23.1 C
Bhubaneswar
Tuesday, January 13, 2026
Homeଓଡିଶାଓଡ଼ିଶା ଯାତ୍ରୀ: ସମନ୍ୱିତ ସହରୀ ପରିବହନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ

ଓଡ଼ିଶା ଯାତ୍ରୀ: ସମନ୍ୱିତ ସହରୀ ପରିବହନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାର ‘ଓଡ଼ିଶା ଯାତ୍ରୀ – ଗୋଟିଏ ଆପ୍, ଅନେକ ଯାତ୍ରା, ଏକ ସ୍ମାର୍ଟ ଓଡ଼ିଶା’ର ଶୁଭାରମ୍ଭ କରିଛନ୍ତି, ଯାହା ସମଗ୍ର ରାଜ୍ୟରେ ସମନ୍ୱିତ, ଅନ୍ତର୍ଭୁକ୍ତିକରଣ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ପରିବହନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରିଛି। ଡିଜିଟାଲ୍ ଶାସନ, ଯାତ୍ରୀମାନଙ୍କ ସୁବିଧା ଏବଂ ଶେଷ ମାଇଲ୍ ସଂଯୋଗୀକରଣ ଉପରେ ପ୍ରାଧାନ୍ୟ ଦେଇ ପ୍ରସ୍ତୁତ କରାଯାଇଥିବା ‘ଓଡ଼ିଶା ଯାତ୍ରୀ’ ହେଉଛି ଏକ ସମନ୍ୱିତ ଡିଜିଟାଲ୍ ପରିବହନ ପ୍ଲାଟଫର୍ମ, ଯାହା ଗୋଟିଏ ଆପ୍ଲିକେସନରେ ପରିବହନର ଏକାଧିକ ମାଧ୍ୟମକୁ ସଂଯୋଗ କରୁଛି। ଏହା ନାଗରିକମାନଙ୍କ ଦୈନନ୍ଦିନ ଯାତ୍ରାକୁ ଅଧିକ ଦ୍ରୁତ, ସରଳ ଏବଂ ଭବିଷ୍ୟତ-ଉପଯୋଗୀ କରିବ।

ଏହି ପଦକ୍ଷେପର ଅଂଶସ୍ୱରୂପ ‘ଆମ ବସ’ ସେବା ପାଇଁ ‘FASTicket’ ନାମକ ଏକ QR-ଭିତ୍ତିକ ଇନ୍-ବସ୍ ଡିଜିଟାଲ୍ ଟିକେଟ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ପ୍ରତ୍ୟେକ ‘ଆମ ବସ’ ଭିତରେ QR କୋଡ୍ ଲଗାଯାଇଛି, ଯାହାଦ୍ୱାରା ଯାତ୍ରୀମାନେ ବସରେ ଚଢ଼ିବା ପରେ ‘ଓଡ଼ିଶା ଯାତ୍ରୀ’ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରିପାରିବେ। ଏହି ବ୍ୟବସ୍ଥା ମାତ୍ର ତିନି ସେକେଣ୍ଡ ମଧ୍ୟରେ ଟିକେଟ୍ ପ୍ରସ୍ତୁତ କରିବାକୁ ସକ୍ଷମ, ଯାହା ଟିକେଟ୍ କାଟିବା ସମୟକୁ ପ୍ରାୟ ୩୦ ସେକେଣ୍ଡରୁ ୩ ସେକେଣ୍ଡକୁ ହ୍ରାସ କରିଛି। ଏହାସହ ଏହି ବ୍ୟବସ୍ଥା ଲମ୍ବା ଧାଡ଼ି, ନଗଦ ଟଙ୍କା କାରବାର ଏବଂ ମାନୁଆଲ୍ ଯାଞ୍ଚ ପ୍ରକ୍ରିୟାର ଆବଶ୍ୟକତାକୁ ଦୂର କରିଛି।

ସମଗ୍ର ରାଜ୍ୟରେ ଏକ ବହୁମୁଖୀ ପରିବହନ ବ୍ୟବସ୍ଥା ଗଠନ ପାଇଁ ଓଡ଼ିଶା ଯାତ୍ରୀର ଯେଉଁ ବୃହତ ପରିକଳ୍ପନା ରହିଛି, ‘FASTicket’ ତାର ଏକ ମୁଖ୍ୟ ଆଧାର ଶିଳା। ଏହି ପ୍ଲାଟଫର୍ମ ମାଧ୍ୟମରେ ଯାତ୍ରୀମାନେ ବର୍ତ୍ତମାନ ବସ୍, ଅଟୋ ଏବଂ କ୍ୟାବ୍ ସେବାକୁ ଏକାସଙ୍ଗେ ଗୋଟିଏ ଡିଜିଟାଲ୍ ମଞ୍ଚରେ ସହଜରେ ପାଇପାରୁଛନ୍ତି। ସୁଲଭ ଏବଂ ଅନ୍ତର୍ଭୁକ୍ତିକରଣ ସାର୍ବଜନୀନ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ‘ଓଡ଼ିଶା ଯାତ୍ରୀ’ ପୁରୁଷ ଯାତ୍ରୀଙ୍କ ପାଇଁ ୧୦% ଏବଂ ମହିଳା ଯାତ୍ରୀଙ୍କ ପାଇଁ ୧୫% ରିହାତି ପ୍ରଦାନ କରୁଛି, ଯାହା ସମାନ ଅଧିକାର ଏବଂ ଲିଙ୍ଗ-ସମ୍ବେଦନଶୀଳ ସହରୀ ପରିବହନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ସ୍ଥାୟୀ ସହରୀ ପରିବହନ କ୍ଷେତ୍ରରେ ଶେଷ ମାଇଲ୍ ସଂଯୋଗୀକରଣର ଗୁରୁତ୍ୱକୁ ଦର୍ଶାଇ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ କହିଛନ୍ତି: “କୁଶଳୀ ସହରୀ ପରିବହନ ପାଇଁ ଶେଷ ମାଇଲ୍ ସଂଯୋଗୀକରଣ ହେଉଛି ମେରୁଦଣ୍ଡ। ସାଧାରଣ ପରିବହନ ବ୍ୟବସ୍ଥା ଏବଂ ନାଗରିକଙ୍କ ଘର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ‘ଓଡ଼ିଶା ଯାତ୍ରୀ’କୁ ପ୍ରସ୍ତୁତ କରାଯାଇଛି।

‘FASTicket’ ଭଳି ପଦକ୍ଷେପ ମାଧ୍ୟମରେ ଆମେ ଦୈନନ୍ଦିନ ଯାତ୍ରାକୁ ସରଳ କରିବା ସହ ସୁବିଧା ବୃଦ୍ଧି କରୁଛୁ ଏବଂ ବୈଷୟିକ ଜ୍ଞାନକୌଶଳ-ଭିତ୍ତିକ ତଥା ସୁଲଭ ସମାଧାନ ଜରିଆରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକରୁ ଅଧିକ ଆପଣେଇବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛୁ।” କାଗଜବିହୀନ ଏବଂ କ୍ୟାସଲେସ୍ ଟିକେଟ୍ ବ୍ୟବସ୍ଥା, ବିଭିନ୍ନ ପରିବହନ ମାଧ୍ୟମର ସହଜ ସମନ୍ୱୟ ଏବଂ ଉନ୍ନତ ଶେଷ ମାଇଲ୍ ସଂଯୋଗୀକରଣ ମାଧ୍ୟମରେ ‘ଓଡ଼ିଶା ଯାତ୍ରୀ’ ଏକ ସୁସଂଯୋଜିତ, କୁଶଳୀ ଏବଂ ଭବିଷ୍ୟତ-ଉପଯୋଗୀ ସାର୍ବଜନୀନ ପରିବହନ ବ୍ୟବସ୍ଥା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ସାବ୍ୟସ୍ତ ହୋଇଛି, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଯାତ୍ରୀଙ୍କ ଦୈନନ୍ଦିନ ଯାତ୍ରା ଅନୁଭୂତିକୁ ସମୃଦ୍ଧ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking