28.1 C
Bhubaneswar
Monday, February 9, 2026
Homeଓଡିଶା୨୦୨୫-୨୬ ଆର୍ଥିକ ବର୍ଷରେ ୧୫୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଆରକ୍ଷୀ...

୨୦୨୫-୨୬ ଆର୍ଥିକ ବର୍ଷରେ ୧୫୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ନେଇ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ପକ୍ଷରୁ ଗୃହ ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷର

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ (ଓପିଏଚ୍‌ଡବ୍ଲୁ୍ୟସି) ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି, ଯାହା ୨୦୨୫-୨୬ ଆର୍ଥିକ ବର୍ଷରେ ୧୫୦୦ କୋଟି ଟଙ୍କାର ଆର୍ଥିକ କାରବାର ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଗୃହ ବିଭାଗର ସମ୍ମିଳନୀ କକ୍ଷରେ ଏକ ନିରାଡ଼ମ୍ବର ସମାରୋହରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଏବଂ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପି୍ରୟଦର୍ଶୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ, ଓଡ଼ିଶା ସରକାରଙ୍କ ରୌପ୍ୟ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଲାଭ ଅର୍ଜନ କରୁଥିବା ନିଗମ ଭାବେ କ୍ରମାଗତ ଅଭିବୃଦ୍ଧି ପ୍ରଦର୍ଶନ କରିଆସୁଅଛି । ଆର୍ଥିକ ବର୍ଷ ୨୦୨୩-୨୪ରେ ୧୦୯୦ କୋଟି ଟଙ୍କା ଏବଂ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୩୬୬ କୋଟି ଟଙ୍କା କାରବାର ରେକର୍ଡ କରିଛି, ଯାହାକି ୨୫% ବାର୍ଷିକ ଅଭିବୃଦ୍ଧି ଦର୍ଶାଉଛି । ନିଗମର କାରବାର ୨୦୧୪-୧୫ ଆର୍ଥିକ ବର୍ଷରେ ୩୩୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୩୬୬ କୋଟି ଟଙ୍କା ହୋଇଛି । ଯେତେବେଳେ କି ଏହାର ଲାଭ ମଧ୍ୟ ଏହି ସମୟ ମଧ୍ୟରେ ୨୦ କୋଟି ଟଙ୍କାରୁ ବୃଦ୍ଧି ପାଇ ୯୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଉଲ୍ଲେଖନୀୟ ଅଭିବୃଦ୍ଧି ପ୍ରତିଫଳିତ କରୁଛି ।

ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ନିଜସ୍ୱ ସମ୍ବଳରୁ ସମସ୍ତ ଆର୍ଥିକ ଦାୟିତ୍ୱ ନିର୍ବାହ କରିଥାଏ ଏବଂ ୨୦୧୪-୧୫ ଆର୍ଥିକ ବର୍ଷରୁ ରାଜ୍ୟ ସରକାରଙ୍କୁ ଲାଭାଂଶ (ଡିଭିଡେଣ୍ଟ) ପ୍ରଦାନ କରିଆସୁଛି । ଏ ପର୍ଯ୍ୟନ୍ତ ଏହି ନିଗମ ଦ୍ୱାରା ସରକାରଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଲାଭାଂଶ ଓଡ଼ିଶା ସରକାରଙ୍କୁ ୬୪.୭୭ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ରାଜକୋଷକୁ ଲାଭାଂଶ ବାବଦରେ ଆନୁମାନିକ ୨୧.୨୮ କୋଟି ଟଙ୍କା ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଓଡ଼ିଶାର ନିର୍ମାଣ କ୍ଷେତ୍ରରେ ଏକମାତ୍ର ଏସ୍‌.ଏ.ପି ସକ୍ଷମ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ଦକ୍ଷତା ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରି ଏସ୍‌.ଏ.ପି ଜରିଆରେ ପ୍ରକଳ୍ପ ଆକଳନଠାରୁ ଆରମ୍ଭ କରି ବିକ୍ରେତା ଦେୟ ପର୍ଯ୍ୟନ୍ତ ଏହାର ପରିଚାଳନା କରିଥାଏ । ଏହି ନିଗମ ପୋଲିସ, ଅଗ୍ନିଶମ, କାରାଗାର, ନ୍ୟାୟପାଳିକା, ଉଚ୍ଚ ଶିକ୍ଷା, ପରିବହନ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ଡିଟିଇଟି, ଅବକାରୀ, କୃଷି, ସ୍ୱାସ୍ଥ୍ୟ, କ୍ରୀଡ଼ା ଏବଂ ଯୁବ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ବିଭିନ୍ନ ଜିଲ୍ଲା ପାଇଁ ବ୍ୟାପକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିଆସୁଛି ।

ନିଗମ ଦ୍ୱାରା ଜାରି ରହିଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୭୩୫.୫୪ କୋଟି ଟଙ୍କା ବ୍ୟୟରେ ୧୨୬ ଗୋଟି ଆମ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ), ୩୩୧.୨୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରଠାରେ ଜାମୁଝରୀଠାରେ ଆଦର୍ଶ କାରାଗାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ସହିତ ଉଚ୍ଚମୂଲ୍ୟର ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭୁବନେଶ୍ୱରର ଗୋପବନ୍ଧୁ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ଠାରେ ହଷ୍ଟେଲ ବିଲ୍‌ଡିଂ ଏବଂ ସୁବିଧା କେନ୍ଦ୍ର, ଭୁବନେଶ୍ୱରର ଅବକାରୀ ଭବନ (ଏକ ବହୁତଳବିଶିଷ୍ଟ ଏକ୍ସାଇଜ୍‌ ଅଫିସ୍‌ କୋଠା), କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ନୂତନ ଏକାଡେମିକ୍‌ ବିଲ୍‌ଡିଂ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମିକ୍‌ ଏବଂ ପ୍ରଶାସନିକ କୋଠା ବଲାଙ୍ଗିର ଏବଂ କଟକର ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ର ଇତ୍ୟାଦି ମର୍ଯ୍ୟାଦାପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି । ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଅଭିନବତ୍ୱ, ଗୁଣବତ୍ତା ଏବଂ ଦକ୍ଷତା ସହିତ ଉଚ୍ଚ ମାନର ଭିତ୍ତିଭୂମି ପ୍ରଦାନ କରି ଆସୁଅଛି । ଆଗକୁ ନିଗମର ଲକ୍ଷ୍ୟ ହେଉଛି ସ୍ୱର୍ଣ୍ଣ ମାନ୍ୟତାପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମାନ୍ୟତା ହାସଲ କରିବା ଏବଂ ଉତ୍କର୍ଷ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ଼ କରି ନିର୍ମାଣ କ୍ଷେତ୍ରରେ ଆଗକୁ ଆଗକୁ ପାଦ ବିସ୍ତାର କରିବା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking