28.1 C
Bhubaneswar
Friday, February 27, 2026
Homeଅପରାଧଅଣକ୍ୟାଡର ପବ୍ଲିକ୍‌ ପ୍ରସିକ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଅଣକ୍ୟାଡର ପବ୍ଲିକ୍‌ ପ୍ରସିକ୍ୟୁଟର ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଏକ ସୁସ୍ଥ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପ୍ରାଥମିକତା ରହିଆସିଛି । ଏହି କ୍ରମରେ ଆମ ଦେଶରେ ଭାରତୀୟ ନ୍ୟାୟ ସଂହିତାଠାରୁ ଆରମ୍ଭ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦି ପ୍ରଚଳନ ଆରମ୍ଭ ହୋଇଛି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ । ଏହି କ୍ରମରେ ବିଭିନ୍ନ ଜିଲ୍ଲାରେ ଅଣକ୍ୟାଡ଼ର ପବ୍ଲିକ୍‌ ପ୍ରସିକ୍ୟୁଟର ନିଯୁକ୍ତ ହୋଇଛନ୍ତି । ନବନିଯୁକ୍ତମାନେ ନ୍ୟାୟ ବ୍ୟବସ୍ଥାକୁ ତ୍ୱରିତ ଗତିରେ ଆଗେଇ ନେବା ଏବଂ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।

ଆଜି ଆଇନ ବିଭାଗ ଏବଂ ପବ୍ଲିକ୍‌ ପ୍ରସିକ୍ୟୁସନ୍‌ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅଣକ୍ୟାଡ଼ର ପବ୍ଲିକ୍‌ ପ୍ରସିକ୍ୟୁଟରମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଆମ ଦେଶରେ ପ୍ରଚଳିତ ନ୍ୟାୟ ବ୍ୟବସ୍ଥାରେ ପୀଡ଼ିତ ଓ ଅସହାୟମାନଙ୍କୁ ଆଇନ ସହାୟତା ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ ରହିଛି । ଏଣୁ ଦେଶର ଆଇନ ବ୍ୟବସ୍ଥାକୁ ଭଲ ଭାବେ ବୁଝିବା ସହିତ ନ୍ୟାୟ ପ୍ରକ୍ରିୟାକୁ କିଭଳି ସଠିକ୍‌ ଢଙ୍ଗରେ ଆଗେଇ ନେଇହେବ ସେଥିନେଇ ପବ୍ଲିକ୍‌ ପ୍ରସିକ୍ୟୁଟରମାନେ ଏହି ତାଲିମ ଶିବିରରୁ ଜ୍ଞାନ ଆହୋରଣ ନେବାକୁ ସେ ପରାମର୍ଶ ଦେଇଥିଲେ । ଏଥି ସହିତ ପରବର୍ତ୍ତୀ ସମୟରେ ପବ୍ଲିକ୍‌ ପ୍ରସିକ୍ୟୁଟରମାନଙ୍କୁ ନିୟମିତ ଅନ୍ତରାଳରେ ତାଲିମ ଓ ପ୍ରଶିକ୍ଷଣ ସହ ପ୍ରତିମାସରେ ସମସ୍ତଙ୍କ କାର୍ଯ୍ୟର ସମୀକ୍ଷା କରାଯିବା ନେଇ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ ସ୍ୱାଗତ ଭାଷଣ ଦେବା ସହ ପବ୍ଲିକ୍‌ ପ୍ରସିକ୍ୟୁଟରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସୂଚନା ଦେଇଥିଲେ । ପବ୍ଲିକ୍‌ ପ୍ରସିକ୍ୟୁସନ୍‌ର ନିର୍ଦ୍ଦେଶକ ଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିବାବେଳେ ଆଭାସି ମାଧ୍ୟମରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏବଂ ଅଣ-କ୍ୟାଡ଼ର ପବ୍ଲିକ୍‌ ପ୍ରସିକୁ୍ୟଟରମାନେ ଯୋଗଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ କଟକ, ଗଞ୍ଜାମ, ସମ୍ବଲପୁର, ବାଲେଶ୍ୱର, ପୁରୀ, କୋରାପୁଟ ଓ ଅନୁଗୁଳ ଜିଲ୍ଲାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ କ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ପୂର୍ବରୁ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଥିବାବେଳେ ଅଣକ୍ୟାଡର ପ୍ରସିକ୍ୟୁଟରମାନଙ୍କ ପାଇଁ ଏପରି ସଂଗଠିତ ପ୍ରୟାସ ପ୍ରଥମ ଥରପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଛି । ଓଡିଶା ଲ ଅଫିସର୍ସ ରୁଲ୍ସ, ୧୯୭୧ ଅନୁସାରେ ନବନିଯୁକ୍ତ ପ୍ରସିକ୍ୟୁଟରଙ୍କୁ ଧ୍ୟାନରେ ରଖି ଏହି ପ୍ରଶିକ୍ଷଣକୁ ସଂକ୍ଷିପ୍ତ ଓ ପ୍ରୟୋଜନମୂଳକ ଭାବରେ ଗଠନ ହୋଇଛି ।

ଏହି ପ୍ରଶିକ୍ଷଣରେ ଦୈନିକ ଅଦାଲତୀ କାର୍ଯ୍ୟ, ପ୍ରକ୍ରିୟାଗତ ଶୃଙ୍ଖଳା, ପେଶାଗତ ନୀତିମାନଦଣ୍ଡ ଓ ସମଗ୍ର ରାଜ୍ୟରେ ପ୍ରସିକ୍ୟୁସନ୍ ପ୍ରକ୍ରିୟାରେ ଏକରୂପତା ଉପରେ ଗୁରୁତ୍ୱ ଦିଆଯିବା। ବିଶେଷ କରି, ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) ପରି ନୂତନ ଆପରାଧିକ ଆଇନଗୁଡିକର କାର୍ଯ୍ୟକାରୀ ପ୍ରୟୋଗ ଉପରେ ଖାସ ଗୁରୁତ୍ୱ ଦିଆଯାଉଛି । ମକଦମାର ଶୀଘ୍ର ଓ କାର୍ଯ୍ୟକାରୀ ନିଷ୍ପତ୍ତି, ପ୍ରାକ୍ରିୟାଗତ ତ୍ରୁଟି କମିବା, ଅଦାଲତରେ ଦୃଢ଼ ଭାବେ ପ୍ରମାଣ ପ୍ରଦର୍ଶନ, ପୀଡ଼ିତଙ୍କୁ ସମୟୋପଯୁକ୍ତ ଓ ନ୍ୟାୟସଙ୍ଗତ ନ୍ୟାୟ ପରି ସୁପ୍ରଶିକ୍ଷିତ ପ୍ରସିକ୍ୟୁସନ୍ ବ୍ୟବସ୍ଥା ଲୋକମାନଙ୍କୁ ସିଧାସଳଖ ଲାଭ ଦେବ ଏବଂ ଏହା ଲୋକମାନଙ୍କ ମଧ୍ୟରେ ନ୍ୟାୟ ବ୍ୟବସ୍ଥା ପ୍ରତି ଆସ୍ଥାକୁ ଆହୁରି ବଢ଼ାଇବ I ଏହା ଦ୍ଵାରା ମକଦମା ପରିଚାଳନାରେ ତଦନ୍ତ କର୍ତ୍ତୃପକ୍ଷ ଓ ପ୍ରସିକ୍ୟୁଟରମାନଙ୍କ ମଧ୍ୟରେ ଭଲ ସମନ୍ୱୟ, ଚାର୍ଜ ଫ୍ରେମିଂ ଓ ପ୍ରମାଣ ପରିଚାଳନାରେ ସୁଧାର, ଅନାବଶ୍ୟକ ତାରିଖ ପଛକୁ ସରିବାର କମିବା, ମକଦମାର ଗୁଣମାନ ଓ ଫଳାଫଳରେ ସୁଧାର ଭଳି ସକାରାତ୍ମକ ପ୍ରଭାବ ଅନୁଭୂତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking