ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତୀୟ ଗୀତ “ବନ୍ଦେ ମାତରମ୍’ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଗୃହ ମନ୍ତ୍ରଣାଳୟ ନିଜ ଆଦେଶରେ ଉଲ୍ଲେଖ କରିଛି ଯେ “ବନ୍ଦେ ମାତରମ୍’ ଏବେ ସମସ୍ତ ସରକାରୀ କାର୍ଯ୍ୟକ୍ରମ, ସ୍କୁଲ ଏବଂ ଅନ୍ୟାନ୍ୟ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଅବସରରେ ପରିବେଷଣ କରାଯିବ। ସେହିପରି ଜାତୀୟ ସଂଗୀତ ‘ଜନ ଗଣ ମନ’ ପରି ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବା ସମୟରେ ମଧ୍ୟ ଛିଡ଼ା ରହିବାକୁ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ନୂତନ ନିୟମ ଅନୁଯାୟୀ, ବନ୍ଦେ ମାତରମ୍ରେ ଥିବା ସମସ୍ତ ୬ଟି ଯାକ ପଦ୍ୟାଂଶକୁ ଏକାଥରକେ ବା ସାମୂହିକ ଭାବେ ଗାନ କରାଯିବ। କୌଣସି ପରିସ୍ଥିତିରେ ମଧ୍ୟରେ ଏହାକୁ ଅଧା ଗାନ କରାଯିବ ନାହିଁ। ବନ୍ଦେ ମାତରମ୍ ଗାନ ପାଇଁ ମୋଟ ସମୟ ଅବଧି ୩ ମିନିଟ୍ ୧୦ ସେକେଣ୍ଡ (୧୯୦ ସେକେଣ୍ଡ୍) ଧାର୍ଯ୍ୟ କରାଯାଇଛି। ଆଜି ପର୍ଯ୍ୟନ୍ତ, ମୂଳ ଗୀତର କେବଳ ପ୍ରଥମ ଦୁଇଟି ପଦ ହିଁ ପ୍ରାୟତଃ ଗାନ କରାଯାଇଆସୁଥିଲା। ଯଦିଓ ଏହି ନିର୍ଦ୍ଦେଶ ସରକାରଙ୍କ ପକ୍ଷରୁ ଗତ ଜାନୁଆରୀ ୨୮ ତାରିଖରେ ହିଁ ଜାରି କରାଯାଇଥିଲା, କିନ୍ତୁ ଗଣମାଧ୍ୟମ ଫେବୃଆରୀ ୧୧ ତାରିଖରେ ଏହା ରିପୋର୍ଟ କରିଛି।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶନାମାରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଯଦି ଜାତୀୟ ଗୀତ “ବନ୍ଦେ ମାତରମ୍’ ଏବଂ ଜାତୀୟ ସଙ୍ଗୀତ “ଜନ ଗଣ ମନ’ ଏକାଠି ଗାନ କରିବାକୁ ହୁଏ ତେବେ ସର୍ବପ୍ରଥମେ ‘ବନ୍ଦେ ମାତରମ୍’ ଏବଂ ଏହା ପରେ ‘ଜନ ଗଣ ମନ’ ଗାନ କରାଯିବ। ଉଭୟ ଜାତୀୟ ସଂଗୀତ ଏବଂ ଜାତୀୟ ଗୀତ ଗାନ ସମୟରେ ଯେଉଁମାନେ ଗାଉଛନ୍ତି କିମ୍ବା ଶୁଣୁଛନ୍ତି ସେମାନଙ୍କୁ ସତର୍କତା ପାଳନ ପୂର୍ବକ ନିଜ ଆସନରୁ ଉଠି ଛିଡା ହେବାକୁ ପଡ଼ିବ। ସେହିପରି ସ୍କୁଲଗୁଡ଼ିକରେ ମଧ୍ୟ ପ୍ରଥମେ ବନ୍ଦେ ମାତରମ୍ ଏବଂ ଏହା ପରେ ଜାତୀୟ ସଂଗୀତ ଗାନ କରାଯିବ। ଏହା ପରେ ହିଁ ସ୍କୁଲରେ ପାଠ ପଢ଼ା ଆରମ୍ଭ ହେବ। ତେବେ ସିନେମା ହଲ୍ଗୁଡ଼ିକୁ ଏହି ରାଷ୍ଟ୍ରଗୀତ ସମ୍ପର୍କିତ ଜାରି ନୂତନ ନିୟମରୁ ମୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି “ବନ୍ଦେ ମାତରମ୍’ ବଜାଇବା ଏବଂ ଚଳଚ୍ଚିତ୍ର ଆରମ୍ଭ ହେବା ପୂର୍ବରୁ ଫିଲ୍ମ ହଲ୍ରେ ଥିବା ବ୍ୟକ୍ତିବିଶେଷମାନେ ଛିଡା ହେବା ବାଧ୍ୟତାମୂଳକ ହେବ ନାହିଁ। କିନ୍ତୁ ରାଷ୍ଟ୍ରୀୟ ସଂଗୀତ ‘ଜନ ଗଣ ମନ’ ବାଜିବା ସମୟରେ ପୂର୍ବବତ୍ ଛିଡା ହେବାକୁ ପଡ଼ିବ।
ରାଷ୍ଟ୍ରଗୀତ ଭାବେ ପରିଚିତ ‘ବନ୍ଦେ ମାତରମ୍’କୁ ୧୮୭୫ ନଭେମ୍ବର ୭ ତାରିଖରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଲେଖିଥିଲେ। ଏହା ପ୍ରଥମେ ୧୮୮୨ ମସିହାରେ ତାଙ୍କ ଉପନ୍ୟାସ ଆନନ୍ଦମଠର ଅଂଶ ଭାବରେ ତାଙ୍କ ପତ୍ରିକା ବଙ୍ଗଦର୍ଶନରେ ପ୍ରକାଶିତ ହୋଇଥିଲା। ତେବେ ୧୮୯୬ ମସିହାରେ, ରବୀନ୍ଦ୍ରନାଥ ଟାଗୋର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ମଞ୍ଚ ଉପରେ “ବନ୍ଦେ ମାତରମ୍’ ଗାଇଥିଲେ। ଏହା ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ସାର୍ବଜନୀନ ଭାବରେ ଏହି ଗୀତ ଗାନ କରାଯାଇଥିଲା। ଉପସ୍ଥିତ ହଜାର ହଜାର ଲୋକ କାନ୍ଦି ପକାଇଥିଲେ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ, “ବନ୍ଦେ ମାତରମ୍” ଭାରତକୁ ଉପନିବେଶବାଦୀ ଶାସନରୁ ମୁକ୍ତ କରିବା ପାଇଁ ଲଢ଼ୁଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ଲୋଗାନରେ ପରିଣତ ହୋଇଥିଲା। ପ୍ରକାଶ, କେନ୍ଦ୍ର ସରକାର ବର୍ତ୍ତମାନ ବନ୍ଦେ ମାତରମ୍ର ୧୫୦ ତମ ବାର୍ଷିକୀ ପାଳନ କରୁଥିବା ବେଳେ ଏହାକୁ ନେଇ ଏକ ନୂଆ ନିୟମ ଲାଗୁ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ, ୭୭ତମ ଗଣତନ୍ତ୍ର ଦିବସର ମୁଖ୍ୟ ପରେଡର ବିଷୟବସ୍ତୁ “ବନ୍ଦେ ମାତରମ୍’ ଥିଲା। ପରେଡ ସମୟରେ ଏକ “ବନ୍ଦେ ମାତରମ୍’ ସାରଣୀ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଜାତୀୟ ଗୀତ ଗାନ ସମ୍ପର୍କରେ ବିସ୍ତୃତ ପ୍ରୋଟୋକଲ୍ ଜାରି କରାଯିବା ଦେଶରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।










