ଜୟପୁର: ରାଜସ୍ଥାନର କୋଚିଂ ହବ୍ କୋଟାରେ ପୁଣି ଜଣେ ନିଟ୍ ଆଶାୟୀ ଆତ୍ମହତ୍ୟା କରିଥିବା ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ଏହି ଛାତ୍ରଙ୍କ ବୟସ ମାତ୍ର ୧୮ ବର୍ଷ । ସେ ତାଙ୍କ ହଷ୍ଟେଲ ରୁମ୍ରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଏଥି ସହିତ କୋଟାରେ ଚଳିତ ବର୍ଷ ଛାତ୍ର ଆତ୍ମହତ୍ୟା ସଂଖ୍ୟା ୧୨ରେ ପହଞ୍ଚିଛି । ଗତବର୍ଷ କୋଟାରେ ୨୦ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ । ସ୍ଥନୀୟ ପୋଲିସ ଅଫିସର ଅରବିନ୍ଦ ସିଂହ ଭରଦ୍ୱାଜ କହଛନ୍ତି ଯେ ୧୮ ବର୍ଷୀୟ ଏହି ଛାତ୍ରଙ୍କ ଘର ବିହାରର ଛାପ୍ରାରେ । ଗତବର୍ଷ ସେ କୋଚିଂ ନେବା ପାଇଁ କୋଟା ଆସିଥିଲେ ।
ତେବେ ମଙ୍ଗଳବାର ସକାଳେ ଛାତ୍ର ଜଣକ ତାଙ୍କ ହଷ୍ଟେଲ ରୁମ୍ ସିଲିଂ ଫ୍ୟାନ୍ରେ ଝୁଲି ପଡିଥିଲେ । ଛାତ୍ରଙ୍କ ରୁମ୍ରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଏଥିରେ ଲେଖାଅଛି ତାଙ୍କ ଆତ୍ମହତ୍ୟା ପାଇଁ ନିଟ୍ ଚାପ କିମବା ପରିବାର କେହି ଦାୟୀ ନୁହନ୍ତି । ପୋଲିସ ଅଫିସର ଭରଦ୍ୱାଜ କହିଛନ୍ତି, ଏ ସମ୍ପର୍କରେ ଅଧିକ କିଛଇ ଛାତ୍ରଙ୍କ ପରିବାର ସଦସ୍ୟଙ୍କ ଅନୁମତି ବିନା କହିହେବ ନାହିଁ । ପୋଲିସ ତଥ୍ୟ ଅନୁଯାୟୀ କୋଟାରେ ୨୦୨୨ରେ ୧୫, ୨୦୧୯ରେ ୧୮, ୨୦୧୮ରେ ୨୦, ୨୦୧୭ରେ ୭, ୨୦୧୬ରେ ୧୭ ଏବଂ ୨୦୧୫ରେ ୧୮ ଜଣ ଆତ୍ମହତ୍ୟା କରିଥିଲେ । କରୋନା ମହାମାରୀ ପାଇଁ ୨୦୧୯ ଏବଂ ୨୦୨୦ରେ କୋଚିଂ ଅନୁଷ୍ଠାନ ବନ୍ଦ ରହିଥିବାରୁ ଏହି ୨ ବର୍ଷରେ କୌଣସି ଛାତ୍ର ଆତ୍ମହତ୍ୟା କରିନାହାନ୍ତି ।