30.1 C
Bhubaneswar
Saturday, June 21, 2025
Homeଓଡିଶାରେଳ ବଜେଟ୍‌: ଓଡ଼ିଶାକୁ ୧୦,୫୯୯ କୋଟି

ରେଳ ବଜେଟ୍‌: ଓଡ଼ିଶାକୁ ୧୦,୫୯୯ କୋଟି

– ୨୦୦୯-୧୪ ତୁଳନାରେ ୧୨.୫ ଗୁଣ ଅଧିକ
– ରେଳ ବଜେଟ୍ ୧୦ ହଜାର କୋଟି ପାର କରିଛି
– ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ୍ ନିର୍ମାଣ
– ଚାଲିଛି ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ
– ୫୯ ଅମୃତ ଷ୍ଟେସନ୍ ପାଇଁ ବ୍ୟୟବରାଦ
– ୬ ରେଳ ଷ୍ଟେସନ୍‌ର ପୁନର୍ବିକାଶ ପାଇଁ ଫୋକସ୍‌

ଭୁବନେଶ୍ୱର : ଓଡି଼ଶାର ରେଳ ବିକାଶ ପାଇଁ ୨୦୨୫-୨୬ ଆର୍ôଥକ ବର୍ଷରେ କେନ୍ଦ୍ରୀୟ ବଜେଟ୍‌ରେ ୧୦,୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ତାହା ୨୦୦୯-୧୪ ତୁଳନାରେ ୧୨.୫ ଗୁଣ ଅଧିକ। ଏଥିଯୋଗୁଁ ରାଜ୍ୟରେ ଅତୁଳନୀୟ ଅଭିବୃଦ୍ଧି, ଆଧୁନିକୀକରଣ ଓ ସଂଯୋଗୀକରଣ ସମ୍ଭବ ହେବ। ବଜେଟ୍‌ରେ ୬ ଷ୍ଟେସନ୍‌କୁ ପୁନର୍ବିକାଶ ପାଇଁ ବ୍ୟୟବରାଦ ହୋଇଛି। ୩୪୮ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଷ୍ଟେସନ୍‌, ୩୦୮ କୋଟିରେ ଭୁବନେଶ୍ୱର, ୩୦୩ କୋଟିରେ କଟକ, ୧୬୨ କୋଟିରେ ପୁରୀ, ୧୯୭ କୋଟିରେ ବାଲେଶ୍ୱର, ୪୧ କୋଟିରେ ରାୟଗଡ଼ା ଏବଂ ୪୩ କୋଟି ବ୍ୟୟରେ ଭଦ୍ରକ ରେଳଷ୍ଟେସନ୍‌ର ପୁନର୍ବିକାଶ ହେଉଛି। ସେହିପରି ଚାଲୁଥିବା ପ୍ରକଳ୍ପ ଓ ଭବିଷ୍ୟତର ନିବେଶ ଭାରତର ରେଳ ନେଟ୍‌ୱାର୍କରେ ଏକ ପ୍ରମୁଖ ଭାଗିଦାରୀ ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ସୋମବାର ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ବଜେଟ୍‌ରେ ୨୦୦୯-୨୦୧୪ ଅବଧିରେ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କା ଆବଣ୍ଟିତ ହୋଇଥିଲାବେଳେ ଚଳିତ ବଜେଟ୍‌ରେ ୧୦,୫୯୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ତିନିବର୍ଷ ମଧ୍ୟରେ ରେଳ ବିକାଶ ପାଇଁ ଓଡ଼ିଶାକୁ ବାର୍ଷିକ ୧୦ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବଜେଟ୍ ରାଶି ଯୋଗାଇ ଦିଆଯାଇଛି। ରାଜ୍ୟର ରେଳ ବିକାଶ କ୍ଷେତ୍ରରେ ୭୮ହଜାର କୋଟି ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଏହା ବ୍ୟତୀତ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦ହଜାର କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି। ରେଳମନ୍ତ୍ରୀ କହିଛନ୍ତି ଯେ ୨୦୧୪-୨୦୨୫ ମଧ୍ୟରେ, ୧୮୬ କିଲୋମିଟର ନୂତନ ଟ୍ରାକ୍ ବାର୍ଷିକ ହାରାହାରି ବିଛାଯାଇଛି। ୨୦୦୯-୨୦୧୪ ମଧ୍ୟରେ ହାରାହାରି ୫୩ କିଲୋମିଟର ଥିଲା। ଏହା ୨୦୦୯-୨୦୧୪ ସମୟ ମଧ୍ୟରେ ଯୋଡ଼ାଯାଇଥିବା ଟ୍ରେନ୍ ଲାଇନ୍ ଅପେକ୍ଷା ୩.୫ ଗୁଣ ଅଧିକ। ଓଡ଼ିଶାର ବିଦ୍ୟୁତୀକରଣ ପ୍ରୟାସରେ ୪.୫ ଗୁଣ ବୃଦ୍ଧିଘଟିଛି। ୨୦୧୪-୨୦୨୫ ମଧ୍ୟରେ ୧୩୮ କିଲୋମିଟର ହାରାହାରି ବିଦ୍ୟୁତୀକରଣ ଟ୍ରାକ୍ ହୋଇଛି। ତାହା ୨୦୦୯-୧୪ ଅବଧିରେ ମାତ୍ର ୨୯କିଲୋମିଟର ଥିଲା। ଓଡ଼ିଶା ମଧ୍ୟ ୧୦୦% ବିଦ୍ୟୁତୀକରଣ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ୧୫୧୬ କିଲୋମିଟର ଟ୍ରାକ୍‌କୁ ବିଦ୍ୟୁତୀକରଣ କରାଯାଇଛି।

ରେଳ ମନ୍ତ୍ରୀ କହିଛନ୍ତି, ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୨୦୪୬ କିଲୋମିଟରରୁ ଅଧିକ ନୂତନ ଟ୍ରାକ୍ ନିର୍ମାଣ କରାଯାଇଛି। ତାହା ମାଲେସିଆର ସମଗ୍ର ରେଳ ନେଟ୍‌ୱାର୍କକୁ ଅତିକ୍ରମ କରିଛି। ବର୍ତ୍ତମାନ, ୪୮ଟି ନୂତନ ଟ୍ରାକ୍ ପ୍ରକଳ୍ପ ଚାଲିଛି। ମୋଟ୍ ୪,୭୮୪ କିଲୋମିଟର ଟ୍ରାକ୍ ବିକଶିତ ହେଉଛି। ଏଥିପାଇଁ ୭୩,୭୨୩ କୋଟି ଟଙ୍କା ନିବେଶ ହେବ। ଅମୃତ ଷ୍ଟେସନ ବାବଦରେ ବଜେଟ୍‌ରେ ୨,୩୭୯ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର ଏବଂ ରାଉରକେଲା ଭଳି ପ୍ରମୁଖ ଷ୍ଟେସନ୍‌ମାନଙ୍କ ସମେତ ସାରା ଓଡ଼ିଶାରେ ୫୯ଟି ଷ୍ଟେସନ୍‌ର ବିକାଶ କରାଯାଉଛି। ୧୮୯୮ କିଲୋମିଟର ରେଳଲାଇନ୍ ପାଇଁ କବଚ ସୁରକ୍ଷା ବ୍ୟବସ୍ଥାକୁ ମଞ୍ଜୁର କରାଯାଇଛି, ୬୪୫ କିଲୋମିଟର ପାଇଁ କାର୍ଯ୍ୟ ଏବଂ ଟେଣ୍ଡର୍ ପ୍ରକ୍ରିୟା ଜାରି ରହିଛି। ସୁରକ୍ଷା ବୃଦ୍ଧି ପାଇଁ ମୋଟ ୧,୦୦୦ ଲୋକୋମୋଟିଭ୍ ସିଷ୍ଟମ୍ ସହିତ ସଂଯୁକ୍ତ କରାଯିବ।

ରେଳମନ୍ତ୍ରୀ କହିଛନ୍ତି, ୨୦୧୪ରୁ, ୫୨୨ଟି ରେଳ ଫ୍ଲାଏଓଭର୍ ଓ ଅଣ୍ଡର୍‌-ବ୍ରିଜ୍ ନିର୍ମାଣ କରାଯାଇଛି। ଏହା ସହିତ, ୨୩୪ଟି ଷ୍ଟେସନ୍‌ରେ ୱାଇ-ଫାଇ, ୪୩ଟି ଲିଫ୍ଟ, ୧୮ଟି ଏସ୍କେଲେଟର୍ ସ୍ଥାପନ କରାଯାଇଛି। ୬ ବନ୍ଦେ ଭାରତ ଟ୍ରେନ୍ ଏବେ ସାରା ଓଡ଼ିଶାରେ ଚଳାଚଳ କରୁଛି। ସେସବୁ ୧୭ ଜିଲ୍ଲା ଓ ୨୫ ଅନନ୍ୟ ଷ୍ଟପେଜ୍‌କୁ ସଂଯୋଗ କରୁଛି। ଏଥିଯୋଗୁଁ ଯାତ୍ରୀମାନେ ଆଧୁନିକ, ଦ୍ରୁତଗତିର ଯାତ୍ରା କରିପାରୁଛନ୍ତି। ମାଲଦା ଟାଉନ୍ ଓ ବେଙ୍ଗାଲୁରୁ ମଧ୍ୟରେ ଚାଲୁଥିବା ଏକ ଅମୃତ ଭାରତ ଏକ୍ସପ୍ରେସ୍ ୫ ରାଜ୍ୟକୁ ସଂଯୋଗ କରୁଛି। କୋଲକାତାରୁ ଚେନ୍ନାଇ ପର୍ଯ୍ୟନ୍ତ ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଦ୍ରୁତଗତିରେ ଅଗ୍ରଗତି କରୁଛି, କୋଲକାତା ଏବଂ ଭଦ୍ରକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିକାଂଶ କାର୍ଯ୍ୟ ସମାପ୍ତ ହୋଇଛି। ତୃତୀୟ ଲାଇନ୍ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁରହିଛି ଏବଂ ଭବିଷ୍ୟତରେ ଚତୁର୍ଥ ଲାଇନ୍ କାର୍ଯ୍ୟ ପାଇଁ ପ୍ରକ୍ରିୟାକରଣ କରାଯିବ। ବୈଷ୍ଣବ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାର ରେଳ ବିକାଶର ରୂପାନ୍ତରଣ ପାଇଁ ସେମାନଙ୍କର ଅକୁଣ୍ଠ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ବିଶାଳ ପ୍ରକଳ୍ପ ପାଇଁ “ଡବଲ୍ ଇଞ୍ଜିନ୍ ସରକାର’ ମଡେଲ୍‌ର ଗୁରୁତ୍ୱାରୋପ କରିଥିଲେ।

‘ବିକଶିତ ଓଡ଼ିଶା’ ନିର୍ମାଣରେ ହେବ ସହାୟକ: ମୁଖ୍ୟମନ୍ତ୍ରୀ
ଓଡ଼ିଶାର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ଆର୍ôଥକବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳ ବଜେଟ୍ ବାବଦରେ ମୋଟ୍ ୧୦,୫୯୯ କୋଟି ମଞ୍ଜୁର ପ୍ରଦାନ କରାଯାଇଛି। ଏହାଦ୍ୱାରା ରେଳପଥର ବିକାଶ, ଭିତ୍ତିଭୂମିର ଉନ୍ନତି ଇତ୍ୟାଦି ତ୍ୱରାନ୍ୱିତ ହେବ। ଯାହାକି ରାଜ୍ୟର ଆର୍ôଥକ ସ୍ଥିତିକୁ ସୁଦୃଢ଼ କରିବା ସହ ‘ବିକଶିତ ଓଡ଼ିଶା’ ନିର୍ମାଣରେ ସହାୟକ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ସିତାରମଣ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

ରେଳବାଇ ବିକାଶକୁ ବଡ଼ ଗତି ମିଳିବ: ଧର୍ମେନ୍ଦ୍ର
ମୋଦୀ ସରକାରଙ୍କ ତୃତୀୟ ପାଳିରେ ଆର୍ôଥକ ବର୍ଷ ୨୦୨୫-୨୬ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଓଡ଼ିଶାକୁ ରେଳ କ୍ଷେତ୍ରରେ ୧୦ ହଜାର ୫୯୯ କୋଟି ଟଙ୍କା ରେକର୍ଡ ସଂଖ୍ୟକ ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବିକଶିତ ଭାରତ ବଜେଟ୍‌ରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ରେଳ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ମୋଦୀ ସରକାର ଗୁରୁତ୍ୱ ଦେଇଛନ୍ତି। ପୂର୍ବ କଂଗ୍ରେସ ସରକାର ଶେଷ ୫ବର୍ଷରେ ହାରାହାରି ରାଜ୍ୟକୁ ବାର୍ଷିକ ୮୩୮ କୋଟି ଟଙ୍କା ଅନୁଦାନ ମିଳୁଥିଲା। ମାତ୍ର ମୋଦୀ ସରକାରରେ ଚଳିତ ରେଳ ବଜେଟ୍‌ରେ ଓଡ଼ିଶାର ରେଳ କ୍ଷେତ୍ର ପାଇଁ ଯେଉଁ ଅନୁଦାନ ମିଳିଛି, ତାହା କଂଗ୍ରେସ ସରକାର ତୁଳନାରେ ହାରାହାରି ପ୍ରାୟ ୧୨.୫ ଗୁଣା ବୃଦ୍ଧି ଘଟିଛି। ପୂର୍ବୋଦୟ ମିଶନରେ ଏହି ରେକର୍ଡସଂଖ୍ୟକ ରେଳ ଅନୁଦାନ ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯାତ୍ରୀ ସୁବିଧାକୁ ଅଧିକ ସୁଗମ କରିବ ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking