ଭୁବନେଶ୍ୱର: ସାଧାରଣ ମହିଳାରୁ ଲକ୍ଷପତି ଦିଦି ବିଜୟଲକ୍ଷ୍ମୀ ସାହୁ ଓ ଶକୁନ୍ତଳା ମୁଦୁଲି । କଟକ ଜିଲ୍ଲା ବାଙ୍କୀ ଡମପଡ଼ାର ବିଜୟଲକ୍ଷ୍ମୀ ସାହୁ । ସରକାର ଦେଇଥିବା ଲକ୍ଷପତି ଦିଦିର ପରିଚୟ ପାଇ ବେଶ ଖୁସି। ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରି କରି ସେ ଏବେ ଲକ୍ଷପତି। କଟକ, କୋରାପୁଟ, କେନ୍ଦୁଝର ଆଦି ଜିଲ୍ଲାରେ ଏବେ ତାଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି । ନିଜେ ଲକ୍ଷପତି ହୋଇଛନ୍ତି ସାଥିରେ ଆଉ ୨୦ ଜଣଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏ ହେଉଛନ୍ତି ଶକୁନ୍ତଳା ମୁଦୁଲି । ଟେରାକୋଟା ଉତ୍ପାଦ କରି ସେ ବି ପାଲଟିଛନ୍ତି ଲକ୍ଷପତି ଦିଦି। ଟେରାକୋଟା ଚା”ପାତ୍ର ପ୍ରସ୍ତୁତ କରି ବିଭିନ୍ନ ରେଳ ଷ୍ଟେସନକୁ ଯୋଗାଇ ଲକ୍ଷପତି ହୋଇପାରିଛନ୍ତି ସେ । ତାଙ୍କ ଉତ୍ପାଦକୁ ପଲ୍ଲୀରୁ ଦିଲ୍ଲୀ ପହଞ୍ଚାଇବା ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଅନେକଙ୍କୁ ସାଥିରେ ନେଇ ଛୋଟ ଆକାରର ବ୍ୟବସାୟ କରୁଥିଲେ ଆଉ ଏବେ ଲକ୍ଷପତି ଦିଦି ପରିଚୟ ମିଳିବା ପରେ, ସରକାରଙ୍କ ସହାୟତାରେ ବଡ଼ ଉଦ୍ୟୋଗୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଉଭୟ।
ଗ୍ରାମାଞ୍ଚଳର ମହିଳା ମାନଙ୍କୁ ଆର୍ଥିକ ସଶକ୍ତ କରିବାକୁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଲକ୍ଷପତି ଦିଦି ଯୋଜନା। ଆଉ ଏହି ଯୋଜନା ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସ୍ୱାବଲମ୍ବୀ କରୁଛି। ଉଦ୍ୟୋଗୀ ସହାୟତା ଓ ବିଭିନ୍ନ ଆୟବୃଦ୍ଧିକାରୀ ଯୋଜନାରେ ପାଉଛନ୍ତି ସୁଫଳ। କେବଳ କଟକ ଜିଲ୍ଲାରେ ୯୧ ହଜାରରୁ ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରିବାର ଯୋଜନା ରଖିଛନ୍ତି ରାଜ୍ୟ ସରକାର। ଏବେ ସୁଦ୍ଧା ଜିଲ୍ଲାରେ ୩୬ ହଜାରରୁ ଅଧିକ ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି। ଓଡିଶା ଜୀବନଜୀବିକା ମିଶନ ଜରିଆରେ କରି ସେମାନଙ୍କୁ ଆର୍ଥିକ ଅନ୍ତରଭୂକ୍ତିକରଣ କରିବା , ଉଦ୍ୟୋଗୀ ସହାୟତା ପ୍ରଦାନ କରିବା ସହ ସରକାରଙ୍କ ବିଭିନ୍ନ ଆୟକାରୀ ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ମଙ୍ଗଳବାର କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ପାଖାପାଖି ୩ ହଜାରରୁ ଅଧିକ ମହିଳା ଏଥିରେ ଯୋଗ ଦେଇଥିଲେ। ଲକ୍ଷ୍ୟ ରହିଥିଲା ସେମାନଙ୍କୁ କିଭଳି ପ୍ରୋତ୍ସାହିତ କରିବା ସହ ପ୍ରତି ପରିବାରରୁ ଜଣେ ଲକ୍ଷପତି ଦିଦି ସୃଷ୍ଟି କରିବା।