ଭୁବନେଶ୍ୱର: ନୂଆପଡ଼ାରେ ଗୁରୁବାର ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ନୂଆପଡ଼ା ବିକାଶ ଦାୟିତ୍ୱ ମୋର, କଥା ଦେଇ କଥା ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦଳୀୟ ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କ ପାଇଁ ଭୋଟ ଭିକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନୂଆପଡ଼ା ଇତିହାସରେ ନୂଆ ଫର୍ଦ୍ଧ ଯୋଡ଼ି ହେବାକୁ ଯାଉଛି । ଏବେଠାରୁ ନୂଆପଡ଼ାବାସୀ ଡବଲ ଇଞ୍ଜିନ ସରକାରର ବିକାଶ ଦେଖିବେ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ଉପନିର୍ବାଚନରେ କଥା ଦେଇ କଥା ରଖୁନଥିଲେ । ମାତ୍ର ମୁଁ ଏହା ଭିତରେ ନୂଆପଡ଼ା ପାଇଁ ୧୧୦୦ କୋଟିର ପ୍ରକଳ୍ପ ଘୋଷଣା କରିଛି । ଜୟ ଢେ଼ାଲକିଆଙ୍କ ପ୍ରତି ବିଜେଡି ନେତାଙ୍କ ବ୍ୟକ୍ତିଗତ ଆରୋପ ଠିକ ନୁହେଁ । ତାହାକୁ ଆଦୌ ଗ୍ରହଣ କରାଯାଇପାରିବ ନାହିଁ । ଆଉ ନବୀନ ବାବୁ ଏଭଳି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନକରି ଚୁପ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନୂଆପଡ଼ାବାସୀ ଏହି ଘୃଣ୍ୟ ମନ୍ତବ୍ୟର ଦୃଢ ଜବାବ ଦେବେ । ବିଜେଡିକୁ ଜିଲ୍ଲା ଭିତରେ ପ୍ରାର୍ଥୀ ମିଳିଲା ନାହିଁ, ବାହାରୁ ଜିଲ୍ଲାରୁ ଆଣିଲେ । ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ କେବେ ଗ୍ରହଣ କରିବେ ନାହିଁ । କଂଗ୍ରେସ ଓ ବିଜେଡି ଗୋଟିଏ ରାସ୍ତାରେ ଅଗ୍ରସର ହେଉଛନ୍ତି । ବିଜେଡି ଆଦୌ ପ୍ରତିଦ୍ୱନ୍ଦ୍ୱିତାରେ ନାହିଁ । ଲୋକେ ଦେଖିବେ । ଏଥର ନୂଆପଡ଼ାରେ ବିଜେପିର ଏକପାଖିଆ ବିଜୟ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।










