21.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକଜାନ୍‌ରେ ଖୋଲିବ ନୂଆ ଭାରତୀୟ ଦୂତାବାସ: ମୋଦୀ

କଜାନ୍‌ରେ ଖୋଲିବ ନୂଆ ଭାରତୀୟ ଦୂତାବାସ: ମୋଦୀ

ମସ୍କୋ: ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍‌ର କଜାନ ଠାରେ ପହଞ୍ଚିଛନ୍ତି। କଜାନ ଠାରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏହାପରେ ମୋଦୀ, ରୁଷ୍ ପ୍ରତିପକ୍ଷ ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତା ପରସ୍ପରକୁ ଆଲିଙ୍ଗନ ପୂର୍ବକ ସ୍ୱାଗତ ଜଣାଇବା ଦେଖିବାକୁ ମିଳିଥିଲା। ପୁତିନ୍ ମୋଦୀଙ୍କୁ ପାଛୋଟି ନେଇଥିଲେ। ଏହି ପରିପ୍ରେକ୍ଷୀରେ ମୋଦୀ, ପୁତିନ୍‌ଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି ଯେ, ବନ୍ଧୁ ପୁତିନ୍‌ଙ୍କ ବନ୍ଧୁତା, ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟୟେତା ପାଇଁ ସେ ହୃଦୟରୁ କୃତଜ୍ଞତା ଜଣାଉଛନ୍ତି। କଜାନ୍ ସହର ସହ ଭାରତର ଗଭୀର ଏବଂ ଐତିହାସିକ ସମ୍ପର୍କ ରହିଛି। ଏହାକୁ ଦୃଷ୍ଟିରେ ରଖି ମୋଦୀ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି। କଜାନ ଠାରେ ଭାରତର ଏକ ନୂତନ ଦୂତାବାସ ଖୋଲାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି। ଏହାଦ୍ୱାରା ଏହି ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ମୋଦୀ କହିଛନ୍ତି।

ରୁଷ୍ ରାଷ୍ଟ୍ରପତି ପୁତିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, ଗତ ୩ ମାସ ମଧ୍ୟରେ ସେ ୨ଥର ରୁଷ୍ ଗସ୍ତରେ ଆସିଛନ୍ତି। ଏହା ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମନ୍ୱୟ ଏବଂ ଗଭୀର ବନ୍ଧୁତାକୁ ପ୍ରତିଫଳିତ କରେ। ଜୁଲାଇ ମାସରେ ମସ୍କୋରେ ବାର୍ଷିକ ସମ୍ମିଳନୀ ପ୍ରତ୍ୟେକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୁତ କରିଛି। ସେହିପରି ବ୍ରିକ୍ସ ସଂଗଠନ ଗତ ୧୫ ବର୍ଷ ମଧ୍ୟରେ ନିଜର ଚିହ୍ନ ସୃଷ୍ଟି କରିଛି ଏବଂ ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଏଥିରେ ଯୋଗଦେବାକୁ ଚାହୁଁଛନ୍ତି। ଏହା ବେଶ୍ ଆଶ୍ୱସ୍ତିଜନକ। ଏହି ପରିପ୍ରେକ୍ଷୀରେ ମୋଦୀ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି। ମୋଦୀ କହିଛନ୍ତି, ରୁଷ-ୟୁକ୍ରେନ୍ ଯୁଦ୍ଧ ତଥା ବିବାଦ ପ୍ରସଙ୍ଗରେ ଭାରତ ସଦାସର୍ବଦା ଶାନ୍ତି ଓ ସଦ୍‌ଭାବଜନିତ ଦ୍ୱିପାକ୍ଷିକ ଆଲୋଚନାକୁ ସମର୍ଥନ କରିଆସୁଛି। ଯୁଦ୍ଧ କଦାପି ଏକ ସମାଧାନର ମାର୍ଗ ହୋଇନପାରେ। ଶାନ୍ତି ଏବଂ ସ୍ଥିରତାର ପ୍ରାରମ୍ଭିକ ପ୍ରତିଷ୍ଠା ଦିଗରେ ମଧ୍ୟ ଉଭୟ ପକ୍ଷରୁ ପ୍ରୟାସ ହେବା ଜରୁରି। ଏହାଦ୍ୱାରା ବିଶ୍ୱ କଲ୍ୟାଣ ସମ୍ଭବ ହୋଇପାରିବ। ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେବା ଆବଶ୍ୟକ। ରୁଷ-ୟୁକ୍ରେନ୍ ଯୁଦ୍ଧ ତଥା ବିବାଦ ସମାପ୍ତ ଦିଗରେ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି ବୋଲି ମୋଦୀ ଏଠାରେ ଦୋହରାଇଛନ୍ତି। ପୁତିନ୍ ମଧ୍ୟ ମୋଦୀଙ୍କ ଭଳି ବନ୍ଧୁଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କରିଥିବା ବେଳେ ୟୁକ୍ରେନ୍ ସହ ଲଢ଼େଇ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ବେଶ୍ ତାରିଫ୍ କରିବା ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଭାରତ ଓ ରୁଷ ମଧ୍ୟରେ ସଂପର୍କ ଆହୁରି ଦୃଢ ହେବ ବୋଲି ପୁତିନ୍ ମତବ୍ୟକ୍ତ କରିଛନ୍ତି।

୨୦୦୬ରେ ବ୍ରାଜିଲ, ରୁଷ୍‌, ଭାରତ, ଚୀନକୁ ନେଇ ଗଠିତ ହୋଇଥିବା ହୋଇଥିବ।। ବ୍ରିକ୍ସ ସଂଗଠନରେ ୨୦୧୦ରେ ଦକ୍ଷିଣ ଆଫ୍ରିକା ସାମିଲ ହୋଇଥିଲା। ସେବେଠାରୁ ଏହି ୫ ରାଷ୍ଟ୍ର ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାବେ ରହିଆସିଥିବା ବେଳେ ଏବେ ଅର୍ଥାତ୍ ୨୦୨୪ରେ ଏହାକୁ ପରିବର୍ଦ୍ଧିତ କରାଯାଇ ଏଥିରେ ଆଉ ୫ଟି ଦେଶକୁ ସାମିଲ କରାଯାଇଛି। ଏହି ଦେଶଗୁଡ଼ିକ ହେଲେ ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଏବଂ ୟୁଏଇ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଉଦି ଆରବ ନିଜ ଆଡୁ ସଦସ୍ୟତା ଗ୍ରହଣ କରିବା ନକରିବା ନେଇ ସ୍ପଷ୍ଟ କରିନଥିବାରୁ ୪ ରାଷ୍ଟ୍ର ଯୋଗଦେବା ନିଶ୍ଚିତ ବୋଲି କୁହାଯାଉଛି। ବିଶ୍ୱସ୍ତରରେ ରାଜନୈତିକ ଏବଂ ଅର୍ଥନୈତିକ ସମସ୍ୟା ସମ୍ପର୍କରେ ଆଲୋଚନା ସମ୍ମିଳନୀ ଲକ୍ଷ୍ୟ ରହିଛି। ତେବେ ଏହି ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅନ୍ୟ ଦେଶଗୁଡ଼ିକ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଜଣାପଡ଼ିଛି। ଶିଖର ସମ୍ମିଳନୀ ଶେଷରେ କଜାନ୍ ଡିକ୍ଲାରେସନ୍ ଘୋଷଣା କରାଯିବ ଯେଉଁଥିରେ ଏହି ୫ ନୂଆ ସଦସ୍ୟ ରାଷ୍ଟ୍ର ବ୍ରିକ୍ସ ସଂଗଠନରେ ଔପଚାରିକତା ପାଳନ ପୂର୍ବକ ସଦସ୍ୟ ରାଷ୍ଟ୍ର ଭାବେ ସାମିଲ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking