22.1 C
Bhubaneswar
Monday, January 12, 2026
Homeଦେଶ ବିଦେଶନ୍ୟୁୟର୍କ ସହରକୁ ମିଳିଲା ପ୍ରଥମ ମୁସଲିମ ମେୟର

ନ୍ୟୁୟର୍କ ସହରକୁ ମିଳିଲା ପ୍ରଥମ ମୁସଲିମ ମେୟର

ନ୍ୟୁୟର୍କ: ନ୍ୟୁୟର୍କ ସହରର ନୂଆ ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ଜୋହରାନ୍ ମାମଦାନୀ। ରାଜ୍ୟ ଆଟର୍ଣ୍ଣି ଜେନେରାଲ ଲେଟିଟିଆ ଜେମ୍ସ ମାମଦାନୀଙ୍କୁ ଶପଥ ପାଠ କରାଇଛନ୍ତି। ଶପଥଗ୍ରହଣ ସହ ସେ ସହରର ପ୍ରଥମ ମୁସଲିମ୍ ମେୟର ହେବାର ମଧ୍ୟ ବିରଳ କୃତୀତ୍ୱ ଅର୍ଜନ କରିଛନ୍ତି। ମାମଦାନୀଙ୍କ ଶପଥଗ୍ରହଣ ସମାରୋହ ଅତ୍ୟନ୍ତ ନିଆରା ଶୈଳୀରେ କରାଯାଇଛି। ସେ ସହରର ସର୍ବପୁରାତନ ତଥା ଐତିହାସିକ ମେଟ୍ରୋ ଷ୍ଟେସନ୍‌ରେ ହିଁ ଶପଥଗ୍ରହଣ କରିଛନ୍ତି। ପବିତ୍ର କୁରାନ୍‌’ ପାଠ କରିବା ପୂର୍ବକ ସେ ନିଜ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ମେୟର ଭାବେ ଶପଥ ନେବା ସହ ଭାରତୀୟ ବଂଶୋଦ୍ଭବ ଜୋହରାନ ମାମଦାନୀ ଗୁରୁବାର ଦିନ ନ୍ୟୁୟର୍କ ସହରର ପ୍ରଥମ ଦକ୍ଷିଣ ଏସୀୟ ମେୟର ଭାବେ ମଧ୍ୟ ଏକ ଇତିହାସ ସୃଷ୍ଟି କରିଛନ୍ତି। ଏଥିସହ ୩୪ ବର୍ଷୀୟ ମାମଦାନୀ ନ୍ୟୁୟର୍କ ସହରର ଇତିହାସରେ ଦ୍ୱିତୀୟ ସର୍ବକନିଷ୍ଠ ମେୟର ସାଜିଛନ୍ତି।

ମାମଦାନୀ ଜଣେ ମୁସଲିମ୍ ହୋଇଥିବାରୁ ତାଙ୍କ ଶପଥ ଗ୍ରହଣ ପାଇଁ କୁରାନ୍ ଧର୍ମଗ୍ରନ୍ଥକୁ ଧାର୍ମିକ ସାକ୍ଷ୍ୟ ଭାବେ ଗ୍ରହଣ କରାଯାଇଥିଲା। ଶପଥ ସମାରୋହରେ ମାମଦାନୀଙ୍କ ପତ୍ନୀ ତଥା କଳାକାର ରାମା ଦୁୱାଜି ତାଙ୍କ ପାଖରେ ଉପସ୍ଥିତ ଥିଲେ। ତେବେ ପ୍ରାରମ୍ଭିକ ଶପଥ ସମାରୋହ ପାଇଁ ପୁରୁଣା ସିଟି ହଲ୍ ଷ୍ଟେସନର ବାଛିବାର କାରଣ ସେ ଏହାକୁ ନ୍ୟୁୟର୍କବାସୀଙ୍କ ସେବା କରିବା ପାଇଁ ତାଙ୍କ ପ୍ରଶାସନର ପ୍ରତିବଦ୍ଧତାର ପ୍ରତୀକ ଭାବରେ ଦେଖନ୍ତି ବୋଲି ମାମଦାନୀ କହିଛନ୍ତି। ଜୋହରାନ୍ ମାମଦାନୀ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର ଏବଂ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ମହମୁଦ ମାମଦାନିଙ୍କ ପୁଅ। ଉଗାଣ୍ଡାର କାମ୍ପାଲାରେ ଜନ୍ମଗ୍ରହଣ କରିଥିବା ଜୋହରାନ୍ ମାମଦାନୀ ୭ ବର୍ଷ ବୟସରେ ନ୍ୟୁୟର୍କକୁ ଚାଲିଯାଇଥିଲେ ଏବଂ ୨୦୧୮ରେ ଜଣେ ଆମେରିକୀୟ ନାଗରିକ ହୋଇଥିଲେ। ଗତ ନଭେମ୍ବରରେ ରିପବ୍ଲିକାନ୍ କର୍ଟିସ୍ ସ୍ଲିୱା ଏବଂ ସ୍ୱାଧୀନ ପ୍ରାର୍ଥୀ ଆଣ୍ଡ୍ରୁ କୁଓମୋଙ୍କ ବିପକ୍ଷରେ ଜୋହରାନ୍ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲେ। ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ମାମଦାନୀଙ୍କୁ ପସନ୍ଦ କରିନଥାନ୍ତି। ଏହିକାରଣରୁ ମାମଦାନୀଙ୍କ ବିପକ୍ଷରେ ଟ୍ରମ୍ପ୍ ଏବଂ ତାଙ୍କ ଦଳ ରିପବ୍ଲିକାନ୍ ପାର୍ଟି ଜୋରଦାର ପ୍ରଚାର କରିଥିଲା। ଏପରିକି ଟ୍ରମ୍ପ୍‌, ସିଧାସଳଖ ନ୍ୟୁୟର୍କବାସୀଙ୍କୁ ମଧ୍ୟ ଆର୍ଥିକ ସହାୟତାରୁ ବଞ୍ôଚତ କରିବା ନେଇ ଧମକ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking