ନୂଆଦିଲ୍ଲୀ: ଅପରାଧୀଙ୍କ ସମ୍ପତ୍ତି ଉପରେ ବୁଲ୍ଡୋଜର ଚାଲିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଆଜି ତୀବ୍ର ବିଷୋଦ୍ଗାର କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ପ୍ରକୃତ ଦୋଷୀ କ୍ଷେତ୍ରରେ ମଧ୍ୟ ବୁଲଡୋଜର ଚଳାଯିବା ନୀତି ଉଚିିତ୍ ନୁହେଁ । କିନ୍ତୁ ଅଧିକାଂଶ ଘଟଣାରେ ଦେଖିବାକୁ ମିଳୁଛି ଯେ, ଅଭିଯୋଗ ହେବା ମାତ୍ରେ ହିଁ ଅଭିଯୁକ୍ତର ସମ୍ପତ୍ତିକୁ ଧୂଳିସାତ୍ କରିଦିଆଯାଉଛି । କେବଳ ଅଭିଯୁକ୍ତ ହେବା ଆଧାରରେ କାହାର ଘର ଭାଙ୍ଗିବା କିମ୍ବା ସମ୍ପତ୍ତି ନଷ୍ଟ କରିଦିଆଯିବା କଦାପି ନ୍ୟାୟସଂଗତ ନୁହେଁ । ପୁଅର ଭୁଲ୍ ପାଇଁ ବାପା ଅର୍ଜିତ ସମ୍ପତ୍ତିକୁ ନଷ୍ଟ କରାଯିବା କେତେ ଦୂର ଯୁକ୍ତି ସଂଗତ? ଏହି ଅବସରରେ ସୁପ୍ରିମକୋର୍ଟ, ବିଭିନ୍ନ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଏପ୍ରକାର ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ଏବଂ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ଘର ଭଙ୍ଗାଯାଇପାରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
ଦେଶବ୍ୟାପୀ ବୁଲଡୋଜର ଆକ୍ସନ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ସୋମବାର ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ଜଷ୍ଟିସ ଗଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନ୍ଙ୍କ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ମେହେଟ୍ଟା କହିଥିଲେ ଯେ, ପୌରସଂସ୍ଥା ଆଇନ ଅନୁଯାୟୀ ବୁଲଡୋଜିଂ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କେବଳ ପୌରସଂସ୍ଥା ନୋଟିସ ଦେବା ପରେ ହିଁ ବେଆଇନ ଅତିକ୍ରମଣ ମାମଲାରେ ଏହା କରାଯାଇଛି । ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେମାନେ ବେଆଇନ ଦଖଲ କିମ୍ବା ନିର୍ମାଣ କାରଣରୁ ଟାର୍ଗେଟରେ ଅଛନ୍ତି ଏବଂ ଅପରାଧ ଅଭିଯୋଗ ଯୋଗୁ ନୁହେଁ । ଯୁକ୍ତି ଶୁଣିସାରିବା ପରେ ଖଣ୍ଡପୀଠ ସଲିସିଟର ଜେନେରାଲଙ୍କ ଜରିଆରେ ସରକାରଙ୍କ ଠାରୁ ବିସ୍ତୃତ ଉତ୍ତର ମାଗିଥିଲେ ଏବଂ କହିଥିଲେ ଯେ ସରକାର ନୋଟିସ, କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ଅଭିଯୋଗର ଜବାବ ଦେବା ଉଚିତ୍ । ଖଣ୍ଡପୀଠଙ୍କ କହିବାନୁସାରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍ । ପରବର୍ତ୍ତୀ ଶୁଣାଣି ସେପ୍େଟମ୍ବର ୧୭ରେ ହେବ ବୋଲି କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି ।
ପ୍ରକାଶ, ଉଦୟପୁର ଘଟଣାରେ ଜମିୟତ୍ ଉଲେମା-ଏ-ହିନ୍ଦ୍ ସଂଗଠନ ପକ୍ଷରୁ ଅଭିଯୁକ୍ତଙ୍କ ଘରେ ଅବାଧ ବୁଲଡୋଜର ଚଳାଉଥିବା ୟୁପି ସରକାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଇଛି । ରାଜ୍ୟ ସରକାର ମୁସଲମାନମାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଜାମିୟତ କହିଛି । ୟୁପି, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସମ୍ପ୍ରତି ବୁଲଡୋଜର କାର୍ଯ୍ୟକଳାପକୁ ଦର୍ଶାଇ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିଥିବା ଏହି ଆବେଦନରେ ଦର୍ଶାଯାଇଛି । ସୂଚନାଯୋଗ୍ୟ, ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ଦ୍ୱାରା ଫେବୃଆରୀ ୨୦୨୪ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୦୨୨ ରୁ ଜୁନ୍ ୨୦୨୩ମଧ୍ୟରେ ଦିଲ୍ଲୀ, ଆସାମ, ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ୟୁପିରେ ସାମ୍ପ୍ରଦାୟିକ ହିଂସା ପରେ ୧୨୮ଜଣଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଚାଲିଥିବା ଦର୍ଶାଯାଇଛି ।