟକ, ସୃଜନିକା ରାଉତ, ଲିପିକା ପାତ୍ର, ସୁଶ୍ରୀ ବେହେରା, ଶିଳ୍ପିଶ୍ରୀ ହରିଚନ୍ଦନ, ବଟକୃଷ୍ଣ ରାଉତରାୟ, ବଳରାମ ନନ୍ଦ, କାର୍ତ୍ତିକେଶ୍ୱର କାଣ୍ଡି, ସନ୍ଦୀପ ରାଉତରାୟ, ସୁନିଲ ସାହୁଙ୍କ ସମେତ ସମସ୍ତ ରାଜ୍ୟ ଯୁବ କଂଗ୍ରେସର ପଦାଧିକାରୀ ଏବଂ ରାଜ୍ୟ ଯୁବ କଂଗ୍ରେସର ଜିଲ୍ଲା ସଭାପତି ମାନଙ୍କ ସହ ଶହ ଶହ ଯୁବ କଂଗ୍ରେସ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ୫ ଦଫା ଦାବିରେ ସଚିବାଳୟ ଘେରାଉ କରିବା ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇ ଗିରଫ ହୋଇଥିଲେ ।










