21.1 C
Bhubaneswar
Monday, December 22, 2025
Homeଓଡିଶାଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ୪ଟି ପ୍ରସ୍ତାବ

ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପାଇଁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ୪ଟି ପ୍ରସ୍ତାବ

– ବାଲେଶ୍ୱର ଠାରେ ପରିଷଦର ମୁଖ୍ୟାଳୟ ସ୍ଥାପନ

– ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି
– ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟି ଟଙ୍କା ବ୍ୟୟବରାଦ
– ଆଗାମୀ ବିଧାନସଭା ଅଧିବେଶନରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବିଧେୟକ ଉପସ୍ଥାପନା
ଭୁବନେଶ୍ୱର,: ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସ୍ୱାଗତ କରିଛନ୍ତି । ଉତ୍ତର ଓଡ଼ିଶାବାସୀଙ୍କ ହିତଦୃଷ୍ଟିରୁ ଏହା ଏକ ସମୟ ଉପଯୋଗୀ ପଦକ୍ଷେପ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢ଼ାଞ୍ଚାରେ ଯଥାଶ୍ରୀଘ୍ର ଉତ୍ତର ଓଡ଼ିଶା ବିକାଶ ପରିଷଦ ଏବଂ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରାଗଲେ ରାଜ୍ୟରେ ସମତୁଲ ବିକାଶ ସମ୍ଭବ ହେବା ସହ ପଛୁଆ ରହିଯାଇଥିବା ଅଞ୍ଚଳ ଗୁଡ଼ିକର ବିକାଶ ପ୍ରକ୍ରିୟା ଗତି ବଢ଼ି ପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଖଣି ଖାଦାନରେ ଭରପୁର ଉତ୍ତର ଓଡ଼ିଶା ରାଜ୍ୟ ରାଜକୋଷକୁ ସିଂହଭାଗ ରାଜସ୍ୱ ପ୍ରଦାନ କରୁଥିଲେ ମଧ୍ୟ ବିକାଶ କ୍ଷେତ୍ରରେ ପଛୁଆ ରହିଯାଇଛି । ଉନ୍ନତମାନର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ, ବିଦ୍ୟୁତ ସେବା, ପରିମଳ ଭଳି ମୌଳିକ ସୁବିଧାରୁ ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାବାସୀ ବଞ୍ଚିତ ଅଛନ୍ତି । ଶିଳ୍ପାୟନର ଅଭାବ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଅଭାବ, ପର୍ଯ୍ୟଟନ ଭିତ୍ତିଭୂମିର ଅଭାବ କାରଣରୁ ସ୍ଥାନୀୟ ଯୁବକଯୁବତୀଙ୍କୁ ରୋଜଗାର ମିଳିପାରୁନାହିଁ । ଫଳରେ ସେମାନେ ବାଧ୍ୟ ହୋଇ ରୋଜଗାର ଅନ୍ୱେଷଣରେ ଅନ୍ୟସ୍ଥାନକୁ ପଳାୟନ କରୁଛନ୍ତି । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦ୍ୱାରା ଏହାକୁ ବହୁମାତ୍ରାରେ ରୋକାଯାଇପାରିବ ।
ରାଜ୍ୟର ପଛୁଆ ଅଞ୍ଚଳର ବିକାଶ ପାଇଁ କଂଗ୍ରେସ ଶାସନକାଳରେ ୧୧ ନଭେମ୍ବର ୧୯୯୮ରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାପନ ଲାଗି ନିଷ୍ପତି ହୋଇଥିଲା । ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଆଦି ୫ଟି ଜିଲ୍ଲାକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ବିଗତ ଦିନରେ କ୍ରମାଗତ ଭାବେ ଦାବି କରିଆସିଛି । ଏହି ପ୍ରସଙ୍ଗରେ ଅନେକ ଥର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଉତ୍ତର ଓଡ଼ିଶା ବିକାଶ ପରିଷଦ ସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଦାବି ଉପସ୍ଥାପନ କରିଛି । ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ସରକାର ଗଠନ ହେବା ପରେ ସମତୁଲ ବିକାଶ ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ସ୍ଥାପନ ନିମନ୍ତେ ଏକ ଟାସ୍କଫୋର୍ସ ଗଠନ ନିଷ୍ପତି ହୋଇଛି । ଏଭଳି ନିଷ୍ପତିକୁ ମୁଁ ସ୍ୱାଗତ କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଉତ୍ତର ଓଡ଼ିଶା ବିକାଶ ପରିଷଦକୁ ପ୍ରଭାବଶାଳୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ତଥା ବିକାଶ ଇଞ୍ଜିନ ଭାବେ ଗଢ଼ି ତୋଳିବା ପାଇଁ ଶ୍ରୀ ପଟ୍ଟନାୟକ ଚାରିଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡ଼ିକ ହେଲା ପ୍ରଶାସନିକ ଦୃଷ୍ଟିରୁ ସୁବିଧା ପାଇଁ ବାଲେଶ୍ୱର ଠାରେ ପରିଷଦର ମୁଖ୍ୟାଳୟ ସ୍ଥାପନ, ୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ସ୍ଥାପନ, ବିକାଶ ମୂଳକ କାର୍ଯ୍ୟ ପାଇଁ ବାର୍ଷିକ ୩ ହଜାର କୋଟି ଟଙ୍କାର ବ୍ୟୟବରାଦ ଏବଂ ଆଗାମୀ ବିଧାନସଭା ଅଧିବେଶନରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ବିଧେୟକକୁ ପାରିତ କରିବା ପ୍ରସ୍ତାବ ରହିଛି । ଏଥିସହ ରାଜ୍ୟ ବଜେଟର ସମୁଦାୟ ଯୋଜନା ବ୍ୟୟର ୨୦ ପ୍ରତିଶତ ଉତ୍ତର ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଖର୍ଚ୍ଚ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking