25.1 C
Bhubaneswar
Thursday, February 5, 2026
Homeଓଡିଶାଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌

ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌

– ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ ହେବ
– ସୃଷ୍ଟି କରିବ ୧ ହଜାରରୁ ଅଧିକ ନିଯୁକ୍ତି
– ମେଗା ପ୍ରକଳ୍ପକୁ ସ୍ୱତନ୍ତ୍ର ଭାବେ କଷ୍ଟୋମାଇଜ୍ଡ ରିହାତି

ଭୁବନେଶ୍ୱର: ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌। ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ ଏକ ଅଗ୍ରଣୀ ହବ୍ ଭାବେ ଗଢ଼ି ତୋଳାଯିବ। ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ ହେବ। ୧ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ। ମେଗା ପ୍ରକଳ୍ପଗୁଡ଼ିକୁ ସ୍ୱତନ୍ତ୍ର ଭାବେ କଷ୍ଟୋମାଇଜ୍ଡ ରିହାତି ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ନୂତନକରି ଆଣିଥିବା “ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଣ୍ଟ ମ୍ୟାନୁଫାକଚରିଂ ନୀତି-୨୦୨୫’କୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ୍ ୩ଟି ବିଭାଗର ୪ଟି ପ୍ରସ୍ତାବରେ ମୋହର ବାଜିଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାରିତ ୪ ପ୍ରସ୍ତାବରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରାଯାଇଛି। ଚତୁର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ରୁ୧୭ ବିଧାନସଭାର ଶୀତ ଅଧିବେଶନ ସମ୍ପର୍କିତ ପ୍ରସ୍ତାବ ରହିଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ ଓଡ଼ିଶାକୁ ଇଲେକ୍ଟ୍ରୋନିକ୍ସ ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ “ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫କୁ କ୍ୟାବିନେଟ୍ ମଞ୍ଜୁରୀ ପାଇଛି। ଏହି ନୀତି ମାଧ୍ୟମରେ ରାଜ୍ୟରେ ଏକ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ୍ ସୃଷ୍ଟି କରାଯିବ। ଫଳରେ ରାଜ୍ୟରେ ବ୍ୟାପକ ଉଚ୍ଚ-କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆମଦାନୀ ଉପରେ ନିର୍ଭରଶୀଳତା କମିବ। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ପରିଯୋଜନା(ଇସିଏମଏସ୍‌) ସହ ସମନ୍ୱୟ ରଖି ନିବେଶକମାନଙ୍କୁ ପ୍ରଥମ ମେଗା ପ୍ରକଳ୍ପ ପାଇଁ ୫୦% ପର୍ଯ୍ୟନ୍ତ ପୁଞ୍ଜି ସବ୍‌ସିଡି କିମ୍ବା ଟର୍ଣ୍ଣଓଭର-ଲିଙ୍କ୍ ପ୍ରୋତ୍ସାହନ ମଧ୍ୟରୁ ଗୋଟିକୁ ବାଛିବାର ସୁଯୋଗ ମିଳିବ।

ଶ୍ରୀ ଆହୁଜା ଆହୁରି କହିଛନ୍ତି ଯେ ମେଗା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା ହୋଇଛି। ୫ଶହ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ହଜାରେରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ମେଗା ପ୍ରକଳ୍ପଗୁଡ଼ିକୁ ସ୍ୱତନ୍ତ୍ର ଭାବେ କଷ୍ଟୋମାଇଜ୍ଡ ରିହାତି ପ୍ରଦାନ କରାଯିବ। ଶିଳ୍ପ ସଂସ୍ଥାମାନଙ୍କୁ ଜମି ଆବଣ୍ଟନ, ଭଡ଼ା ସହାୟତା, ୧୦ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ଛାଡ଼ ଏବଂ ବିଦ୍ୟୁତ୍ ଶୁଳ୍କ ପ୍ରତିପୂତ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ, ଯାହା ପ୍ରକଳ୍ପ ନିବେଶର ୭୫% ମଧ୍ୟରେ ସୀମିତ ରହିବ। ଏହି ନୀତି କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହିତ ସମନ୍ୱିତ ହୋଇ ରାଜ୍ୟର ଆର୍ôଥକ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଓଡ଼ିଶା ଲୋକସେବା ଆୟୋଗରେ ୩ ଜଣଙ୍କ ନିଯୁକ୍ତିକୁ ପିଛିଲା ଭାବେ ଅନୁମୋଦନ ମିଳିଥିଲାବେଳେ ଶେଷ ତଥା ଚତୁର୍ଥ ପ୍ରସ୍ତାବ ଭାବେ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ପାଇଁ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଲୋକସେବା ଆୟୋଗରେ ୩ଜଣଙ୍କ ନିଯୁକ୍ତିକୁ ମଧ୍ୟ ପିଛିଲା ଭାବେ ଅନୁମୋଦନ ମିଳିଛି।

