24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶନିଟ୍ (ୟୁଜି) ମାମଲା; ୧୮ରେ ପରବର୍ତ୍ତୀ ଶୁଣାଣି

ନିଟ୍ (ୟୁଜି) ମାମଲା; ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ନିଟ୍ (ୟୁଜି) ପ୍ରଶ୍ନପତ୍ର ପ୍ରଘଟ ମାମଲାର ଶୁଣାଣି ଗୁରୁବାର ସୁପ୍ରିମକୋର୍ଟରେ ହୋଇଛି । ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି । ଅନ୍ୟପକ୍ଷେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ୧୮ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ । ଉକ୍ତ ଦିନ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ ବୋଲି ଅନୁମାନ କରାଯାଉଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଜାରି ରହିଛି । ଆଜି ସୁପ୍ରିମକୋର୍ଟରେ ଶୁଣାଣି ଥିବାରୁ ଦିନକ ପୂର୍ବରୁ ଅର୍ଥାତ୍ ଗତକାଲି ଉଭୟ କେନ୍ଦ୍ର ସରକାର, ଏନ୍‌ଟିଏ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା । କିନ୍ତୁ ଏହି ସତ୍ୟପାଠ ପ୍ରତିପକ୍ଷ ଅର୍ଥାତ୍ ଆବେଦନକାରୀଙ୍କୁ ମିଳିନଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଶୁଣାଣି କରିବା ପରିପ୍ରେକ୍ଷୀରେ ଖଣ୍ଡପୀଠ ଆବେଦନକାରୀଙ୍କୁ ସରକାର ଏବଂ ଏନ୍‌ଟିଏ ପକ୍ଷରୁ ଦାଖଲ ସତ୍ୟପାଠକୁ ଭଲଭାବେ ତର୍ଜମା କରିବାକୁ ଏବଂ ଏହା ଉପରେ ଉତ୍ତର ରଖିବାକୁ ସମୟ ଦିଆଯିବା ଉଚିତ୍ ବୋଲି ମତବ୍ୟକ୍ତ କରିବା ସହ ଶୁଣାଣିକୁ ଆସନ୍ତା ୧୮ ତାରିଖ ଯାଏ ଘୁଞ୍ଚାଇଛନ୍ତି ।

ପ୍ରକାଶ, ସ୍ନାତକ ସ୍ତରରେ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌-ୟୁଜି)କୁ ନେଇ ବିବାଦ ଦେଖାଦେବା ପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା । ତେବେ ଜୁଲାଇ ୮ରେ ଏହାର ଶୁଣାଣି କରି ତଦନ୍ତକାରୀ ସଂସ୍ଥା ସିବିଆଇ, କେନ୍ଦ୍ର ସରକାର ଓ ଏନଟିଏକୁ ବୁଧବାର ସୁଦ୍ଧା (୧୦ ତାରିଖ) ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ବୁଧବାର ସୁଦ୍ଧା ଏସବୁ ସତ୍ୟପାଠର ନକଲକୁ ଆବେଦନକାରୀଙ୍କୁ ମିଳିନଥିବାରୁ ଶୁଣାଣି ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଥିବା ଜାଣିବାକୁ ମିଳିଛି । ପ୍ରକାଶ, ଗତ ସୋମବାର ଦିନ ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)କୁ ପ୍ରଶ୍ନପତ୍ର ପ୍ରଘଟର କାରଣ ଏବଂ ଦାଗୀ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରିବା ଉପରେ ଜବାବ ସତ୍ୟପାଠ ଆକାରରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏସବୁ ସତ୍ୟପାଠ ଦାଖଲ ହୋଇଥିଲେ ମଧ୍ୟ ପ୍ରତିପକ୍ଷ ଅର୍ଥାତ୍ ଆବେଦନକାରୀଙ୍କୁ ମିଳିପାରିନାହିଁ ।

ତେବେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ନିଟ୍ (ୟୁଜି) ପରୀକ୍ଷା ପୁନଃ ପରିଚାଳନା କରିବା ସପକ୍ଷରେ କେନ୍ଦ୍ର ସରକାର ନାହାନ୍ତି । ‘ଯାଞ୍ଚ ହୋଇ ନ ଥିବା ଆଶଙ୍କା’ ଆଧାରରେ ୨୩ ଲକ୍ଷ ପ୍ରାର୍ଥୀଙ୍କ ଉପରେ ପୁନଃ ପରୀକ୍ଷଣର ଭାର ଲାଗୁ କରାଯିବା ଅନୁଚିତ୍ ବୋଲି କେନ୍ଦ୍ର ଦର୍ଶାଇଛି । ଅନ୍ୟପକ୍ଷେ ଏନ୍‌ଟିଏ ମଧ୍ୟ ନିଜ ସତ୍ୟପାଠରେ ଦର୍ଶାଇଛି ଯେ ପାଟନାରେ ହୋଇଥିବା ପେପର ଲିକ୍ ମାମଲାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ୍ ସହ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି । ଏତଦ୍‌ବ୍ୟତୀତ ଏନ୍‌ଟିଏ ମେରିଟ୍ ତାଲିକାରେ ୭୨୦ ମଧ୍ୟରୁ ୬୧ ଛାତ୍ର କିପରି ୭୨୦ ମାର୍କ ପାଇଲେ ସେସମ୍ବନ୍ଧରେ ମଧ୍ୟ ସ୍ପଷ୍ଟୀକରଣ ଦେଇଥିବା ଜାଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking