ଯାଜପୁର: ଶନିବାର ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର (ଓଏସସିପିସିଆର) ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର ଏବଂ ମାନ୍ୟବର ସଦସ୍ୟା ବୃନ୍ଦ ଶ୍ରୀମତୀ ଚନ୍ଦନା ଦାସ, ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ, ଶ୍ରୀମତୀ ସୁଜାତା ନାୟକ ଆଜି ଯାଜପୁର ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ଅଧ୍ୟକ୍ଷା ଜିଲ୍ଲାର ଦାନଗଦି ସ୍ଥିତ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ଅନ୍ନପୂର୍ଣ୍ଣା ଶିଶୁ ଗୃହ ପରିଦର୍ଶନ କରିବା ସହ ସଂସାଇଲୋ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ ର ସାଥିଆ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ବାଲ୍ୟ ବିବାହ ରୋକିବା ସହ ସ୍କୁଲ ରୁ ପାଠ ଛାଡୁଥିବା ଝିଅ ମାନଙ୍କୁ ପୁନଃ ସ୍କୁଲ ରେ ନାମ ଲେଖାଇବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକତା ରହିଛି।
ଟାଟା ଷ୍ଟିଲ ର ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷା ପ୍ରଶଂସା କରିଥିଲେ। ବାଲ୍ୟ ବିବାହ ପ୍ରଥାକୁ ରୋକିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଯୁବ ସ୍ବେଛାସେବୀ ମାନଙ୍କୁ ସମ୍ମାନିତ କରିଥିଲେ । ପରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡା ସ୍ଥିତ ଆମ ଅଙ୍ଗନୱାଡ଼ି କେନ୍ଦ୍ର ବୁଲି ଦେଖିବା ସହ ସେଠାକାର ଅଧିବାସୀମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହ ଚୁଙ୍ଗୁଡ଼ିପାଳ ସ୍ଥିତ ଆଶ୍ରମ ବିଦ୍ୟାଳୟ, ଛାତ୍ରୀ ନିବାସ ଆଦି ଗସ୍ତ କରି ସମସ୍ତ ସ୍ଥିତିର ସମୀକ୍ଷା କରିଥିଲେ। ପରେ ଶ୍ରୀମତୀ ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ସହ ନଗଡ଼ାର ଉନ୍ନତିକରଣ ସମ୍ବନ୍ଧରେ ଆଲୋଚନା ପୂର୍ବକ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା, ପ୍ରଧାନ ମନ୍ତ୍ରୀ ପୋଷଣ ଯୋଜନା – ୨ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି କହିଥିଲେ।
ନଗଡା ବାସୀ ଓ ସେଠାକାର ପିଲା ମାନଙ୍କୁ କିପରି ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଏବଂ ସେଠାରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯିବ ସେ ଦିଗରେ ତ୍ୱରିତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ। ନଗଡ଼ାରେ ଶିକ୍ଷା ବ୍ୟବସ୍ଥା ସ୍ୱଚ୍ଛଳ ନଥିବାରୁ ପିଲାମାନଙ୍କୁ ଉଚ୍ଚ ବିଦ୍ୟାଳୟ ରେ ପଢିବାକୁ ବହୁ ଦୂର ଯିବାକୁ ପଡୁଛି ଯାହା ଦ୍ଵାରା ପିଲା ମାନେ ଅଧାରୁ ପାଠ ପଢା ଛାଡ଼ି ଦେଉଛନ୍ତି । କିପରି ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ କରାଯାଇ ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରାଯିବ ଯେପରି କୌଣସି ବି ପିଲା ପାଠ ପଢ଼ାରୁ ବଞ୍ଚିତ ନ ରୁହନ୍ତି ସେ ଦିଗରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ନଗଡ଼ାରେ ଶିକ୍ଷା, ସ୍ଵାସ୍ଥ୍ୟ, ପିଲାମାନଙ୍କ ନିମନ୍ତେ ପୃଷ୍ଟିକର ଖାଦ୍ୟ, ଯୋଗାଯୋଗ ସୁବିଧା, ଶିଶୁ ଶ୍ରମିକ ନିରାକରଣ, ବାଲ୍ୟ ବିବାହ ନିବାରଣ ଉପରେ ଜିଲ୍ଲାପାଳଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ଉପସ୍ଥିତ ରହି ଜିଲ୍ଲାପାଳ କହିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟା ମାନେ ଜିଲ୍ଲା ପ୍ରଶାସନକୁ ଦେଇଥିବା ଦିଗଦର୍ଶନ ତୁରନ୍ତ କାର୍ଯ୍ୟକାରୀ କରାଯିବ।
କମିଶନଅଧ୍ୟକ୍ଷା ଓ ସଦସ୍ୟା ବୃନ୍ଦ ଯାହା ଯାହା ପରାମର୍ଶ ଦେଲେ ତାହା ନିଶ୍ଚିତ କରାଯିବ।ନଗଡା ଅଞ୍ଚଳକୁ ଡାକ୍ତରଦଳ ମାନଙ୍କୁ ପଠାଯିବ। ସେଠାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବାକୁ ପଦକ୍ଷେପ ଗ୍ରହଣ କରାଯିବ। ଆଧାର କାର୍ଡ ନଥିବା ପିଲାଙ୍କର ଆଧାର କାର୍ଡ କରାଯିବା ସହିତ ଜନ୍ମ ପ୍ରମାଣ ପତ୍ର ପ୍ରଦାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସକାରାତ୍ମକ ମନୋବୃତି ନେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିଜୟ ମିଶ୍ର, ବି ଡି ଓ, ସିଡିପିଓ, ଜୁଭେନାଇଲ ଜଷ୍ଟିସ ବୋର୍ଡ କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।









