ନୂଆଦିଲ୍ଲୀ: ନିଟ୍ (ୟୁଜି) ପରୀକ୍ଷାରେ ହୋଇଥିବା ଅନିୟମିତତା ଉପରେ ସୋମବାର ସୁପ୍ରିମ୍କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ନିଟ୍ (ୟୁଜି) ପରୀକ୍ଷା ସମ୍ପର୍କୀତ ସମସ୍ତ ଆବେଦନକୁ ଭଲଭାବେ ଅନୁଧ୍ୟାନ କରାଯିବା ପରେ ଗୋଟିଏ କଥା ତ ସ୍ପଷ୍ଟ ହେଉଛି ଯେ, ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନପତ୍ର ଲିକ୍ କରାଯିବା ଭଳି ଅନିୟମିତତା ହୋଇଛି । ତେବେ ପ୍ରଶ୍ନପତ୍ର ଲିକ୍ ସହ ଅନ୍ୟ ଅନିୟମିତତା ଉପରେ ମଧ୍ୟ ଯେଉଁସବୁ ଅଭିଯୋଗ ରହିଛି ସେସବୁ ଉପରେ ସ୍ପଷ୍ଟ ପ୍ରମାଣ ଆସିବାକୁ ଅପେକ୍ଷା କରିବାକୁ ହେବ । ରିପୋର୍ଟ ଅନୁସାରେ ନିଟ୍ (ୟୁଜି) ଅନିମିୟତତା ସମ୍ପର୍କୀତ ପ୍ରାୟ ୩୮ଟି ମାମଲା ଉପରେ ଆଜି ସାମୂହିକ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି । ଖଣ୍ଡପୀଠରେ ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରା ମଧ୍ୟ ସାମିଲ ଅଛନ୍ତି ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ, ଆଜି ନିଟ୍ (ୟୁଜି) ଅନିୟମିତତା ମାମଲାରେ ତଦନ୍ତ କରୁଥିବା ତଦନ୍ତକାରୀ ଏଜେନ୍ସି ସିବିଆଇକୁ ତଦନ୍ତ ପ୍ରକ୍ରିୟାର ସବିଶେଷ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୧ ତାରିଖ ଅର୍ଥାତ୍ ଗୁରୁବାର ଦିନ ଏହି ମାମଲା ଉପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି କରିବେ । ସୁତରାଂ ବୁଧବାର (୧୦ ତାରିଖ) ସୁଦ୍ଧା ଏହି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍ବ୍ୟତୀତ ସୁପ୍ରିମକୋର୍ଟ ଉଭୟ ପରୀକ୍ଷା ନିୟାମକ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଓ କେନ୍ଦ୍ରକୁ ମଧ୍ୟ ଏହି ମାମଲାରେ ସମସ୍ତ ପ୍ରଶ୍ନର ଉତ୍ତର ସତ୍ୟପାଠ ଜରିଆରେ ୧୦ ତାରିଖ ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଏହି ମାମଲା ସହ ଜଡିତ ତିନୋଟି ମୁଖ୍ୟ ଦିଗ ଉପରେ ସମ୍ପୂର୍ଣ୍ଣ ଖୁଲାସା ପାଇଁ ସୋମବାର ସୁପ୍ରିମକୋର୍ଟ ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରଶ୍ନପତ୍ର ଲିକ୍ ସହ ଯଦି ଅନିୟମିତତାଜନିତ ଅଭିଯୋଗର ପ୍ରମାଣ ମିଳେ କିମ୍ବା ଏହା ପ୍ରମାଣିତ ହୁଏ ଯେ, ପୁନଃ ପରୀକ୍ଷା ଦ୍ୱାରା ଆଶାୟୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ନେଇ ସାମାନ୍ୟତମ ଆଭାସ ମିଳେ ତେବେ ପୁନଃ ନିଟ୍ (ୟୁଜି) ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି କରିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ । ସୁତରାଂ କେନ୍ଦ୍ର ଏବଂ ଏନ୍ଟିଏର ଉତ୍ତର ଆଧାରରେ ପୁଣିଥରେ ନିଟ୍ (ୟୁଜି) ପରୀକ୍ଷା କରାଯିବା, କରାନଯିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟରେ ନିଟ୍-ୟୁଜି ପରୀକ୍ଷା ବାତିଲ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ପ୍ରଧାନ ବିଚାରପତି (ସିଜେଆଇ) ଉଭୟ କେନ୍ଦ୍ର, ଏନ୍ଟିଏ ପକ୍ଷଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ । ପରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସିଜେଆଇଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ \”ପରୀକ୍ଷାର ପବିତ୍ରତା ଆପୋଷ ବୁଝାମଣା ହୋଇଥିବା ସ୍ପଷ୍ଟ କରିଛନ୍ତି ।
ଖଣ୍ଡପୀଠ କହିବାନୁସାରେ ଏହି ମାମଲା କେବଳ ଆବେଦନକାରୀଙ୍କ ମାମଲା ନୁହେଁ ବରଂ ଏହା ନିଟ୍ (ୟୁଜି) ପରୀକ୍ଷା ଦେଇଥିବା ୨୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ପ୍ରଶ୍ନ । ସୁତରାଂ କିଛି ପିଲାଙ୍କ ଯୋଗୁ ପୂରା ପରୀକ୍ଷା ପ୍ରକ୍ରିୟାକୁ ବାତିଲ କରାଯିବା କିମ୍ବା ପୁନଃ ପରୀକ୍ଷା କରାଯିବା ପ୍ରସ୍ତାବକୁ ସୁପ୍ରିମକୋର୍ଟ ଗ୍ରହଣ କରିପାରିବେ ନାହିଁ । ଏସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ହେଲେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଅନ୍ୟ ଅନିୟମିତତାର ପରିମାଣ ସମ୍ପର୍କରେ ମୂଲ୍ୟାୟନ କରିବାକୁ ହେବ । କେତେ ପରୀକ୍ଷାର୍ଥୀ ଏହି ଅନିୟମିତତାରେ ସମ୍ପୃକ୍ତ ଅଛନ୍ତି ସେସମ୍ପର୍କରେ ବ୍ୟାପକ ତଦନ୍ତ କରାଯିବା ଉଚିତ୍ । ଯଦି ଏହା ସ୍ପଷ୍ଟ ନହୁଏ ତେବେ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ।