15.1 C
Bhubaneswar
Thursday, December 12, 2024
Homeଓଡିଶାଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ-୨୦୨୪ ପାରିତ

ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ-୨୦୨୪ ପାରିତ

– ବିକ୍ରି ହୋଇଥିଲା ଏଏସ୍‌ଓ ଚାକିରି: ମୁଖ୍ୟମନ୍ତ୍ରୀ
– ପରୀକ୍ଷାର ଅନିୟମିତତା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ
– ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା
– ସମସ୍ତ ଅପରାଧ ଜାମିନ ବିହୀନ, ରଫା ଦଫା ଅଯୋଗ୍ୟ
– ସର୍ଭିସ ପ୍ରୋଭାଇଡର କିଛି ତ୍ରୁଟି କଲେ ୧ କୋଟି ଜୋରିମାନା

ଭୁବନେଶ୍ୱର: ରାଜ୍ୟ ସରକାର ପରୀକ୍ଷାରେ ଅନିୟମିତତାକୁ ନେଇ କଠୋର ମନୋଭାବ ପୋଷଣ କରିଛନ୍ତି। ପରୀକ୍ଷାର ଆଉ ଅନିୟମିତତା କ୍ଷମଣୀୟ ନୁହେଁ। ଏଣିକି ତାହା କଲେ ଅପରାଧୀଙ୍କୁ ୩ରୁ ୫ବର୍ଷ ଜେଲଦଣ୍ଡ ସହ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ସମସ୍ତ ଅପରାଧ ଜାମିନ ବିହୀନ। ଅପରାଧ ମଧ୍ୟ ରଫା ଦଫା ଅଯୋଗ୍ୟ, ବୁଝାମଣା କରାଯିବନି। ସେହିପରି ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡର କିଛି ତ୍ରୁଟି କଲେ ୧ କୋଟି ଟଙ୍କା ଜରିମାନା ଦେବାକୁ ହେବ। ବିଧାନସଭାରେ ଏନେଇ ‘ଓଡ଼ିଶା ସାବର୍ଜନୀନ ପରୀକ୍ଷା (ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’ ପାରିତ ହୋଇଛି। ପୂର୍ବରୁ ରାଜ୍ୟ କ୍ୟାବିନେଟ୍ ତାହାକୁ ମଧ୍ୟ ମଞ୍ଜୁରୀ ଦେଇଥିଲା।

ଶୁକ୍ରବାର ବିଧାନସଭାରେ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ-୨୦୨୪’କୁ ବିଚାରକୁ ନେବା ପାଇଁ ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଯେ, ଏଏସ୍‌ଓ ଚାକିରୀ ବିକ୍ରି ହୋଇଥିଲା। ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସିକୁ ଭାଙ୍ଗିବାକୁ ପଡ଼ିବ। ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ହାତୁଡ଼ିରେ ମାରୁଥିଲା। ଏହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି। ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା। ଦୁର୍ନୀତିରେ ଭରି ରହିଥିଲା। ନିଯୁକ୍ତିକୁ ସେମାନେ ସାଧାରଣ ଭାବେ ନେଉଥିଲେ। ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ର‌୍ୟାକେଟ୍‌ରେ ପ୍ରମୁଖ ଥିଲେ। ୨୦୨୩ରେ ହୋଇଥିବା ଏଏସ୍‌ଓ ପରୀକ୍ଷା ଏହାର ଜ୍ୱଳନ୍ତ ଉଦାହରଣ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଚିବାଳୟରେ ଏଏସ୍‌ଓ ନିଯୁକ୍ତିରେ ବଡ଼ ଚଞ୍ଚକତା ହୋଇଛି। ସରକାରଙ୍କ ନାକ ତଳେ ହେଉଥିଲା ଏହି କେଳେଙ୍କାରୀ। ପୂର୍ବ ସରକାର ସବୁ ଜାଣି ଚୂପ ରହୁଥିଲେ। ସରକାରଙ୍କ ବଡ଼ ର‌୍ୟାକେଟ୍ ସକ୍ରିୟ ଥିଲା। ଛାତ୍ରଛାତ୍ରୀଙ୍କ ପରିବାର ନିଜ ଦୁଃଖକୁ ଚାପି ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଜମି ବିକି ବି ପିଲାଙ୍କୁ କୋଚିଂରେ ପଢ଼ାଉଥିଲେ, କିନ୍ତୁ ନିଯୁକ୍ତି ବେଳକୁ ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଉଥିଲେ। ଅଯୋଗ୍ୟଙ୍କୁ ଯୋଗ୍ୟ ବନାଇ ନିଯୁକ୍ତି ଦେଉଥିଲେ ପୂର୍ବ ସରକାର। ଯୋଗ୍ୟଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ହୋଇଯାଉଥିଲା। କିଛି ପରୀକ୍ଷାର୍ଥୀ ବି ସୁଇସାଇଡ୍ କରିଥିବା ନଜୀର ରହିଛି। ଆଗକୁ ଆଉ ସେମିତି ହେବନାହିଁ। ଅନ୍ୟରାଜ୍ୟ ଭଳି ବି ଘଟଣା ଘଟିବାକୁ ଦେବୁନାହିଁ। ଏଥିପାଇଁ ଏହି ଆଇନ ଧାରା ୧୨(୧)ରେ ଜେଲ ଯିବା ସହ ଜୋରିମାନା ବ୍ୟବସ୍ଥା ରହିଛି। ଧାରା ୧୨(୨) ଅନୁଯାୟୀ ସଂପୃକ୍ତ ଅନୁଷ୍ଠାନର ଅନୁମତିକୁ ବାତିଲ କରିବା ସହ ଜବତ୍ କରାଯିବ। ସୁଧୁରି ଯାଅ ନଚେତ୍ ଆମେ ସୁଧାରି ଦେବୁ। ସ୍ୱଚ୍ଛତା ଓ ସାଧୁତା ଆମ ସରକାର ଦାୟିତ୍ୱ। ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପାଳନ କରୁଛୁ। ପୂର୍ବ ସରକାର ଆଉଟ୍ ସୋର୍ସରେ ଚାଲିଥିଲା। ଆଗକୁ ଦେଢ଼ ଲକ୍ଷ ନିଯୁକ୍ତି ପାଇବେ। ସ୍ୱଚ୍ଛତା ଓ ନିରପେକ୍ଷତାର ସହକାରେ ସବୁ ଖାଲି ପଦବୀ ପୂରଣ ହେବ। ସେଥିପାଇଁ ଏହି ଆଇନ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହରେ ପ୍ରକାଶ କରିଥିଲେ। ତେବେ ବିଲ ଉପଣେ କିଛି ସଦସ୍ୟ ମତ ରଖିଥିଲେ।

‘ଓଡ଼ିଶା ସାବର୍ଜନୀନ ପରୀକ୍ଷା(ଅନୁଚିତ୍ ସାଧନ ନିବାରଣ) ଆଇନ-୨୦୨୪’ ପୂର୍ବରୁ କିଛି ଆଇନ ବଳରେ ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥିଲା। ଓଡ଼ିଶା ଲୋକେସବା ଆୟୋଗ(ଓପିଏସ୍‌ସି), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ, ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ, ସର୍ଭିସ୍ ସିଲେକ୍ସନ ବୋର୍ଡ଼, ଓଡ଼ିଶା ପୁଲିସ୍ ସିଲେକ୍ସନ ବୋର୍ଡ଼, ଓଡ଼ିଶା ଶିକ୍ଷା (ରାଜ୍ୟ ପାଇଁ ସଳେକ୍ସନ ବୋର୍ଡ଼) ରୁଲ୍ସ-୧୯୯୨, ଓଡ଼ିଶା ଜେଇଇ ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କିମ୍ବା ଗଠିତ ଚୟନ କମିଟି ବା ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଏଜେନ୍ସି ଦ୍ୱାରା ପରିଚାଳିତ ସମସ୍ତ ସରକାରୀ ପରୀକ୍ଷା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଏହି ନୂଆ ଆଇନ ଅଣାଯାଇଛି। ଏହି ବିଲକୁ ଆସନ୍ତା ବିଧାନସଭା ଶୀତ ଅଧିବେଶନରେ ପାରିତ ହୋଇଛି। ଏବେ ‘ଓଡ଼ିଶା ପବ୍ଲିକ୍ ଏକ୍ସଜାମିନେସନ(ପ୍ରିଭେନ୍ସନ୍ ଅଫ୍ ଅନଫେୟାର ମିନ୍ସ) ଆକ୍ଟ-୨୦୨୪’ କାର୍ଯ୍ୟକ୍ଷମ ହେବ। ଫଳରେ ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷରେ ବିଭିନ୍ନ ପ୍ରକାରର ଅନ୍ୟାୟ ଯଥା ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂବର୍ରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ଲିକ୍‌, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ପ୍ରବେଶ ଆଦି ବେଆଇନ କାର୍ଯ୍ୟରେ ରୋକ ଲାଗିଯିବ। ଏହାଦ୍ୱାରା ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆସିପରିବ। ମେଧାବୀ ଛାତ୍ରଛାତ୍ରୀ ଆଉ ଅନ୍ୟାୟର ଶିକାର ହେବେନାହିଁ। ତେଣୁ ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ଆଦାୟ ହେବ। ଦୋଷୀଙ୍କୁ ୫ ବର୍ଷ ପାଇଁ ଜେଲ୍ ସହ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ। ସେହିପରି ଓପିଏସ୍‌ସି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ଆଦି ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡର କିଛି ତ୍ରୁଟି କଲେ ୧ କୋଟି ଟଙ୍କା ଜରିମାନା ଦେବାକୁ ହେବ। ପୂର୍ବରୁ ଏହି ସଂଶୋଧିତ ନିୟମରେ ଅନୁମୋହନ ରାଜ୍ୟ କ୍ୟାବିନେଟ ମୋହର ଲଗାଇଛନ୍ତି।

ବେସରକାରୀ ଅଭ୍ୟଙ୍କ ଦ୍ୱାରା ଆଗତ ତିନି ବିଲ
ବିଧାନସଭାରେ ବେସରକାରୀ ଅଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଆଗତ ହୋଇଛି ତିନି ବିଲ। ସେଗୁଡ଼ିକ ହେଉଛି ଓଡ଼ିଶା ନିଶା ନିବାରଣ ବିଲ-୨୦୨୪। ଓଡ଼ିଶା ଅମାନୁଷିକ ମନ୍ଦ ଅଭ୍ୟାସ ରୋକିବା ଏବଂ ଗୁଣି ଗାରେଡ଼ି ବିଲୋପ ବିଲ-୨୦୨୪ ଏବଂ ଓଡ଼ିଶା ସହର କ୍ଷେତ୍ର ସଂରକ୍ଷଣ ଓ ସବୁଜ ବିକାଶ ବିଲ-୨୦୨୪। ଏସବୁ ଅଧିକ ତର୍ଜମା ପାଇଁ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking