23.1 C
Bhubaneswar
Sunday, February 15, 2026
Homeଓଡିଶାଗଛ ଚଢ଼ିଲେ ମିଳେ ନେଟ୍‌ୱର୍କ; ‘ହ୍ୟାଲୋ’ ଶୁଣିବାକୁ ୨୩୮ ଗାଁ ହଟହଟା

ଗଛ ଚଢ଼ିଲେ ମିଳେ ନେଟ୍‌ୱର୍କ; ‘ହ୍ୟାଲୋ’ ଶୁଣିବାକୁ ୨୩୮ ଗାଁ ହଟହଟା

-ଓଡ଼ିଶା ମୋବାଇଲ୍‌, ଆନ୍ଧ୍ର ନେଟୱାର୍କ ଉପରେ ଭରସା
-କୋରାପୁଟର ୮୯, ରାୟଗଡ଼ାର ୧୪୯ ଗ୍ରାମରେ ମୋବାଇଲ ସେବା ବିପର୍ଯ୍ୟସ୍ତ

ରାୟଗଡ଼ା: ବିଭିନ୍ନ ନୂତନ ପ୍ରଯୁକ୍ତିବିଦ୍ୟାର ବିକାଶ ଜାରି ରହିଥିବା ବେଳେ ଆଜି ବି ଓଡ଼ିଶାରେ ଏପରି କିଛି ଗ୍ରାମ ରହିଛି ଯେଉଁଠି ଆବଶ୍ୟକ ନେଟୱର୍କର ସୁବିଧା ନାହିଁ। ଥରେ ଭାବି ଦେଖନ୍ତୁ ଆପଣଙ୍କ ଫୋନରେ ଗୋଟିଏ ମିନିଟ ପାଇଁ ନେଟୱର୍କ ନ ରହେ, ତେବେ ବ୍ୟତିବ୍ୟସ୍ତ ଲାଗିଥାଏ। ଜଣେ ପ୍ରସୂତୀ ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିବା ବେଳେ ଆଶା ଦିଦିଙ୍କୁ ଯୋଗାଯୋଗ କରିବା ପାଇଁ କିମ୍ବା ଆମ୍ବୁଲାନ୍ସଟିଏ ଡାକିବାକୁ ମିଳେନି ଏଠାରେ ନେଟୱର୍କ। ଏହା ସହିତ ସରକାରୀ କାର୍ଯ୍ୟଗୁଡ଼ିକ ଏବେ ଅନ୍‌ଲାଇନ୍ ମୋଡ଼ରେ ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ଏହାକୁ କରାଯାଉଥିବ ତାହା କଳ୍ପନାତୀତ। ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗ୍ରାମ ଗୁଡ଼ିକରେ ମୋବାଇଲ୍ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ଲୋକଙ୍କ ଘରେ ମୋବାଇଲ୍ ଅଛି କିନ୍ତୁ ନେଟୱର୍କ ଆସୁନି। ମୋବାଇଲ୍‌ରେ ଆନ୍ଧ୍ର ନେଟୱର୍କ ପାଇଁ ସୀମାନ୍ତ ଗ୍ରାମବାସୀ ଗଛ ଓ ପାହାଡ଼ ଚଢୁଛନ୍ତି। ଏପରିକି ଗୁଣପୁର ବ୍ଲକ୍‌ର ଗୋଟିଏ ପଞ୍ଚାୟତର ସମସ୍ତ ୨୨ ଖଣ୍ଡ ଗାଁ ପାଇଁ ମୋବାଇଲ୍ ନେଟୱର୍କ ଏକ ସ୍ୱପ୍ନ ପାଲଟିଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ୍‌ର କେତେକ ପଞ୍ଚାୟତର ଲୋକେ ଫୋନ୍ କଲ୍ ପାଇଁ ପାହାଡ଼ ଓ ଗଛ ଉପରକୁ ଚଢ଼ିବାକୁ ବାଧ୍ୟ ହେଉଥିବା ଚିତ୍ର ଦେଖିବାକୁ ମିଳୁଛି। ଏପରିକି ସୀମାନ୍ତ ଗଠଲପଦର ପଞ୍ଚାୟତର ଅର୍ଦ୍ଧାଧିକ ଗାଁରେ ଏବେ ପର୍ଯ୍ୟନ୍ତ ନେଟୱର୍କ ଆସୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ନେଟ୍‌ୱର୍କ ଟିକିଏ ପାଇଁ କିଏ ଗଛ ଉପରେ ଚଢ଼ୁଛି ତ ଆଉ କିଏ ୨ କିଲୋମିଟର୍ ଦୂର ଚାଲିଯାଉଛି। ଏତେ କଷ୍ଟ ସତ୍ତ୍ୱେ ଓଡ଼ିଶା ନୁହେଁ, ଆନ୍ଧ୍ରପ୍ରଦେଶର ଦୁର୍ବଳ ସିଗ୍‌ନାଲ୍ ଉପରେ ଲୋକେ ନିର୍ଭର କରୁଛନ୍ତି । ଗୁଣପୁର ବ୍ଲକ୍‌ର ମରମା ପଞ୍ଚାୟତର ୨୨ଟି ଗାଁ ମଧ୍ୟରୁ ୪ଟି ରାଜସ୍ୱ ଗ୍ରାମ ଓ ୧୮ଟି ଛୋଟ ଗାଁ ରହିଛି। ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ମିଳିନାହିଁ।

ଡିଜିଟାଲ୍ ଯୁଗରେ ଏହି ଅଞ୍ଚଳର ଲୋକଙ୍କ ପାଇଁ ଅନଲାଇନ୍ ସେବା ଯେପରି ପରିହାସ ପାଲଟିଛି। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ, ଚାଷୀଙ୍କ ଡିବିଟି ଯୋଜନା, ସୁଭଦ୍ରା ଯୋଜନାରେ ମହିଳାଙ୍କ ଆବେଦନ ଅଥବା ସ୍ୱୟଂସହାୟକ ଗୋଷ୍ଠୀର ଅନଲାଇନ୍ କାମ ସବୁଠି ନେଟୱର୍କ ଅଭାବ ବଡ଼ ବାଧା ହୋଇଛି। ଅଞ୍ଚଳବାସୀଙ୍କ କହିବାନୁସାରେ, ଦୁଇ ବର୍ଷ ପୂର୍ବେ ବିଏସ୍‌ଏନ୍‌ଏଲ୍ ପକ୍ଷରୁ ୨ଟି ମୋବାଇଲ୍ ଟାୱାର୍ ନିର୍ମାଣ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ଓ କେବଳ ଖୁଣ୍ଟ ଭଳି ଠିଆ ହୋଇଛି। ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସଂସଦରେ ପ୍ରଶ୍ନ ଉଠାଇଥିଲେ। ସଂସଦରେ ଦିଆଯାଇଥିବା ଉତ୍ତର ଅନୁଯାୟୀ ରାୟଗଡ଼ା ଜିଲ୍ଲାରେ ୭୦୦ଟି ମୋବାଇଲ୍ ଟାୱାର୍‌କୁ ସ୍ୱୀକୃତି ମିଳିଥିଲେ ମଧ୍ୟ ମାତ୍ର ୫୪୦ଟି ତିଆରି ହୋଇଛି। ବାକି ଟାୱାର୍ ଗୁଡ଼ିକ ବିଭିନ୍ନ ଆଳ ଦେଖାଇ ଅଟକାଇ ରଖାଯାଇଥିବା ଉଲ୍ଲେଖ ରହିଛି। ତଥ୍ୟ ଅନୁଯାୟୀ ରାୟଗଡ଼ା ଜିଲ୍ଲାର ୧୪୯ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ୍ ନେଟୱର୍କ ନାହିଁ। ଫଳରେ ଏହି ଗ୍ରାମ ଗୁଡ଼ିକ କାର୍ଯ୍ୟକ୍ଷମ ୪ଜି ଡାଟା ସେବା ସହିତ ମୌଳିକ ଟେଲିଯୋଗାଯୋଗ ସୁବିଧାରୁ ବଞ୍ଚିତ ଅଛନ୍ତି।

ସରକାରଙ୍କ ଦ୍ୱାରା ରେକର୍ଡରେ ରଖାଯାଇଥିବା ଆଧିକାରିକ ତଥ୍ୟ ଅନୁଯାୟୀ, କୋରାପୁଟ ଜିଲ୍ଲାର ସମୁଦାୟ ୨,୦୪୭ଟି ଗ୍ରାମ ମଧ୍ୟରୁ ୮୯ଟି ଗ୍ରାମ ଏପର୍ଯ୍ୟନ୍ତ ମୋବାଇଲ୍ ନେଟୱର୍କ ସଂଯୋଗରୁ ବଞ୍ଚିତ ରହିଛି। ସେହିପରି ରାୟଗଡ଼ା ଜିଲ୍ଲାର ୨,୬୭୧ଟି ଗ୍ରାମ ମଧ୍ୟରୁ ୧୪୯ଟି ଗ୍ରାମରେ ମଧ୍ୟ ମୋବାଇଲ୍ ସଂଯୋଗ ଉପଲବ୍ଧ ନାହିଁ। କୋରାପୁଟ ଜିଲ୍ଲାର ବନ୍ଧୁଗାଁ, ଦଶମନ୍ତପୁର, ଲମତାପୁଟ, ନାରାୟଣପାଟଣା, ପୋଟାଙ୍ଗୀ ଓ ନନ୍ଦପୁର ବ୍ଲକ୍ ପ୍ରମୁଖ ମୋବାଇଲ୍ ସେବାରୁ ବଞ୍ଚିତ ରହିଛି। ସେହିପରି ରାୟଗଡ଼ା ଜିଲ୍ଲାର ବିଷମକଟକ, କାଶୀପୁର, କଲ୍ୟାଣସିଂପୁର, ମୁନିଗୁଡ଼ା, ଗୁଣୁପୁର, ରାୟଗଡ଼ା ଓ ଚନ୍ଦ୍ରପୁର ବ୍ଲକ୍‌ରେ ମଧ୍ୟ ଏହି ସମସ୍ୟା ମାତ୍ରାଧିକ। ଡିିବିଏନ୍ ଯୋଜନା ଅଧୀନରେ ଶହ ଶହ ମୋବାଇଲ୍ ଟାୱାର୍ ସ୍ଥାପନା ପାଇଁ ପରିକଳ୍ପନା କରାଯାଇଥିଲା। ତଥାପି ଗମନାଗମନର ଅଭାବ, ଜମି ଆବଣ୍ଟନରେ ବିଳମ୍ବ, ଜଙ୍ଗଲ ଓ ବନ୍ୟପ୍ରାଣୀ ସମ୍ପର୍କିତ ମଞ୍ଜୁରି ଓ ରାସ୍ତାର ଅଧିକାର ସମ୍ବନ୍ଧୀୟ ଅନୁମତି ବିଳମ୍ବିତ ହେବା ଯୋଗୁ ଏହି ଯୋଜନା ବିଳମ୍ବିତ ହୋଇ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ଫଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପରିବର୍ତ୍ତେ ଅନେକ ଗ୍ରାମକୁ ଡିଜିଟାଲ୍ ସେବାରୁ ବଞ୍ଚିତ ରଖାଯାଇ ଆଦିବାସୀ ଅଧ୍ୟୁଷିତ ଓ ଦୂରଦୂରାନ୍ତ ଅଞ୍ଚଳ ଗୁଡ଼ିକ ପରବର୍ତ୍ତୀ ପିଢ଼ି ଡିଜିଟାଲ୍ ଭିତ୍ତିଭୂମିରୁ ସ୍ଥାୟୀ ଭାବେ ବାଦ୍ ପଡ଼ିବାର ଗମ୍ଭୀର ଆଶଙ୍କା ରହିଥିବା ଶ୍ରୀ ଉଲ୍ଲାକା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking