କଟକ: ଓଡ଼ିଶା ଅଲିମ୍ପିକ ଆସୋସିଏନ (ଓଓଏ)ର ସମସ୍ତ ପଦବୀ ପାଇଁ କର୍ମକତ୍ତାମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ସଭାପତି ଭାବେ ବିନା ପ୍ରତିଦ୍ୱନ୍ଦିତାରେ ଓଓଏର ସଭାପତି ହୋଇଛନ୍ତି। ଏହି ନିର୍ବାଚନରେ ଭୁବନେଶ୍ୱର ଜିଲ୍ଲା ଆଥଲେଟିକ ଆସୋସିଏସନ ପକ୍ଷରୁ ସମୀର ପ୍ରତିନିଧିତ୍ୱ କରିଥିଲା ବେଳେ ପ୍ରଥମଥର ପାଇଁ ସେ ରାଜ୍ୟ ଆଥଲେଟିକ ସଂଘର ସଭାପତି ହେବେ। ସେହିପରି ପ୍ରାକ୍ତନ ସଭାପତି ଅଭିଜିତ ପାଲ ମଧ୍ୟ ନିଦ୍ୱର୍ନ୍ଦରେ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ଫେବୃୟାରୀ ୨୭ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗୋଟିଏ ସଭାପତି, ଗୋଟିଏ ସମ୍ପାଦକ, ୬ଟି ଉପସଭାପତି, ଦୁଇଟି ଯୁଗ୍ମ ସମ୍ପାଦକ, ଗୋଟିଏ କୋଷାଧ୍ୟକ୍ଷ ଏବଂ ୧୧ଟି କାଉନସିଲ ସଦସ୍ୟ ପଦ ନିମନ୍ତେ ବିଜ୍ଞପ୍ତି ଜାରି ହୋଇଥିଲା।
ନାମାଙ୍କନ ଦାଖଲର ଶେଷ ତାରିଖ ଥିଲା ଚଳିତ ମାସ ୧୭ ତାରିଖ। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଗୟାଧର ପଣ୍ଡା ନିର୍ବାଚନ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ। ଆଜି ପ୍ରାର୍ଥପତ୍ର ଯାଞ୍ଚ ତାରିଖ ଥିବା ବେଳେ ନାମାଙ୍କନ ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। କମଳାକାନ୍ତ ପାଣ୍ଡେ, ବିନୋଦ ଦାସ, ପ୍ରତାପ ଶତପଥୀ, ନଳିନୀ କୁମାର ଦାସ, ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ଦାଶ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହପରି ହରିନାରାୟଣ ପୂଜାରୀ, ଜେ. କାମେଶ୍ୱର ରାଓ ଯୁଗ୍ମ ସମ୍ପାଦକ ରୂପେ ନିର୍ବାଚିତ ହୋିଥିଲା ବେଳେ ରବିଶଙ୍କର ପ୍ରତିହାରୀ କୋଷାଧ୍ୟକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଏଥିସହିତ କାଉନସିଲ ସଦସ୍ୟ ଭାବେ ଅଭୟ ମହାପାତ୍ର, ଅଜୟ ବେହେରା, ଡଃ ହରିପ୍ରସାଦ ପଟ୍ଟନାୟକ, କିଶୋର କୁମାର ମିଶ୍ର, ବିଜୟ ବେହେରା, ଧୀରେନ ପଲାଇ, ମନୋଜ କୁମାର ସ, ଅଶୋକ କୁମାର ସାହୁ, ବିରେନ୍ଦ୍ର କୁମାର ବେହେରା, ପ୍ରସନ୍ନ କୁମାର ରାଉତ, ଡଃ ଗୌର ଗୋବିନ୍ଦ ସାମନ୍ତ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯିବ।