28.7 C
Bhubaneswar
Friday, April 10, 2026
Homeଓଡିଶାଓଡ଼ିଆ ପକ୍ଷ : ପିପିଲି ରାଜପଥରେ ଓଡ଼ିଶାର ଲୋକକଳାର ମହାକୁମ୍ଭ

ଓଡ଼ିଆ ପକ୍ଷ : ପିପିଲି ରାଜପଥରେ ଓଡ଼ିଶାର ଲୋକକଳାର ମହାକୁମ୍ଭ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ପୁରୀ ଜିଲ୍ଲାର ପିପିଲି ଠାରେ ରାଜ୍ୟ ସ୍ତରୀୟ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଆୟୋଜିତ ହୋଇଯାଇଛି। “ଲୋକକଳା ପାଇଁ ଦିନଟିଏ” ଉତ୍ସବରେ ରାଜ୍ୟର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ୮୦୦ରୁ ଉର୍ଦ୍ଧ୍ୱ କଳାକାରମାନେ ପିପିଲିର ରାଜପଥରେ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ପ୍ରଦର୍ଶିତ କରିଥିଲେ। ଏଥିସହ ଜବାହର ବିଦ୍ୟାପୀଠ ଠାରୁ ପଦାପଡ଼ିଆ ପର୍ଯ୍ୟନ୍ତ ଏକ ରାଲିରେ ନିଜର କଳା ଓ ନୃତ୍ୟକୁ ପ୍ରଦର୍ଶିତ କରିଥିଲେ। ଭଦ୍ରକର ମୋଗଲ ତାମସା ଓ ଲଉଡ଼ି ନୃତ୍ୟ, ବାଲେଶ୍ୱରର ନୀଳଗିରି ଛଉ, ବରଗଡ଼ର ଦୁଲଦୁଲି, ରସରକେଲି, ବଜଶାଲ, ବୌଦ୍ଧର ଦଣ୍ଡନୃତ୍ୟ, ଶବର ଶବରୁଣୀ, ବଲାଙ୍ଗୀରର ବଜନିଆ, ନଚନିଆ, କଟକର ଗୋପାଳ ଲଉଡ଼ି, ପାଲା, ଗଞ୍ଜାମର ଯୋଡ଼ିଶଙ୍ଖ, ପଶୁମୁଖା, ବାଘନାଚ, ସଖୀ କଣ୍ଡେଇ, ରଣପା, ଗଜପତିର ଭାରତ ଲୀଳା, ପ୍ରହଲ୍ଲାଦ ନାଟକ, ଝାରସୁଗୁଡ଼ାର ଡ଼ାଲଖାଇ, ସମ୍ବଲପୁରୀ, କନ୍ଧମାଳର କୁଇନୃତ୍ୟ, ଖୋର୍ଦ୍ଧାର ଗୋଟିପୁଅ, ପାଲି ନୃତ୍ୟ, ପାଇକ ଆଖଡ଼ା, କଳାହାଣ୍ଡିର ଘୁମୁରା, କେଉଁଝରର ଚାଙ୍ଗୁନୃତ୍ୟ, ଝୁମର, କରମ୍, ନୟାଗଡ଼ର ଖଞ୍ଜଣି ନୃତ୍ୟ, ଘଣ୍ଟ ମୃଦଙ୍ଗ, କେନ୍ଦ୍ରାପଡ଼ା ରାମଲୀଳା, ପୁରୀର ଘୋଡ଼ାନାଚ, ବଡ଼ ଘୋଡ଼ାନାଚ, ବଗ ବଗୁଲି, ସଂକୀର୍ତ୍ତନ, ନବଦୁର୍ଗା ନୃତ୍ୟ ଆଦିକୁ ଖୁବ ସୁନ୍ଦର ଭାବେ କଳାକାରମାନେ ରାଜପଥରେ ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମର ରାଜ୍ୟ ସରକାରଙ୍କ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, “ଓଡ଼ିଆ ପକ୍ଷ ହେଉଛି ଓଡ଼ିଆ ଅସ୍ମିତାର ମହାପର୍ବ। ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିନଟି ଓଡ଼ିଶାର ଲୋକକଳା ପାଇଁ ସମର୍ପିତ। ସାରା ରାଜ୍ୟରେ ଓଡ଼ିଆ ପକ୍ଷକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ଆମ ଲୋକକଳା ଆମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଏଥିନିମନ୍ତେ ମୁଁ ସମସ୍ତ କଳାକାରମାନଙ୍କୁ ସାଧୁବାଦ ଜଣାଉଛି। ଆମ ଲୋକକଳାର ବିକାଶ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆମେ ଯେପରି ବିଶ୍ୱବିଦିତ କରିପାରିବା, ସେ ଦିଗରେ ଆମେ ମିଳିମିଶି କାର୍ଯ୍ୟ କରିବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତପ୍ରକାଶ କରିଥିଲେ। ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଏବଂ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସମୃଦ୍ଧ ଲୋକକଳା ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ଓଡ଼ିଆମାନଙ୍କୁ ଆଜି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି ମତପ୍ରକାଶ କରିଥିଲେ। ଆଜି ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମଧ୍ୟ “ଲୋକକଳା ପାଇଁ ଦିନଟିଏ” ଉତ୍ସବ ଅନୁଷ୍ଠିତ ହେବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ରାଜ୍ୟ ସ୍ତରୀୟ ଲୋକକଳା ଉତ୍ସବରେ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସ୍ନେହା ଅରୁଗୁଲା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ମିତା ମହାନ୍ତି, ଉପ ନିର୍ଦ୍ଦେଶକ ଶ୍ରୀମତୀ ଶୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking