କଂଗ୍ରେସ ଭବନଠାରେ ଗଣମାଧ୍ୟମକୁ ବିବୃତି ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଅତି ଦୁଃଖଦ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ ଘଟଣାରେ ଜୀବନ ବଞ୍ଚାଇବାକୁ ଆସିଥିବା 13 ଜଣ ରୋଗୀଙ୍କ କରୁଣ ମୃତ୍ୟୁ ହେଲା କିନ୍ତୁ ସରକାରଙ୍କୁ ଏହି ଦାରୁଣ ଘଟଣା ସାମାନ୍ୟ ବିଚଳିତ ମଧ୍ୟ କଲାନାହିଁ। ରୋଗୀ ନିଆଁରେ ଜଳି ମୃତ୍ୟୁବରଣ କରୁଥିବାବେଳେ ଶାସକ ଦଳ ଏପଟେ ରାଜ୍ୟସଭା ନିର୍ବାଚନରେ ଘୋଡାବେପାର କରୁଥିଲା। ଏହାଠାରୁ ବଳି ରାଜ୍ୟ ପାଇଁ ଆଉ ଅଧିକ ଲଜ୍ୟାଜନକ ଘଟଣା କଣ ହୋଇଥାଇପାରେ। ରୋଗୀଙ୍କ ଅକାଳ ମୃତ୍ୟୁ ନୁହେଁ ବରଂ ଏହା ବ୍ୟବସ୍ଥାଗତ ଅବହେଳା ଜନିତ ହତ୍ୟା ହୋଇଛି। ଏହା ସମ୍ପୂର୍ଣରୂପେ ଅକ୍ଷମଣୀୟ। ତଥାପି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଲେ ନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ବହିଷ୍କାର କରିପାରିଲେ ନାହିଁ। ଯାହାର ବିଧାୟକ ହେବାର ମଧ୍ୟ ଯୋଗ୍ୟତା ନାହିଁ ତାହାଙ୍କୁ ମନ୍ତ୍ରୀ କରାଯାଇଛି। ଫଳ ଆପଣମାନଙ୍କ ଆଖି ସାମ୍ନାରେ।
ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ କଣ ମଜବୁରୀ ଅଛି ଯେ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବାହାର କରିପାରିଲେ ନାହିଁ। ଏପରିକି ମେଡିକାଲ କଲେଜ ହସ୍ପିଟାଲର ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ହାତ ମାରି ପାରିଲେ ନାହିଁ। ଏହା ସବୁଠୁ ଗୁରୁତ୍ୱପୂର୍ଣ ପ୍ରଶ୍ନ। ଅଯୋଗ୍ୟ ବିଧାୟକ ମନ୍ତ୍ରୀ ହେଲେ ସରକାର ଅପାରଗ ହେବା ସ୍ୱାଭାବିକ କଥା। ବିଜେପି ସରକାର ଏକ ଅପାରଗ ମାନବୀୟ ଭାବନା ରହିତ ଏକ ସରକାର ବର୍ତ୍ତମାନ ସାରା ଓଡ଼ିଶାର ଜନତା ଅନୁଭବ କରି ସାରିଲେଣି। ଏହି ସରକାରକୁ ହଟାଇବାକୁ ହେଲେ ଜନତାଙ୍କୁ ମୁହଁ ଖୋଲିବାକୁ ପଡ଼ିବ। ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ, ଆନ୍ଦୋଳନ ଆଦି କରିବାକୁ ପଡ଼ିବ ବୋଲି ଶ୍ରୀ ଦାସ ଅଗ୍ନିକାଣ୍ଡ ଜନିତ ରୋଗୀ ମୃତ୍ୟୁକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ।