ଓଡ଼ିଶାର ଡିଜିଟାଲ୍ ରୂପାନ୍ତରଣକୁ ଆଗେଇ ନେବ
ରାଜ୍ୟର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା(ଆଇସିଟି)ର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ‘ଆଇଟି ନୀତି-୨୦୨୫’ ବି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ଡିଜିଟାଲ୍ ରୂପାନ୍ତରଣକୁ ଆଗେଇ ନେବା ସହିତ ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହା ଏକ ବଡ଼ ପଦକ୍ଷେପ। ଏହି ଦୂରଦୃଷ୍ଟିସମ୍ପନ୍ନ ନୀତି ଓଡ଼ିଶାକୁ ବୈଷୟିକ ଏକ ଜ୍ଞାନ ଏବଂ ଉଦ୍ଭାବନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାପିତ କରିବାକୁ ଉଦ୍ଦିଷ୍ଟ ହେବ। କୃତ୍ରିମ ବୁଦ୍ଧିମତା, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଓ ଡାଟା ଆନାଲିଟିକ୍ସ ଭଳି ଅତ୍ୟାଧୁନି ଜ୍ଞାନକୌଶଳକୁ ଆପଣାଇ ଏହି ନୀତି ଶାସନକୁ ମଜବୁତ୍ କରିବା, ସର୍ବସାଧାରଣ ସେବା ଯୋଗାଇବାରେ ଉନ୍ନତି ଆଣିବା ଏବଂ ଏକ ଡିଜିଟାଲ୍ ଅନ୍ତର୍ଭୁକ୍ତ ସମାଜକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖୁଛି। ଏହା ଉଦ୍ଭାବନ, ଉଦ୍ୟୋଗୀତା ଓ ସ୍ଥାୟୀ ବିକାଶକୁ ସମର୍ଥନ କରୁଥୁବା ଏକ ଦୃଢ଼ ଡିଜିଟାଲ୍ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।

ମୁଖ୍ୟ ଶାସନ କହିଛନ୍ତି ଯେ ଓଡ଼ିଶା ଆଇଟି ନୀତି ୨୦୨୫ ଧାର୍ଯ୍ୟ ସମୟ ମଧ୍ୟରେ ଆଇଟି, ଆଇଟିଇଏସ୍‌ଇଏସ୍ କ୍ଷେତ୍ରରେ କ୍ଷେତ୍ର ୧୦ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରିକଳ୍ପନା କରାଯାଇଛି। ଏହା ଆଇଟି ପାର୍କ, ଆଇଟି ଟାୱାର ଏବଂ ଏସ୍‌ଇଜେଡ୍ ପରି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ କରିବ। ଏଥିସହିତ ଗବେଷଣା ଓ ବିକାଶ, ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ସମୟ, ଏକାଡେମିଆ ଏବଂ ଷ୍ଟାର୍ଟଅପ୍ ସହିତ ସହଯୋଗ ମାଧ୍ୟମରେ ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ। ଏହି ନୀତି ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ, ୫ଜି-ମୋବାଇଲ୍‌, ଆଇଓଟି,ଏଆର, କ୍ଲାଉଡ୍ କମ୍ପ୍ୟୁଟିଂ, ଡିପ୍ ଲର୍ଣ୍ଣିଂ, ବ୍ଲକ୍‌ଚେନ, ଏଆଇ ଓ ଏମ୍‌ଏଲ୍ ପରି ଉଦ୍ୟୟମାନ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ଆହୁଜା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking