ଭୁବନେଶ୍ୱର: ଧାନକିଣା ଅବ୍ୟବସ୍ଥା, ଯାନବାହନ ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ମାତ୍ରାଧିକ ତଣ୍ଡ ଆଦାୟ, ଟାଟା କମ୍ପାନିର ମନମାନି ବିରୋଧରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ। ଆଜି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟିଆ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହି ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସ, ବାମ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ସମର୍ଥନ ଜଣାଇଛନ୍ତି। ବିଜେଡି ଏହାକୁ ସ୍ବାଗତ କରିଥିଲେ ହେଁ ବିଧିବଦ୍ଧ ସମର୍ଥନ ଦେଇନାହିଁ। ଓଡିଶା ବନ୍ଦର ପ୍ରଭାବ ରାଜ୍ୟର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି | ଯାଜପୁର ଜିଲ୍ଲାରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ ପଡ଼ିଛି। ଟ୍ରେନ, ବସ, ଟ୍ରକ ଚଳାଚଳକୁ ବାଦ ଦେଲେ ବାକି ସବୁ ସ୍ୱାଭାବିକ ରହିଛି। ଜଗତସିଂହପୁର ଜିଲ୍ଲାରେ ସହର ସମେତ ବିଭିନ୍ନ ଅଞ୍ଚଳରେ ନବ ନର୍ମାଣ କୃଷକ ସଂଗଠନର ବନ୍ଦ ପାଳନ କରାଯାଇଛି | ଦୋକାନ ବଜାର ସମେତ ଘରୋଇ ପ୍ରତିଷ୍ଠାନ, ବ୍ଯାଙ୍କ, ପେଟ୍ରୋଲ ପମ୍ପ ବନ୍ଦ ରହିଛି। ବାଲେଶ୍ବର ଜିଲ୍ଲା ସଦର ମହକୁମା ତଥା ସହରଠାରୁ ନେଇ ବ୍ଲକଗୁଡିକରେ ବନ୍ଦର ବିଶେଷ ପ୍ରଭାବ ନାହିଁ। ଦୋକାନ ବଜାର, ପେଟ୍ରୋଲ ପମ୍ପ ଖୋଲା ଥିବାବେଳେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି |ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଠ ଘଣ୍ଟିଆ କୋରାପୁଟ ଜିଲ୍ଲା ବୈପାରିଗୁଡାରେ ବନ୍ଦ ପାଳନ କରାଯାଇଛି। ବନ୍ଦ ଡାକରା ଯୋଗୁଁ ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ଠପ ହୋଇପଡ଼ିଛି।










