ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସକୁ “ଆମ ରୁଚି ଆମ ଖାଦ୍ୟ ଦିବସ” ଭାବେ ପାଳନ କରାଯାଇଥିଲା। ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ମିଲେଟ ଜାତୀୟ ପୁଷ୍ଟିକର ଖାଦ୍ୟ, ଓଡ଼ିଆ ପାରମ୍ପରିକ ମିଠା, ବିଭିନ୍ନ ପ୍ରକାରର ପିଠା, ଦହିବରା-ଆଳୁଦମ୍ ସହିତ ଅନେକ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଓଡ଼ିଆ ପାରମ୍ପରିକ ଖାଦ୍ୟ ସମସ୍ତଙ୍କର ମନଜିଣିବା ସହ ଆମ ପାରମ୍ପରିକ ଖାଦ୍ୟ ଆମକୁ ଏକ ଅନନ୍ୟ ପରିଚୟ ପ୍ରଦାନ କରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସେହିପରି ଆଜି ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆନୁକୂଲ୍ୟରେ ମଧ୍ୟ “ଆମ ରୁଚି ଆମ ଖାଦ୍ୟ” ଦିବସ ପାଳନ କରାଯାଇଥିଲା। ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଓଡ଼ିଆ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ ହୋଇଥିଲା। ବିଭିନ୍ନ ଜିଲ୍ଲାରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଭାମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୪ ତାରିଖ ଅର୍ଥାତ୍ ଓଡ଼ିଆ ପକ୍ଷ ପାଳନର ଉଦ୍ଯାପନୀ ସମାରୋହ ତଥା ରାଜ୍ୟ ସ୍ତରୀୟ ଓଡ଼ିଆ ନବ ବର୍ଷ ଉତ୍ସବ ଭୁବନେଶ୍ୱର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବେ।










