ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଏକାଦଶ ଦିବସରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ “ଅମୃତ ପିଢ଼ି ସାରସ୍ୱତ ସମାରୋହ” ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଥିବା “ଅମୃତ ପିଢ଼ି ସାରସ୍ୱତ ସମାରୋହ” କାର୍ଯ୍ୟକ୍ରମରେ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗଳ୍ପ, କବିତା ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଗଳ୍ପ ପ୍ରତିଯୋଗିତା ପାଇଁ “ଦେଶ” କବିତା ପାଇଁ “ଭାରତ ବର୍ଷ” ଏବଂ ପ୍ରବନ୍ଧ ପ୍ରତିଯୋଗିତା ପାଇଁ “ମୋ ସ୍ୱପ୍ନର ଓଡ଼ିଶା” ବିଷୟ ବସ୍ତୁ ରହିଥିଲା।
ଉକ୍ତ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ୩୦ଜଣ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ନବ ବର୍ଷ ଅର୍ଥାତ ଏପ୍ରିଲ ୧୪ ତାରିଖ ଦିନ ରାଜ୍ୟ ସ୍ତରୀୟ ଓଡ଼ିଆ ନବ ବର୍ଷ ଉତ୍ସବରେ ସମ୍ବର୍ଦ୍ଧିତ କରାଯିବ। ଆଜିର କାର୍ଯ୍ୟକ୍ରମରେ ଗଳ୍ପ, କବିତା ଓ ପ୍ରବନ୍ଧ ଲିଖନ ଶୈଳୀକୁ ନେଇ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ବିଶିଷ୍ଟ ସାହିତ୍ୟିକ ଡ଼. ଗୌରହରି ଦାଶ, ଶ୍ରୀ ଦେବ ପ୍ରସାଦ ଦାଶ, ଡ଼. ଅରବିନ୍ଦ ରାୟ, ଶ୍ରୀ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଶ୍ରୀ ପ୍ରଦୀପ ବିଶ୍ୱାଳ, ଶ୍ରୀ ଅରୁଣ କୁମାର ସାହୁ, ଡ଼. ଦିଲୀପ କୁମାର ସ୍ୱାଇଁ, ଡ଼. ମନୋରଞ୍ଜନ ପାଣିଗ୍ରାହୀ, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ବାବାଜୀ ପଟ୍ଟନାୟକ, ଶ୍ରୀ ଦାସ ବେନୁହର, ଶ୍ରୀ ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ଯୋଗଦେଇ ଉତ୍ତମ ଗଳ୍ପ, କବିତା ଓ ପ୍ରବନ୍ଧ ରଚନା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା କହିଥିଲେ ଯେ, “ଅମୃତ ପିଢ଼ି ସାରସ୍ୱତ ସମାରୋହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ସୃଜନାତ୍ମକ କଳାକୁ ପରିସ୍ଫୁଟନ କରିବା ଦିଗରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି। ଯୁବ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ରହିଥିବା ଭଲ ପାଇବା ଆମ ସମସ୍ତଙ୍କୁ ପ୍ରେରିତ କରିଛି ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ମତପ୍ରକାଶ କରିଛନ୍ତି।










