26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶଜିତନ୍‌ରାମଙ୍କ ମନ୍ତବ୍ୟରେ ନୀତୀଶ କ୍ଷୁବ୍ଧ; ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ସମ୍ଭବ ନୁହେଁ

ଜିତନ୍‌ରାମଙ୍କ ମନ୍ତବ୍ୟରେ ନୀତୀଶ କ୍ଷୁବ୍ଧ; ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ସମ୍ଭବ ନୁହେଁ

ପାଟନା: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଅନ୍ୟତମ ଅଂଶୀଦାର ଦଳ ଭାବେ ସାମିଲ ହୋଇଥିବା ଜେଡିୟୁ ଏବେ ଅନେକାଂଶରେ କ୍ଷୁବ୍ଧ ହୋଇପଡିଛି । ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯେଉଁଠି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ ବାରମ୍ବାର କେନ୍ଦ୍ର ଆଗରେ ଦାବି ଉଠାଇବାରେ ଲାଗିଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ସାମିଲ ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ୍ ଆୱାମ ମୋର୍ଚ୍ଚା (ହାମ୍‌)ର ମୁଖ୍ୟ ଜିତନ୍‌ରାମ ମାଞ୍ଝୀଙ୍କ ଏକ ମନ୍ତବ୍ୟ ଜେଡିୟୁର ଦାବିକୁ ପାଣିଚିଆ କରିଦେଇଛି ।
ରିପୋର୍ଟ ଅନୁସାରେ ଜିତନ୍‌ରାମ ମାଞ୍ଝୀ କହିଛନ୍ତି, ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ସମ୍ଭବ ନୁହେଁ । ନୀତି ଆୟୋଗ ମଧ୍ୟ ଆରମ୍ଭରୁ ଏହା ସ୍ପଷ୍ଟ କରିସାରିଛନ୍ତି ଯେ, ବର୍ତ୍ତମାନ ସମୟରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବା ଆଦୌ ସମ୍ଭବ ନୁହେଁ । ସୁତରାଂ ବିହାର ସରକାର ବର୍ତ୍ତମାନ ସମୟରେ ଏପ୍ରକାର ଦାବି କେନ୍ଦ୍ର ସମ୍ମୁଖରେ ରଖିବା ବା ବାରମ୍ବାର ଦୋହରାଇବାର କୌଣସି ଆବଶ୍ୟକତା ନାହିଁ । ଜିତନ୍‌ରାମ କହିଛନ୍ତି ଯେ, ବିହାରକୁ ବିଶେଷ ସହାୟତା ଯୋଗାଇବାକୁ କେନ୍ଦ୍ର ସର୍ବଦା ପ୍ରସ୍ତୁତ । କେନ୍ଦ୍ର ସରକାର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ରାସ୍ତା ନିର୍ମାଣ କରୁଛନ୍ତି । ଏହି କ୍ଷେତ୍ରଗୁଡିକର ସାମଗ୍ରିକ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ଯାହା ପୂର୍ବରୁ କେବେ ହୋଇନଥିଲା । ବିହାର ବିକାଶ ପ୍ରାଧୀକରଣ (ବିଡିଏ)ର ଦ୍ରୁତ ବିକାଶ ପାଇଁ ଏନ୍‌ଡିଏ ସରକାର ମଧ୍ୟ ସପକ୍ଷରେ ଅଛନ୍ତି ଏବଂ ସମାନ ଦିଗରେ କାର୍ଯ୍ୟ କରାଯାଉଛି । ଏସବୁ ସତ୍ତ୍ୱେ ବିହାର ସରକାର ସ୍ୱତନ୍ତ୍ର ମାନ୍ୟତା ଦାବି କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ତେବେ ଜିତନ୍‌ରାମ୍‌ଙ୍କ ଏପ୍ରକାର ମନ୍ତବ୍ୟ ଆସିବା ପରେ ବିହାରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ଏନ୍‌ଡିଏର ସହଯୋଗୀ ଦଳ ଜେଡିୟୁ ମଧ୍ୟ ବେଶ୍ କ୍ଷୁୂବ୍ଧ ହୋଇପଡିଛି ।
ପ୍ରକାଶ, ଏନ୍‌ଡିଏର ସହଯୋଗୀ ଜେଡିୟୁ ସମେତ ପ୍ରଦେଶ ବିଜେପି ପକ୍ଷରୁ ମଧ୍ୟ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦାବିକୁ ଏବେ ଜୋରଦାର କରାଯାଇଛି । ବିଜେପି କୋଟାରୁ ନୀତୀଶ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଏନେଇ ଦାବି କରିଛନ୍ତି । ସମ୍ରାଟ୍ ଚୌଧୁରୀ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏସମ୍ପର୍କରେ ଜଣାଇଥିବା ସୂଚନା ମିଳିଛି । ଉଭୟ ଜେଡିୟୁ ଏବଂ ପ୍ରଦେଶ ବିଜେପି ଅନୁସାରେ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦିଆଯିବା ଦ୍ୱାରା ବିହାରର କେବଳ ବହୁବିଧ ବିକାଶ ହେବ ତାହା ନୁହେଁ, ବରଂ ବିହାରରେ କାରଖାନା ଠାରୁ ଆରମ୍ଭ କରି ନୂତନ ଶିଳ୍ପ ନୀତି ମଧ୍ୟ କାର୍ଯ୍ୟକାରୀ ହେବ, ଯାହା ସମଗ୍ର ବିହାର ଏବଂ ବିହାରର ଲୋକଙ୍କୁ ଉପକୃତ କରିବ । ବିହାରରୁ ସ୍ଥାନାନ୍ତରଣ ମଧ୍ୟ ବନ୍ଦ ହେବ । ବିହାରର ସ୍ୱତନ୍ତ୍ର ରାଜ୍ୟ କିମ୍ବା ସ୍ୱତନ୍ତ୍ର ପ୍ୟାକେଜ୍ ପାଇବା ପରେ ବିହାରର ସ୍ଥିତି ସୁଧୁରିବ । ବିହାରକୁ ବିକାଶ ଗତି ଦେବା ପାଇଁ ବିଶେଷ ସାହାଯ୍ୟର ବହୁତ ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ, ବିରୋଧୀ ଦଳ ଭୂମିକା ନିର୍ବାହ କରୁଥିବା ଆରଜେଡି ମଧ୍ୟ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ଦାବିକୁ ସମର୍ଥନ କରିଆସୁଛି । କିନ୍ତୁ ଜେଡିୟୁ ପକ୍ଷରୁ ଏନେଇ କେନ୍ଦ୍ର ପାଖରେ କେବଳ ଦାବି ଉପସ୍ଥାପନର ଡ୍ରାମା କରାଯାଉଥିବା ଏବଂ ଜେଡିୟୁ ମଧ୍ୟ ବିଜେପି ସହ ଏକଜୁଟ୍ ହୋଇ ବିହାରବାସୀଙ୍କୁ ଠକିବାକୁ ଚେଷ୍ଟା କରୁଥିବା ଆରଜେଡି ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking